ଭୁବନେଶ୍ୱର,୨୨।୪ : ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ ଅପହୃତ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ। ଖୋର୍ଦ୍ଧା ଜଙ୍କିଆ ଥାନା ନିରାକାରପୁର ଅଂଚଳରୁ ଛାତ୍ରକୁ ଉଦ୍ଧାର କରାଯାଇଛି। ଏଥିସହ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ନାବାଳକ ବାପାଙ୍କ ଠାରୁ ଜମି ବିକ୍ରି ଟଙ୍କା ନେବା ପାଇଁ ଅପହରଣକାରୀ ରଚିଥିଲେ ଅପହରଣ ଯୋଜନା। ଏହା ପଛରେ ଟ୍ୟୁସନ ଶିକ୍ଷକଙ୍କ ମାଷ୍ଟର ମାଇଣ୍ଡ ଥିଲା । ସମ୍ପୃକ୍ତ ଶିକ୍ଷକ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ଅପହରଣରେ ବ୍ୟବହୃତ କାରକୁ ପୋଲିସ ଜବତ କରିଛି । ଏ ନେଇ ପୋଲିସ କମିଶନର ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ଅପହରଣକାରୀଙ୍କ କବଳରୁ ଉଦ୍ଧାର ପରେ ନାବାଳକ ଜଣକ କହିଛନ୍ତି ଯେ ଟ୍ୟୁସନ ସାର ଦେହ ଖରାପ ଅଛି, ଡାକ୍ତରଙ୍କ ପାଖକୁ ଯିବାକୁ କହି ସାଥୀରେ ନେଇ ଯାଇଥିଲେ। ପରବର୍ତ୍ତି ସମୟରେ ଟ୍ୟୁସନ ସାର ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲି। ନାବାଳକଙ୍କ ମା’ କହିଛନ୍ତି ଯେ ଆମ ପାଖରେ ଜମି ବିକ୍ରି ଟଙ୍କା ଥିବା ଟ୍ୟୁସନ ସାର ଜାଣିଥିଲେ। ପ୍ରଥମେ ସେ ମୋତେ ପୁଅ ଅପହରଣ ହୋଇଥିବା କଥା କହିଥିଲେ। ପୁଅକୁ ବନ୍ଧୁକ ଦେଖାଇ ଅପହରଣକାରୀ ନେଇଯାଇଥିବା କହିଥିଲେ। କାହାକୁ କିଛି ନ କହିବାକୁ କହିବାରୁ ସନ୍ଦେହ ହୋଇଥିଲା।
ମଙ୍ଗଳବାର ସକାଳେ ସ୍କୁଲରୁ ଫେରିବା ବେଳେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରକୁ ଏୟାରଫିଲ୍ଡ ଥାନା ପ୍ରଧାନସାହି ନିକଟରୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ନାବାଳକ ଘରକୁ ଫୋନ୍ କରି ୧୦ ଲକ୍ଷ ଦେବାକୁ ଦାବି କରିଥିଲେ। ଏୟାରଫିଲ୍ଡ ଥାନା ପୋଲିସ ଏବଂ ସ୍ପେଶାଲ ସ୍କ୍ବାଡ ଖବର ପାଇ ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲେ ।ଖୋର୍ଦ୍ଧା ଜଙ୍କିଆ ଥାନା ନିରାକାର ପୁର ଅଂଚଳରୁ ଛାତ୍ରକୁ ଉଦ୍ଧାର କରିଥିଲା ପୋଲିସ।