ଚକାପାଦ,୨/୬(ଆପ୍ର): ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ସରପଞ୍ଚ ହେମକେଶ ମଳିକ(୫୭)ଙ୍କ ହୃଦଘାତରେ ପରଲୋକ ଘଟିଛି। ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ସେ କୌଣସି କାମରେ ନିଜ କାର ଧରି ଶଙ୍କରାଖୋଲ ଯାଇଥିଲେ। ଫେରିବା ସମୟରେ ଲାଇନ୍ ପଡ଼ା - ନନ୍ଦିନୀ ଘାଟି ରାସ୍ତାରେ ତାଙ୍କୁ ଅଣ ନିଶ୍ୱାସୀ ଲାଗିବାରୁ ସେ ଗାଡ଼ିଟିକୁ ରାସ୍ତା ପାର୍ଶ୍ୱରେ ରଖିଦେଇଥିଲେ।
ଗାଡ଼ିରେ ବସିଥିବା ଜନୈକା ମହିଳା ସରପଞ୍ଚ ହେମକେଶଙ୍କୁ ଡ୍ରାଇଭିଂ ସିଟ ଉପରେ ଟଳି ପଡ଼ିଥିବା ଦେଖିବାକୁ ପାଇ ଅନ୍ୟ ମାନଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆ ଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ଅଧିକାରୀ ଡ. ଦୀପକ ପାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚକାପାଦ ଥାନା ଅଧିକାରୀ ଲଳିତ ମୋହନ ସାଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି। ଏନେଇ ଚକାପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସାଗର ସୂଚନା ଦେଇଛନ୍ତି।
ହେମକେଶଙ୍କ ମୃତ୍ୟୁରେ ବ୍ରାହ୍ମଣପାଦ ପଞ୍ଚାୟତ ତଥା ସମଗ୍ର ଚକାପାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହେମକେଶ ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଜିଲ୍ଲା ବିଜେଡି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।