ଭୁବନେଶ୍ୱର ୨୧/୧୨: ଦୀର୍ଘଦିନ ଧରି ମୁଣ୍ଡ ବିନ୍ଧିବା ସହ ଶରୀରରେ କୌଣସି  ବ୍ୟତିକ୍ରମ ଦେଖିଲେ ଆମେ ସନ୍ଦେହ କରୁ କାଳେ ବ୍ରେନ୍‌ ଟ୍ୟୁମର  ହେଲାକି । ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ ପାଇଁ ଯାଉ । କିନ୍ତୁ  ସବୁ ମୁଣ୍ଡବିନ୍ଧା ବ୍ରେନ୍‌ ଟ୍ୟୁମର ଭାବିବା ଅନୁଚିତ । ମୁଣ୍ଡବିନ୍ଧା,  ମୁଣ୍ଡ ବୁଲାଇବା ଅନ୍ୟାନ୍ୟ କାରଣରୁ ମଧ୍ୟ ହୋଇଥାଇପାରେ ।  ଯେପରିକି କାନରେ ମଳି ଜମିବା, ଚଷମାର ପାୱାର ବଢ଼ିବା  ଓ ଦୁଶ୍ଚିନ୍ତା । ଏହି ତିନୋଟି ସମସ୍ୟା ପ୍ରାୟ ଲୋକଙ୍କଠାରେ  ଦେଖାଯାଇଥାଏ । ଜଣେ ଇଏନ୍‌ଟି (କର୍ଣ୍ଣ, ନାସା, ଗଳା)  ଡାକ୍ତରଙ୍କ ସହ ପରାମର୍ଶ କରିବା ଦ୍ୱାରା ହିଁ ରୋଗୀ ମନରୁ  ଭୟ ଦୂର କରିବା ସହଜ ହୋଇଥାଏ । ଯଦି ବ୍ରେନ୍‌ ଟ୍ୟୁମରର  ଉପରୋକ୍ତ ଲକ୍ଷଣମାନ ଦେଖା ଦେଉଥାଏ, ଡାକ୍ତର ପରାମର୍ଶ କରାଇ ନେବା ଉଚିତ ।

ବ୍ରେନ୍‌ ଟ୍ୟୁମର କ’ଣ ? 

ମସ୍ତିଷ୍କ ବା ତାର ଆବରଣର କୋଷିକାଗୁଡ଼ିକ  ଅସାଧାରଣ ଭାବରେ ବୃଦ୍ଧି ପାଇବା ସ୍ଥିତି ହେଉଛି  ବ୍ରେନ୍‌ ଟ୍ୟୁମର । ସିଏନ୍‌ଏସ୍‌ (କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରିକା)  ଟ୍ୟୁମରକୁ ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା  ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ‘ଅଣୁଗତ  ଗୁଣସୂତ୍ର ଓ ଟ୍ୟୁମର ମାର୍କର ଚିହ୍ନଟ’ ପ୍ରକ୍ରିୟା ଦ୍ୱାରା  କେତେ ଶୀଘ୍ର ବା ଧୀରେ ଟ୍ୟୁମରଟି ବୃଦ୍ଧି ପାଇବାର  ଆଶଙ୍କା ରହିଛି ତାହା ଜଣାପଡ଼ିଯାଏ । କେମୋଥେରାପି  ଅଥବା ବିକିରଣଥେରାପିରୁ କେତେ ଲାଭ ମିଳିଛି ତାହା  ଆମକୁ ଜଣାଇଥାଏ । ପୁଣି ଟ୍ୟୁମର କର୍କଟ ଆକ୍ରାନ୍ତ କି  ନୁହେଁ ତାହା ପରୀକ୍ଷା ଦ୍ୱାରା ଜାଣିବାକୁ ହୁଏ । 

ଲକ୍ଷଣ 

 ବ୍ରେନ୍‌ ଟ୍ୟୁମର ହୋଇଛି କି ନାହିଁ କେମିତି ଜାଣିବା । ଏହା  ଦୁଇ ପ୍ରକାରର । ପ୍ରଥମତଃ ସ୍ଥାନ ସମ୍ପର୍କିତ, ଦ୍ୱିତୀୟତଃ  ମସ୍ତିଷ୍କ ଚାପବୃଦ୍ଧି-ସମ୍ପର୍କିତ । ଅତ୍ୟଧିକ ମୁଣ୍ଡବିନ୍ଧା, ଦୃଷ୍ଟି  ବା ଶ୍ରବଣ ଶକ୍ତି ହ୍ରାସ, ମୁଖମଣ୍ଡଳ କାଲୁଆ ହେବା,  ଆପେ ଆପେ ଲୁଗାରେ ପରିସ୍ରା ହୋଇଯିବା, ସ୍ମୃତି  ଶକ୍ତି ହ୍ରାସ ପାଇବା, ଟଳମଳ ହୋଇ ଚାଲିବା ଇତ୍ୟାଦି  ଲକ୍ଷଣ ଦେଖିବାକୁ ମିଳିଥାଏ । ଟ୍ୟୁମରର ଆକାର ବୃଦ୍ଧି  ପାଇଲେ ଭୋର୍‌ରୁ ମୁଣ୍ଡବିନ୍ଧା ହେବା, ସକାଳୁ ଅନେକ  ଥର ବାନ୍ତି ହେବା ଏବଂ ବାନ୍ତି ଦ୍ୱାରା ମୁଣ୍ଡବିନ୍ଧାରେ  ସାମୟିକ ଉପଶମ ମିଳିବା ଆଦି ତିନୋଟି ଲକ୍ଷଣ  ଅଧିକ ଦେଖିବାକୁ ମିଳିଥାଏ । 

ଚିକିତ୍ସା  

ବ୍ରେନ୍‌ ଟ୍ୟୁମର ରୋଗୀକୁ ଠିକ୍‌ ଭାବରେ ଚିହ୍ନଟ କରିବା  ଦରକାର । ନ୍ୟୁରୋଲୋଜିଷ୍ଟଙ୍କ ଔଷଧ ଦ୍ୱାରା ଅନେକ  ସମୟରେ ବ୍ରେନ୍‌ ଟ୍ୟୁମର ଭଲ ହୋଇଯାଏ । ଯଦି  ବ୍ରେନ୍‌ ଟ୍ୟୁମର ବଡ଼ ହୋଇଥାଏ, ନ୍ୟୁରୋସର୍ଜନଙ୍କ ଦ୍ୱାରା  ଅପରେସନ କରିବାକୁ ପଡ଼େ । ଅପରେସନ୍‌ ସମୟରେ  ମାଂସ ପରୀକ୍ଷା (ବାୟୋପ୍‌ସି)ରୁ କେମୋଥେରାପି  ନା ବିକିରଣଥେରାପୀ ଦରକାର ତାହା ଜଣାପଡ଼େ ।  ଅସ୍ତ୍ରୋପଚାର ପରେ ମଧ୍ୟ ବ୍ରେନ ଟ୍ୟୁମର ପୁନର୍ବାର  ହେବାର ସମ୍ଭାବନା ଥାଏ।

ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ

ପ୍ରଫେସର୍‌, ନ୍ୟୁରୋସର୍ଜରୀ ବିଭାଗ,

ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌