ନ୍ୟୁୟର୍କ, ୧୫/୦୬: ବ୍ରାଜିଲ ଓ  ମରକ୍କୋ ମ୍ୟାଚ ଚଳିତ ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଏକ ବଡ଼ ଲଢ଼େଇ  ଥିଲା । କିନ୍ତୁ ଶେଷରେ ଏହି ମ୍ୟାଚ ୧-୧  ଗୋଲରେ ଅମୀମାଂସିତ ରହିଥିଲା । ଦୁଇ  ଦଳ ପଏଣ୍ଟ ଭାଗ କରିଥିଲେ । ମାତ୍ର ୫  ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲର ଅସ୍ଥିର  ଆରମ୍ଭ ସମସ୍ତଙ୍କୁ ଚକିତ କରିଥିଲା । ଭିନିସିୟସ ଜୁନିୟର ଗୋଲ୍‌ ଦେଇ ଦଳର ପଏଣ୍ଟ ଖାତା ଖୋଲିଥିଲେ ।

ଗ୍ରୁପ୍‌ ସି’ରେ ବ୍ରାଜିଲ (୬) ଓ  ମରକ୍କୋ (୭) ବିଶ୍ୱ ମାନ୍ୟତାରେ ଅତି  ନିକଟତର । କିନ୍ତୁ ବ୍ରାଜିଲ ୫ ଥର ବିଶ୍ୱ  ଚାମ୍ପିଅନ ଦଳ । ଷଷ୍ଠ ଟାଇଟଲ ଲକ୍ଷ୍ୟରେ  ଦଳ ରହିଛି । ମାତ୍ର ଏଥର ବିଶ୍ୱକପ୍‌ରେ  ଦଳର ମନ୍ଥର ଶୁଭାରମ୍ଭ ପ୍ରଶଂସକଙ୍କ  ହୃଦସ୍ପନଦ ବଢ଼ାଇ ଦେଇଥିଲା । ମରକ୍କୋ  ଯେମିତି ଆରମ୍ଭ କରିଥିଲା ତାହା ବେଶ  ଅଦ୍ଭୁତ ଥିଲା । ଇସମାଏଲ ସାଇବାରି ୨୧  ମିନିଟରେ ଗୋଲ୍‌ ଦେଇ ଦଳକୁ ୧-୦  ଗୋଲରେ ଅଗ୍ରଣୀ କରାଇଥିଲେ । ବ୍ରାହିମ  ଡାଏଜ ତାଙ୍କୁ ସହାୟତା କରିଥିଲେ ।  ଏତେ ସହଳ ବ୍ରାଜିଲ ପ୍ରଥମେ ଗୋଲ  ବରଣ କରିବା ପରେ ପ୍ରଶଂସକ ଏକ  ପ୍ରକାର ଭାଙ୍ଗି ପଡ଼ିଥିଲେ । ପୂରା ଷ୍ଟାଡିୟମ  ନିରବି ଯାଇଥିଲା । ଟିଭି ପରଦା ମାମ୍ନାରେ  ପ୍ରଶଂସକ ମୁହଁ ଶୁଖାଇ ବସିଥିଲେ ।  

୨୫ ବର୍ଷୀୟ ଇସମାଏଲଙ୍କ ଏହା  ପ୍ରଥମ ବିଶ୍ୱକପ୍‌ ଏବଂ ବିଶ୍ୱକପ୍‌ରେ ପ୍ରଥମ  ଗୋଲ୍‌ ଦେବାରେ ସଫଳ ହୋଇଥିଲେ ।  ୨୦୨୨ ବିଶ୍ୱକପ୍‌ରେ ବେଲଜିୟମ ପକ୍ଷରୁ  ଖେଳିବାର ପ୍ରସ୍ତାବ ମିଳିଥିଲା, ମାତ୍ର  ତାହାକୁ ସେ ଅଗ୍ରାହ୍ୟ କରି ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ରାଜିଲ  ଚାପଗ୍ରସ୍ତ ହୋଇଥିଲା । ବରାବର  ସ୍ଥିତିକୁ ଆସିବା ନେଇ ଜୋରଦାର  ପ୍ରୟାସ କରିଥିଲା । ଉଭୟ ଦଳ ୪-୨ ୩-୧ ରଣନୀତିରେ ଖେଳୁଥିଲେ । ୩୨  ମିନିଟରେ ବ୍ରୁନୋ ଗିମାରେଜଙ୍କ ଠାରୁ ସହାୟତା ପାଇ ଭିନିସିୟସ ଗୋଲ  ଦେବାରେ ସଫଳ ହୋଇଥିଲେ । ମ୍ୟାଚ  ବରାବର ହୋଇଥିଲା । ପ୍ରଶଂସକ ଆଶ୍ୱସ୍ତ  ହୋଇଥିଲେ ।

ଅଧିକ ପଢ଼ନ୍ତୁ :-  IND VS PAK: ପାକିସ୍ତାନ ଆଁ କରି ଚାହିଁକି ରହିଗଲା...ଏହି ବଡ଼ ଟର୍ଣ୍ଣିଂ ପଏଣ୍ଟ ଭାରତକୁ ୬୪ ରନ୍‌ରେ ଜିତାଇଲେ

ପରବର୍ତ୍ତୀ ସମୟ ଖେଳ ତୀବ୍ର  ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧର  ଅବଶିଷ୍ଟ ସମୟ ଓ ଦ୍ୱିତୀୟାର୍ଦ୍ଧରେ  ଖେଳ ଗୋଲଶୂନ୍ୟ ରହିଥିଲା । ହୁଏତ  ବ୍ରାଜିଲ ୩୨ ମିନିଟରେ ସ୍ଥିତି ବରାବର  କରିନଥିଲେ କିଛି ବି ଅଘଟଣ  ଘଟିଯାଇଥାନ୍ତା । ଏହି ମ୍ୟାଚରେ ବ୍ରାଜିଲର ଷ୍ଟାର ଖେଳାଳି ନେୟମାର ଏକାଦଶରେ ସ୍ଥାନ ପାଇନଥିଲେ । ସେ କେବଳ ବସି  ମ୍ୟାଚ ଦେଖିଥିଲେ । ଗ୍ରୁପ୍‌ ସି’ରେ ବ୍ରାଜିଲ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ  ରହିଛି । ସମାନ ୧ ପଏଣ୍ଟ ମରକ୍କୋ  ଦ୍ୱିତୀୟ ଏବଂ ସ୍କଟଲାଣ୍ଡ ୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି। ଏହି ମ୍ୟାଚ ପୂର୍ବରୁ  ଖେଳାଯାଇଥିବା କତାର-ସ୍ୱିଜରଲାଣ୍ଡ  ମ୍ୟାଚ ୧-୧ ଗୋଲରେ ଡ୍ର’ ରହିଥିଲା ।