ନୂଆଦିଲ୍ଲୀ,୨୬/୧୧; ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରଙ୍କୁ ୨୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରାଜିଲ ସୁପ୍ରିମକୋର୍ଟ । ୨୦୨୨ରେ ନିର୍ବାଚନରେ ପରାଜୟ ସତ୍ତ୍ୱେ କ୍ଷମତା ଛଡ଼ାଇବାକୁ ଚାହୁଁନଥିଲେ ବୋଲସୋନାର । ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବାକୁ ଷଡ଼ଯନ୍ତ୍ର କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ ବୋଲସୋନାରଙ୍କୁ ଷଡଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।​​​​​​​

ବୋଲସୋନାରଙ୍କୁ ଦଣ୍ଡାଦେଶ ପୂର୍ବରୁ ଦେଶରେ ଅନେକ ଲୋକଙ୍କୁ ଏପରି ହେବ ବୋଲି ଲାଗୁନଥିଲା ହେଲେ କ୍ଷମତା ପାଇଁ ସେ ଷଡ଼ଯନ୍ତ୍ର କରିଥିବା ପ୍ରମାଣ ମିଳିଛି । ସୁପ୍ରିମକୋର୍ଟର ବିଚାରପତି ଆଲେକଜାଣ୍ଡର ଡି ମୋରାଏସ୍ ରାୟ ଦେଇଛନ୍ତି ଯେ, ବୋଲସୋନାର ସେହି ଜେଲରେ ରହିବେ ଯେଉଁଠୁ ତାଙ୍କୁ ଗିରଫ କରାଯାଇଥିଲା । ବ୍ରାଜିଲର ଅପରାଧିକ  ଆଇନ ଅନୁଯାୟୀ, ୭୦ ବର୍ଷୀୟ ବୋଲସୋନାରଙ୍କୁ ସ୍ଥାନୀୟ ଜେଲ କିମ୍ବା ବ୍ରାସିଲିଆର ଏକ ସାମରିକ ପ୍ରତିଷ୍ଠାନକୁ ପଠାଯାଇପାରିଥାନ୍ତା । କିନ୍ତୁ ଜଷ୍ଟିସ୍ ମୋରାଏସ୍ କହିଛନ୍ତି ଯେ ବୋଲସୋନାରଙ୍କ ପ୍ରତିରକ୍ଷା ଦଳ ସୋମବାର ସମସ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଗୃହବନ୍ଦୀ ଦାବି ପ୍ରତ୍ୟାଖ୍ୟାନ- ବୋଲସୋନାରଙ୍କ ଓକିଲ ଅସୁସ୍ଥ ସ୍ୱାସ୍ଥ୍ୟାବସ୍ଥା କାରଣରୁ ଗୃହବନ୍ଦୀ ପାଇଁ ଅପିଲ୍ କରିଥିଲେ । ବୋଲସୋନାର ଅଗଷ୍ଟ ମାସରୁ ଗୃହବନ୍ଦୀ ଥିଲେ, କିନ୍ତୁ ତାଙ୍କ ପଳାୟନ ପ୍ରୟାସ ପରେ ତାଙ୍କୁ ଜେଲ ପଠାଯାଇଥିଲା । ସୁପ୍ରିମକୋର୍ଟର ଏକ ପ୍ୟାନେଲ ଗଣତନ୍ତ୍ରକୁ ହଟାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ବୋଲସୋନାରୋ ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ବିରୋଧରେ ଅଭିଯୋଗରେ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା, ଉପରାଷ୍ଟ୍ରପତି ଜେରାଲଡୋ ଆଲକମିନ୍ ଏବଂ ଜଷ୍ଟିସ୍ ମୋରେସଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ଏବଂ ୨୦୨୩ ପ୍ରାରମ୍ଭରେ ଏକ ବିଦ୍ରୋହକୁ ଉସୁକାଇବା ଅନ୍ତର୍ଭୁକ୍ତ ରହିଛି । ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ସେନା ଜେନେରାଲ, ଅଗଷ୍ଟୋ ହେଲେନୋ ଏବଂ ପାଉଲୋ ସେର୍ଗିଓ ନୋଗୁଏରା, ବ୍ରାସିଲିଆର ଏକ ସାମରିକ ପ୍ରତିଷ୍ଠାନରେ ସଜା କାଟୁଛନ୍ତି।