ଦାରିଙ୍ଗବାଡି,୨୬/୦୫: ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଭିଡିଓ ଭାଇରାଲ୍ ଘଟଣାକୁ ଚପାଇ ଦେବାକୁ ଚାଲିଛି ଉଦ୍ୟମ । ଖୋଦ୍ ତହସିଲଦାର୍ ଘଟଣାକୁ ଚାପି ଦେବାକୁ ଚେଷ୍ଟା ଚଳାଇଥିବା ସାଧାରଣରେ ଅଭିଯୋଗ ହୋଇଛି । ଲାଞ୍ଚ ଟଙ୍କାକୁ ସମସ୍ତେ ଭାଗ କରି ନେଉଥିବା କୁହାଯାଉଛି, ତେଣୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ଭିତିରିଆ ଷଡ଼ଯନ୍ତ୍ର ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଘଟଣାରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏହା ସହିତ ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ ଭାର ନଦେବାକୁ ମଧ୍ୟ ଦାବି କରିଛନ୍ତି ଅଞ୍ଚଳବାସୀ । ସୂଚନା ଥାଉକି, ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଜଣେ କିରାଣି ଜନ୍ମ ପଞ୍ଜୀକରଣ ପ୍ରମାଣପତ୍ର ପାଇଁ ୫୦୦ଟଙ୍କା ମାଗିଥିଲା । ଅଫିସ୍ର ପିଅନ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୫୦୦ଟଙ୍କା ନେଇ କିରାଣିଙ୍କ ଟେବୁଲ୍ ତଳେ ଥିବା ଡ୍ର’ ରଖିଥିଲେ । ତେବେ ଏହି ଲାଞ୍ଚ କାରବାର ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସାମ୍ନା ଆସିଥିଲା ।
ହାତୀମୁଣ୍ଡା ଅଞ୍ଚଳର ଯୁଗେଶ୍ୱର ବଳିଆରସିଂ ନିଜ ପିଲାର ବିଦ୍ୟାଳୟରେ ନାମଲେଖା ପାଇଁ ଜନ୍ମ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ୬ ମାସ ହେଲା ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ । ଶେଷରେ କିରାଣି ଜଣଙ୍କ ୫୦୦ଟଙ୍କା ଦେଲେ କାମ ହେଇଯିବ ବୋଲି ଯୁଗେଶ୍ବରଙ୍କୁ କହିଥିଲେ । ଟଙ୍କା ଦେବା ପରେ ତରୁନ୍ତ ଜନ୍ମ ପ୍ରମାଣପତ୍ର ମିଳିଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଯୁଗେଶ୍ବର ବଳିଆରସିଂ ।