ବଡ଼ୋଦରା: ଗୁଜୁରାଟର ବଡ଼ୋଦରା ଜିଲ୍ଲାରେ ଜୁଲାଇ ୯ ତାରିଖ ସକାଳେ ମହୀସାଗର ନଦୀ ଉପରେ ଥିବା ଗମ୍ଭୀରା ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ପୋଲ ଭାଙ୍ଗିବା ଯୋଗୁଁ ଦୁଇଟି ଟ୍ରକ, ଦୁଇଟି ଭ୍ୟାନ ଏବଂ ଏକ ଅଟୋରିକ୍ସା ସମେତ ପାଞ୍ଚଟି ଗାଡ଼ି ମହୀସାଗର ନଦୀକୁ ଖସି ପଡ଼ିଥିଲା। ବଡ଼ୋଦରା ଜିଲ୍ଲା କଲେକ୍ଟର ଅନିଲ ଧାମେଲିୟାଙ୍କ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆହତମାନଙ୍କୁ ବଡ଼ୋଦରାର ଏସଏସଜି ହସ୍ପିଟାଲ ସମେତ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଇଛି।
ସୂଚନା ମୁତାବକ, ଏହି ପୋଲ ଉଭୟ ବଡ଼ୋଦରା ଓ ଆନନ୍ଦ ଜିଲ୍ଲାକୁ ସଂଯୋଗ କରୁଥିଲା। ଏହି ପୋଲ ଉଭୟ ଜିଲ୍ଲା ମଧ୍ୟରେ ଏକ ପ୍ରମୁଖ ରାସ୍ତା ଥିଲା ଯାହା ଗଜୁରାଟକୁ ମଧ୍ୟ ସୌରାଷ୍ଟ୍ର ସହ ଯୋଡ଼ୁଥିଲା। ୧୯୮୧ରେ ନିର୍ମାଣ ଆରମ୍ଭ ହୋଇ ୧୯୮୫ରେ ଲୋକଙ୍କ ବ୍ୟବହାର ପାଇଁ ଖୋଲା ଯାଇଥିବା ଏହି ୯୦୦ ମିଟର ଲମ୍ବା ପୋଲର ୨୩ଟି ସ୍ପାନ ମଧ୍ୟରୁ ଏକ ସ୍ପାନ (୧୦-୧୫ ମିଟର ଲମ୍ବା) ଭାଙ୍ଗିଯାଇଛି। ୨୦୧୭ରେ କଂଗ୍ରେସ ପାର୍ଟି ଏହାର ବିଗୁଡ଼ିଥିବା ଅବସ୍ଥାକୁ ଦୃଷ୍ଟିରେ ରଖି ଭାରୀ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲା। କିନ୍ତୁ ସେହି ସମୟରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ “ଦୁଃଖଦାୟୀ” ବୋଲି ବର୍ଣ୍ଣନା କରି ମୃତକଙ୍କ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡ (PMNRF) ରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।
ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (NDRF), ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ (SDRF), ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ଓ ଗ୍ରାମବାସୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ଏକ ଟ୍ରକ ପୋଲର ଭାଙ୍ଗିଯାଇଥିବା ଅଂଶରେ ଝୁଲି ରହିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୁଜୁରାଟ ସରକାର ଏହି ଘଟଣାର କାରଣ ଅନୁସନ୍ଧାନ ପାଇଁ ରାସ୍ତା ଓ ନିର୍ମାଣ ବିଭାଗକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଯେଉଁଥିରେ ମୁଖ୍ୟ ଇଞ୍ଜିନିୟର ଏବଂ ଦୁଇଜଣ ବେସରକାରୀ ପୋଲ ନିର୍ମାଣକାରୀ ବିଶେଷଜ୍ଞ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲର ଅବସ୍ଥା ବିଗତ କିଛି ବର୍ଷ ଧରି ବହୁତ ଖରାପ ଥିଲା ଏବଂ ଏହାର ମରାମତି ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲା।
ଏହି ଦୁର୍ଘଟଣା ଗୁଜୁରାଟରେ ବିଗତ ତିନି ବର୍ଷ ମଧ୍ୟରେ ଛଅଟି ବଡ଼ ପୋଲ ଭାଙ୍ଗିବାର ଘଟଣା ମଧ୍ୟରୁ ଏକ ଅଟେ। ଯାହା ରାଜ୍ୟରେ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଛି।