କଟକ, ୦୪/୦୫: ଖାନନଗର ନିକଟରେ କାଠଯୋଡ଼ି ନଦୀରେ ନିର୍ମାଣାଧୀନ ପୋଲ ଆଜି ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସାଇଟ୍ ଇଞ୍ଜିନିୟର ବାଲେଶ୍ୱରର ସୌମ୍ୟରଞ୍ଜନ ମଲ୍ଲିକ, ଅନ୍ୟତମ ଇଞ୍ଜିନିୟର ଗଞ୍ଜାମର ଶିବଶଙ୍କର ପଟ୍ଟନାୟକ ଓ ପଶ୍ଚିମବଙ୍ଗର ଶ୍ରମିକ ସୁବାସ ଚନ୍ଦ୍ର ଭକ୍ତ । ଦୁଇଟି ବଡ଼ କ୍ରେନ୍ ଏକ କଂକ୍ରିଟ୍ ଗାର୍ଡର୍କୁ ଉଠାଇ ପିଲାର୍ ବା ଖୁଣ୍ଟ ଉପରେ ରଖିବା ବେଳେ ଏଭଳି ଅଘଟଣ ଘଟିଛି । ହଠାତ୍ ଗୋଟିଏ କ୍ରେନ୍ ଭାଙ୍ଗି ପଡ଼ିବାରୁ କଂକ୍ରିଟ୍ ଗାର୍ଡର (ବିମ୍) ଓ କ୍ରେନ୍ ତଳେ ୫ ଜଣ ଚାପି ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସ୍ସିବି ଟ୍ରମା ୱାର୍ଡରେ ଭର୍ତ୍ତି କରାଯାଇଛି । ଆହତ ଦୁହେଁ ପୁରୀ ଗଡ଼ିଶାଗଦା ଥାନା ଅଞ୍ଚଳର କ୍ରେନ୍ ଅପରେଟର୍ ଅରୁଣ କୁମାର ବାରିକ ଓ ଆଠଗଡ଼ ବଲାରପୁରର ଶ୍ରମିକ ବିମଳ ଜେନା ବୋଲି ସୂଚନା ମିଳିଛି । ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କାଳେ କ୍ରେନ୍ କିମ୍ବା କଂକ୍ରିଟ୍ ଗାର୍ଡର୍ ତଳେ ଆଉ କେହି ଚାପି ହୋଇ ରହିଥିବେ ତାହା ଯାଞ୍ଚ୍ କରାଯାଇଛି ।
ସେହିପରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ଡିସିପି ଖିଲାରି ଋଷିକେଶ ଦ୍ୟାନ୍ଦେଓ ପହଞ୍ଚି ଘଟଣାର ଛାନ୍ଭିନ୍ କରିଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ଏସ୍ସିବିରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଏ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ତୁରନ୍ତ ଏକ ତଦନ୍ତ କମିଟି ଗଠନ ହୋଇଛି । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏସ୍ସିବି ଆସି ଆହତଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି ।
ଗଲା ୮ ମାସ ମଧ୍ୟରେ କଟକର ଦୁଇଟି ବଡ଼ ନିର୍ମାଣ ସ୍ଥଳରେ ଏଭଳି ଦୁଇଟି ଅଘଟଣ ଘଟିଲାଣି । ଏଇଟି ଦ୍ୱିତୀୟ । ଗତ ଅଗଷ୍ଟ ରେ ଏସ୍ସିବି ନବକଳେବର ଓ ସଂପ୍ରସାରଣ କାମରେ ମଧ୍ୟ କ୍ରେନ୍ ଭାଙ୍ଗିପଡ଼ିଥିଲା । ମିଳିଥିବା ତଥ୍ୟ ଅନୁସାରେ, ଖାନ୍ନଗର ମଲାଚଣ୍ଡିଆ ଛକ ଅର୍ଥାତ୍ ନେତାଜୀ ବସ୍ ଟର୍ମିନାଲ୍ ସମ୍ମୁଖରୁ ଖାନ୍ନଗର ମଣିମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକୁ ୬ ଲେନ୍ କରାଯାଉଛି । ପୂର୍ବରୁ ଥିବା ନଦୀ ବନ୍ଧ ରାସ୍ତାକୁ ତିନି ଲେନ୍ ଓ ନଦୀବନ୍ଧ କଡ଼ରେ ସମାନ୍ତରାଳ ଭାବେ ୩ ଲେନ୍ର ବ୍ରିଜ୍ ନିର୍ମାଣ ହେଉଛି । ନଦୀ ବନ୍ଧକୁ ଚଉଡ଼ା କରି ଆଉ ୩ ଲେନ୍ ରାସ୍ତା ନିର୍ମାଣ କରାଯିବା ସମ୍ଭବପର ନଥିବାରୁ ରାସ୍ତାର ସମାନ୍ତରାଳ ଭାବେ ବ୍ରିଜ୍ଟି ତିଆରି ହେଉଛି । ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଏକ ନିର୍ମାଣ ସଂସ୍ଥା ଏହି କାମ କରୁଛି । ବ୍ରିଜ୍ ପାଇଁ ଆବଶ୍ୟକ ଖୁଣ୍ଟ ବା ପିଲାର୍ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ନିର୍ମାଣ ସରିଲାଣି । ତେଣୁ ବ୍ରିଜ୍ରେ ଗାର୍ଡର୍ (ଖୁଣ୍ଟରୁ ଖୁଣ୍ଟକୁ ଯୋଡ଼ୁଥିବା କଂକ୍ରିଟ୍ ବିମ୍) ପକାଇବା କାମ ଗଲା ୧୫ ଦିନ ହେବ ଆରମ୍ଭ ହୋଇଛି ।
ଇତିମଧ୍ୟରେ ୩ଟି ଖୁଣ୍ଟକୁ ସଂଯୋଗ ପାଇଁ ୧୦ଟି ସିମେଣ୍ଟ ସ୍ଲାବ୍ ପଡ଼ିସାରିଛି । ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମୁତାବକ, ଆଜି ଖାନ୍ନଗରସ୍ଥିତ ମଞ୍ଜୁଲତା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ବୁରୁଜ ପାଖରେ ସ୍ଲାବ୍ ପକାଯିବା କାମ କରାଯାଉଥିଲା । ଦୁଇଟି ବଡ଼ କ୍ରେନ୍ କଂକ୍ରିଟ୍ ଗାର୍ଡରକୁ ଉଠାଇ ଦୁଇଟି ଖୁଣ୍ଟ ବା ପିଲାର ଉପରେ ରଖୁଥିଲା । ପୂର୍ବାହ୍ନରେ ଗୋଟିଏ ଗାର୍ଡର ଠିକ୍ ଢଙ୍ଗରେ ରଖାଯାଇଥିଲା । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଆଉ ଏକ ଗାର୍ଡରକୁ କ୍ରେନ୍ ଦୁଇଟି ଏକସମୟରେ ଉପରକୁ ଉଠାଉଥିଲା । ଏହି ସମୟରେ ତଳେ ଇଂଜିନିୟର ସୌମ୍ୟରଂଜନ ମଲ୍ଲିକ ଓ ଇଂଜିନିୟର ଶିବଶଙ୍କର ପଟ୍ଟନାୟକଙ୍କ ସହିତ କିଛି ଶ୍ରମିକ ମଧ୍ୟ ଥିଲେ । ଗୋଟିଏ ପଟ କ୍ରେନ୍ ଉକ୍ତ ସ୍ଲାବ୍କୁ ସାମାନ୍ୟ ଉପରକୁ ଉଠାଇ ଦେବାରୁ କ୍ରେନ୍ ଦୁଇଟି ହଲ୍ଚଲ୍ ହେଲା । ସମ୍ଭବତଃ ପାଖରେ ବୁରୁଜ ଥିବାରୁ ଏଭଳି ହୋଇଥିଲା । ଏପରିକି ଗୋଟିଏ କ୍ରେନ୍ର ଲୁହା ଚେନ୍ ଛିଡ଼ିପଡ଼ିବାରୁ ତାହା ଭାରସାମ୍ୟ ହରାଇ କାଠଯୋଡ଼ି ନଦୀ ଭିତରକୁ ମୋଡ଼ି ହୋଇ ପଡ଼ିଲା ।
ସେହିପରି ଦୁଇ କ୍ରେନ୍ ଦ୍ୱାରା ଝୁଲୁଥିବା କଂକ୍ରିଟ୍ ଗାର୍ଡର ମଧ୍ୟ ତଳେ ଭାଙ୍ଗି ଖସିପଡ଼ିଲା । ହଠାତ୍ ଗାର୍ଡର୍ ଖସିପଡ଼ିବାରୁ ତଳେ ଥିବା ଇଂଜନିୟର ଓ ଶ୍ରମିକମାନେ ସେଠାରୁ ଘୁଞ୍ଚିଯିବାକୁ ସମୟ ପାଇଲେ ନାହିଁ । ଫଳରେ ଗାର୍ଡର ଓ କ୍ରେନ୍ର ଭଙ୍ଗା ଅଂଶ ତଳେ ସେମାନେ ଚାପି ହୋଇଗଲେ । ପାଖରେ ଥିବା ଅନ୍ୟ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଏସ୍ସିବି ନେଇଗଲେ । ମାତ୍ର ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କଲେ । ଅନ୍ୟ ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ଆରମ୍ଭ ହେଲା । ହେଲେ ଚିକିତ୍ସାର ଘଣ୍ଟାଏ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଗଲା । ଅନ୍ୟ ଦୁଇ ଜଣଙ୍କୁ ଟ୍ରମା ୱାର୍ଡରେ ଚିକିତ୍ସା କରାଯାଉଛି । ଏସ୍ସିବିର ବରିଷ୍ଠ ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ସୋଫିଆ ଫିରଦୋସ ଓ ମେୟର ସୁବାସ ସିଂହ ପ୍ରମୁଖ ଏସ୍ସିବିରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଜିମା ଦିଆଯିବ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଠିତ ତଦନ୍ତ କମିଟି ପ୍ରାଥମିକ ଛାନ୍ଭିନ୍ ଆରମ୍ଭ କରିଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ଏସ୍ସିବି ଯାଇ ଆହତ ଓ ଅନ୍ୟମାନଙ୍କଠାରୁ ଘଟଣା ସମ୍ପର୍କରେ ପ୍ରାଥମିକ ଭାବେ ପଚରାଉଚରା କରି ତଥ୍ୟ ସଂଗ୍ରହ କରିଛନ୍ତି । କାଲି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ସ୍ଥଳରେ ଏକ କ୍ୟାମ୍ପ୍ କରାଯାଇ କାମରେ ନିୟୋଜିତ ଥିବା ଶ୍ରମିକଙ୍କ କାଗଜପତ୍ର ଯାଞ୍ଚ ହେବ । ସେହିପରି ବୈଷୟିକ ଦିଗକୁ ପୂର୍ତ୍ତ ବିଭାଗ ଡିଭିଜନ୍-୨ର ଅଧୀକ୍ଷଣ ଯନ୍ତ୍ରୀ ତଦାରଖ କରିବେ ।