ରାଇରଙ୍ଗପୁର,୧୪/୧୦ : ଡଷ୍ଟର ଛିଣ୍ଡାଇଲା ବୋଲି ଆଦିବାସୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଦୁର୍ଦ୍ଦୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଦୁର୍ଦ୍ଦୁରା ଗାଁର ଆଦିବାସୀ ଛାତ୍ରକୁ ଡଷ୍ଟର ଛିଣ୍ଡେଇବା ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବେହେରା ଅଫିସ୍‌କୁ ଡକାଇ ନିସ୍ତୁକ ମାଡ଼ ମାରିବା ସହ ଅଫିସ୍‌ ବାହାରେ ମଧ୍ୟ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏକ ସ୍କେଲ ସାହାଯ୍ୟରେ ପ୍ରବଳ ମାଡ଼ ମାରିଥିଲେ ।

ଫଳରେ ପିଲାଟିକୁ ଜ୍ବର ଆସି ଯାଇଥିଲା । ଏଭଳି ଅମାନୁଷିକ ଅତ୍ୟାଚାର ପ୍ରଧାନ ଶିକ୍ଷକ କରିଥିବାରୁ ଛାତ୍ରଟିର ପିତାମାତା ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଏହି ଘଟଣା ନେଇ ଏକ ବୈଠକ କରି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କର ଏପରି ଆଚରଣକୁ ନିନ୍ଦା କରିବା ସହ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରେ ଲିଖିତ ଭାବେ ଦାବି କରିଥିବାବେଳେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବେହେରା ମାଡ଼ ମରା କଥାକୁ ଏଡ଼ାଇ ଦେଇ କେବଳ ଛାତ୍ର ଜଣଙ୍କୁ ତାଗିଦ କରିଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।