କଟକ,୦୨/୧୧:  ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି  କରାଇବାକୁ ହେଲେ ଘୋଷା ପଦ୍ଧତିରୁ ମୁକ୍ତ କରି ସେମାନଙ୍କର ବୋଧ ଶକ୍ତିର ବିକାଶ ହେବାର  ଆବଶ୍ୟକ ବୋଲି ମାଧ୍ୟମିକ ପରିଷଦ(ବୋର୍ଡ)  କର୍ତ୍ତୃପକ୍ଷ ହୃଦୟଙ୍ଗମ କରିଛନ୍ତି । ତେଣୁ ମାଧ୍ୟମିକ ଶିକ୍ଷା  ବ୍ୟବସ୍ଥାରେ ଅଧ୍ୟୟନରତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ  କିପରି ସିବିଏସ୍‌ଇ ବିଦ୍ୟାର୍ଥୀଙ୍କ ପରି ଜାତୀୟ ସ୍ତରରେ  ଦକ୍ଷତା ପ୍ରଦର୍ଶନ କରିବେ ସେଥିଲାଗି ବୋର୍ଡ କର୍ତ୍ତୃପକ୍ଷ  ଏନ୍‌ସିଇଆର୍‌ଟିର ଗାଇଡ୍‌ଲାଇନ୍‌କୁ ଅନୁକରଣ କରିଛନ୍ତି । 

ସିବିଏସ୍‌ଇର ଦଶମ ବୋର୍ଡ ପରୀକ୍ଷାରେ ଆସୁଥିବା  ପ୍ରଶ୍ନ ପରି ମାଟ୍ରିକ୍‌ ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ  ପ୍ରଶ୍ନପତ୍ର ଆସିବ । ଅନ୍ୟପକ୍ଷରେ ଦକ୍ଷତା ଭିତ୍ତିକ  ପ୍ରଶ୍ନାବଳୀ ପ୍ରସ୍ତୁତ ହେଉଥିବାରୁ ଶିକ୍ଷକମାନେ  ପିଲାମାନଙ୍କୁ ଶ୍ରେଣୀ ଗୃହ ପାଠପଢ଼ା ଉପରେ ଗୁରୁତ୍ୱ  ଦେବାକୁ ବାଧ୍ୟ ହେବେ ବୋଲି ଜଣେ ଶିକ୍ଷାଧିକାରୀ  କହିଛନ୍ତି । ଏହି ଅବସରରେ ବୋର୍ଡ କାର୍ଯ୍ୟାଳୟରେ  କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସଚ୍ଚିନ୍ଦ୍ରନ୍‌ କେ.  ଏସ୍‌, ଦିଲ୍ଲୀ ସ୍ଥିତ ଏନ୍‌ସିଇଆରଟି-ପରଖର  ବରିଷ୍ଠ ଅଧିକାରୀ ବିବେକ ଗୁପ୍ତାଙ୍କୁ ଏକ ୫ଦିନିଆ  କର୍ମଶାଳା ଆୟୋଜିତ ହୋଇଛି । ଗତକାଲିଠାରୁ  ଆରମ୍ଭ ହୋଇଥିବା ଉକ୍ତ କର୍ମଶାଳାକୁ ବୋର୍ଡ  ସଭାପତି ଶ୍ରୀକାନ୍ତ ତରାଇ ଉଦ୍‌ଘାଟନ କରିଥିଲେ ।  ଏଥିରେ ରାଜ୍ୟର ୫୮ ଜଣ ଏକ୍ସପର୍ଟଙ୍କୁ ଆସନ୍ତା  ୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ  ଓ ଏନ୍‌ସିଆରଟିର ଅଧିକାରୀ ଏକ୍ସପର୍ଟଙ୍କୁ ନୂତନ  ଢାଞ୍ଚାରେ ହେବାକୁ ପ୍ରଶ୍ନପତ୍ର ପ୍ରସ୍ତୁତି କୌଶଳ  ସମ୍ପର୍କରେ ପରାମର୍ଶ ଦେଇଥିଲେ । ପ୍ରାଥମିକ  ପର୍ଯ୍ୟାୟରେ କେବଳ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ  ପାଇଁ ବୋର୍ଡ ପକ୍ଷରୁ କୋଶ୍ଚିନ୍‌ ବ୍ୟାଙ୍କ୍‌ ପ୍ରସ୍ତୁତ  କରାଯାଉଛି । ଏହା ପ୍ରସ୍ତୁତ ପରେ ଖୁବଶୀଘ୍ର ବୋର୍ଡ  ୱେବ୍‌ସାଇଟ୍‌ରେ ଉପଲବ୍‌ଧ କରାଯିବ । ଫଳରେ  ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦଶମ  ଶ୍ରେଣୀ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକମାନେ ବୋର୍ଡ  ୱେବ୍‌ସାଇଟରେ ଉପଲବ୍‌ଧ କୋଶ୍ଚିନ୍‌ ବ୍ୟାଙ୍କ୍‌ର  ଏକାଧିକ ପ୍ରଶ୍ନ ଅନୁକରଣ କରିପାରିବେ ବୋଲି  ସୂଚନା ମିଳିଛି । ଏହି କୋଶ୍ଚିନ୍‌ ବ୍ୟାଙ୍କ୍‌ ପ୍ରସ୍ତୁତିରେ  ଅଭିଜ୍ଞ ଶିକ୍ଷକଙ୍କୁ ସାମିଲ୍‌ କରାଯାଇଥିବା ସୂଚନା  ମିଳିଛି । ଏହି କାର୍ଯ୍ୟକ୍ରମରେ ବୋର୍ଡର ଉପସଭାପତି  ଅମୂଲ୍ୟ ପ୍ରଧାନ, ସମ୍ପାଦକ ସରୋଜ ବେହେରାଏଷ୍ଟାବ୍ଲିସମେଣ୍ଟ ଅଫିସର ବୁଲ୍‌ବୁଲ୍‌ ବେହେରାପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ଓ  ଏକାଡେମିକ୍‌ ଅଧିକାରୀ ଡ. ସୁଶାନ୍ତ ମହାପାତ୍ର ପ୍ରମୁଖ  ଏକ୍ସପର୍ଟମାନଙ୍କ ସହ ସମନ୍ୱୟ ରକ୍ଷା କରି କୋଶ୍ଚିନ୍‌  ବ୍ୟାଙ୍କ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରୁଛନ୍ତି ।