କେନ୍ଦୁଝର ସଦର, ୧୯/୧୨ ( ବରେନ୍ଦ୍ର କୁମାର ପରିଡ଼ା) : ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ନିର୍ଭର। ଜଙ୍ଗଲରେ ସୃଷ୍ଟି ହେଉଥିବା ନାନା ପ୍ରକାରର ଛତୁ, ଫଳମୂଳ, ପିତାଳୁ, ଶାଗ, ଗିଲିରିଫୁଲ ଆହୁରି କେତେ କ'ଣ ଖାଇ ଜୀବନ ନିର୍ବାହ କରନ୍ତି ସେମାନେ। ସେହିପରି ଆଦିବାସୀଙ୍କ ଆଉ ଏକ ପ୍ରିୟ ଖାଦ୍ୟ କାଈ ପିମ୍ପୁଡ଼ି। ଏଥିରେ ଭରି ରହିଛି ଔଷଧୀୟ ଗୁଣ। ଏହା ସ୍ଵାଦ ସାମାନ୍ୟ ଖଟା। କାଈ ପିମ୍ପୁଡ଼ି ଖାଇଲେ ଦେହରୁ ଥଣ୍ଡା, ସର୍ଦ୍ଦି କାଶ, କଫ ଭଲ ହୋଇଯାଏ। କାଈ ପିମ୍ପୁଡ଼ିକୁ ହାତରେ ମଷ୍ଟି ଶୁଙ୍ଘିଲା ପରେ ଖୁବ୍ କମ୍ ସମୟରେ ଥଣ୍ଡା ଉଭାନ ହୋଇଯାଏ। ଏହାକୁ ସଂଗ୍ରହ କରିବା ଏତେ ସହଜ ହୋଇନଥିଲେ ମଧ୍ୟ ଆଦିବାସୀ ଲୋକେ ଜଙ୍ଗଲକୁ ଯାଇ ବହୁ କଷ୍ଟରେ ସଂଗ୍ରହ କରିଥାନ୍ତି।
କାଈର ବସା ଗୁଡ଼ିକ ଅଧିକାଂଶ ଶାଳ, ଆମ୍ବ ଗଛ ପତ୍ରରେ ବାନ୍ଧିଥିବା ଦେଖିବାକୁ ମିଳିଥାଏ। ଗୁଚ୍ଛ ଗୁଚ୍ଛ ପତ୍ରରେ ପତୁଆ ପତୁଆ ହୋଇ କାଈ ବସା ବାନ୍ଧିଥାନ୍ତି। ସେହି ବସାକୁ ଭାଙ୍ଗି ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି କରି କାଈକୁ ସଂଗ୍ରହ କରିବାକୁ ପଡ଼ିଥାଏ। ସଂଗ୍ରହ ବେଳେ କାଇ ଗୁଡିକ ଆଖି କାନରେ ପଶି କାମୁଡନ୍ତି। ତେଣୁ ସତର୍କତା ଅବଲମ୍ବନ କରି କାଈ ସଂଗ୍ରହ କରିବାକୁ ପଡୁଛି। ୨୫ରୁ ୩୦ ବସା ଭାଙ୍ଗିଲା ପରେ ଏକ କେଜି ପାଖାପାଖି କାଈ ସଂଗ୍ରହ ହେଉଛି। ଏହି କାଈକୁ ଆଦିବାସୀମାନେ ହାଟ ବଜାରରେ ଶାଳ ପତ୍ରରେ ଭାଗ ବସାନ୍ତି। ଏକ ଭାଗକୁ ୨୦ ଟଙ୍କା ଏବଂ କିଲୋ ୪୦୦ ଟଙ୍କାରେ ବିକ୍ରୟ କରନ୍ତି। କେବେ କେବେ କାଈ ବିକ୍ରି ହେଉଥିବାରୁ କାଈ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବି ବେଶ ଆଗ୍ରହ ରହିଥାଏ।