କାମାକ୍ଷାନଗର,୦୫/୦୨: ରାତିରେ ଫସଲ ଖାଇବାକୁ ବାଡ଼ଭାଙ୍ଗି ପଶିବା ବେଳେ ବେକରେ ଲାଖି ରହିଲା ସାଇକେଲ୍ । ରାତିସାରା ସେମିତି ବେକରେ ସାଇକେଲ୍‌କୁ ଧରି ଏପଟସେପଟ ହୋଇ କଲବଲ ହୋଇଥିଲା । ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଦୁଇଘଣ୍ଟାର ପରିଶ୍ରମ ପରେ ଷଣ୍ଢ ବେକରୁ ସାଇକେଲ୍ କାଢ଼ିଥିଲେ ।

ସୂଚନା ଅନୁଯାୟୀ, କାମାକ୍ଷାନଗର ସହର ନିକଟସ୍ଥ ଜିରିଡ଼ାମାଳି ଗ୍ରାମର ତୁଷାର ଦେହୁରୀ ତାଙ୍କ ବାଡ଼ିରେ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ମଙ୍ଗଳବାର ରାତିରେ ଏକ ଷଣ୍ଢ ଫସଲ ଖାଇବାକୁ ବାଡ଼ଭାଙ୍ଗି ପଶିଥିଲା । ଅନ୍ଧାରରେ ଦେଖି ନପାରି ବାଡ଼କୁ ଲାଗି ରହିଥିବା ସାଇକେଲ୍ ମଝିରେ ଷଣ୍ଢ ମୁଣ୍ଡ ଗଳାଇ ଦେଇଥିବା ବେଳେ ଆଉ ବାହାର କରିପାରିନଥିଲା । ବେକରେ ସାଇକେଲ୍ ସେମିତି ଲାଖି ରହିଥିଲା । ବେକରୁ ସାଇକେଲ୍ କାଢ଼ିବାକୁ ରାତିସାରା ଷଣ୍ଢ କଲବଲ ହୋଇଥିଲା । କେଉଁଆଡ଼େ ଯାଇନପାରି ସେଠାରେ ଏପଟସେପଟ ହେଉଥିଲା । ଶ୍ରୀ ଦେହୁରୀଙ୍କ ପରିବାର ଏହା ଦେଖିବା ପରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଗ୍ରାମବାସୀ ବହୁ ଉଦ୍ୟମ କରିବା ସତ୍ତେ୍ୱ ଷଣ୍ଢ ବେକରୁ ସାଇକେଲ୍ କାଢ଼ି ପାରିନଥିଲେ । କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ରଶିରେ ଷଣ୍ଢକୁ କାବୁ କରି ଦୀର୍ଘ ଦୁଇଘଣ୍ଟାର ପରିଶ୍ରମ ପରେ ସାଇକେଲ୍‌କୁ କାଢ଼ିଥିଲେ । ବେକରୁ ସାଇକେଲ୍ ବାହାରିବା ପରେ ଷଣ୍ଢ ଆଶ୍ୱସ୍ତ ହୋଇ ଅଞ୍ଚଳ ଛାଡ଼ି ପଳାଇଥିଲା ।