ନୂଆଦିଲ୍ଲୀ,୦୬/୦୩: ଆନ୍ଧ୍ର ପ୍ରଦେଶର ଏଲୁରୁରେ ଭୟଙ୍କର  ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ୍। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି। 

ଏହା ମଧ୍ୟ ପଢନ୍ତୁ- ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା, ୬ ମୃତ

ସୂଚନା ମୁତାବକ, ଏକ ଘରୋଇ ବସ୍ ୩୦ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ଆନ୍ଧ୍ର ପ୍ରଦେଶର ଏଲୁରୁ ଦେଇ  କାକିନାଡା ଯାଉଥିଲା ।  ସେହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ପଛରୁ ଆସି ବସଟିକୁ ଧକ୍କା ଦେଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା । ବସ୍ ଓଲଟି ପଡ଼ିବାରୁ ତୁରନ୍ତ କିଛି ଯାତ୍ରୀ ଝରକା ଦେଇ ବାହାରକୁ ଆସି ଯାଇଥିବା ବେଳେ  ବସ୍ ଭିତରେ କିଛି ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। 

ସେପଟେ ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରକାଶ ଥାଉକି,  ଏଲୁରୁ ବ୍ୟତୀତ ଚିତ୍ତୁର ଜିଲ୍ଲାର ମଦିମାଡୁଗୁ ଘାଟ ଅଞ୍ଚଳରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପ୍ରାୟ ୫୦ ଫୁଟ ଗଭୀର ଖାଇରେ ଖସିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବେଙ୍ଗାଲୁରୁରୁ ଏଲୁରୁ ଯାଉଥିବା ସମୟରେ ଟ୍ରକଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ମାଛ ଖାଦ୍ୟ ଲୋଡ୍ କରାଯାଇଥିଲା, କିନ୍ତୁ ମୋଡ଼ ନେବା ସମୟରେ ହଠାତ୍ ବ୍ରେକ୍ ଫେଲ୍ ହେବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ଖାଇରେ ପଡ଼ିଯାଇଥିଲା।ଫଳରେ  ଘଟଣାସ୍ଥଳରେ ଡ୍ରାଇଭର ଏବଂ କ୍ଲିନରଙ୍କ ମୃତ୍ୟୁ ହୋଇଥିଲା।