ରାଇରଙ୍ଗପୁର,୨/୧ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୁଲିସ ସର୍କଲ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀ ବନ୍ଦ ନିକଟରେ ବସ୍ ସହ ବାଇକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀ ବନ୍ଦଠାରେ ୨୨୦ନମ୍ବର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଏକ ବାଇକରେ ବସିଥିବା ତିନି ଜଣ ଯୁବକ ଏକ ଘରୋଇ ବସକୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସମସ୍ତ ଯୁବକ ଉକ୍ତ ମୋଟର ସାଇକେଲରେ ଯଶିପୁର ଆଡୁ ରାଇରଙ୍ଗପୁର ଆସୁଥିବାବେଳେ ରାଇରଙ୍ଗପୁର ବସ ଷ୍ଟାଣ୍ଡରୁ କେନ୍ଦୁଝର ଅଭିମୁଖେ ବାହାରିଥିବା ବସ ସହିତ ଧକ୍କା ହୋଇଥିଲା।

ଏଥିରେ ବାଇକ ଆରୋହୀ ଯୁବକମାନଙ୍କୁ ପ୍ରାୟ ବସଟି ଏକ ଶହ ମିଟର ଯାଏ ଘୋଷାଡି ନେଇଥିବାବେଳେ ଜଣେ ବସରେ ଲାଗି ରହିଥିଲା। ତାଙ୍କୁ କଟରରେ ଅଗ୍ନିଶମ ବିଭାଗ କାଟି ଯୁବକକୁ ବାହାର କରିଥିଲେ। ସମସ୍ତ ତିନି ଜଣ ଯୁବକ ତିରୀଙ୍ଗ ଥାନା ଅଞ୍ଚଳର ବୋଲି ଆଲୋଚନା ହେଉଛି।

ପ୍ରକାଶ ଯେ, ଉପଖଣ୍ଡ ଦେଇ ୨୨୦ନମ୍ୱର ବିଜୟୱାଡା ରାଞ୍ଚି ଜାତୀୟ ରାଜପଥ ଯାଇଛି । ଉକ୍ତ ଜାତୀୟ ରାଜପଥ ଦେଇ ଶହ ଶହ ଭାରିଯାନ ଡ଼ୁବୁରୀ ଶିଳ୍ପାଞ୍ଚଳ ହେଉ କି କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣିରୁ ପ୍ରତ୍ୟେକ ଦିନ ରାତି ଚଳାଚଳ କରୁଛି । ଉକ୍ତ ଭାରିଯାନ ହେଉ କି ଯାତ୍ରୀବାହି ବସ୍ ଚାରି ଚକିଆ ଗାଡ଼ି ଚଳାଚଳ ନେଇ ଭିଭାଗୀୟ କର୍ତ୍ତୃପକ୍ଷଙ୍କ ଲଗାମ ନାହିଁ କିମ୍ବା ଜାତୀୟ ରାଜପଥ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଅତି ନିମ୍ନ ମାନର ରାସ୍ତା କାମ ପାଇଁ ଦୈନିକ ଯଶିପୁରଠାରୁ ତିରିଂ ଥାନା ରାଇରଙ୍ଗପୁରଠାରୁ ଭାୟା ବିଶୋଇ କୁରୁକୁଟିଆ ଛକ ମଧ୍ୟରେ ଦୁର୍ଘଟଣା ବଢୁଛି । ଏଥିପ୍ରତି କାହାରି ନିଘା ନ ଥିବା ପାରିଲା ପଣିଆ ଦର୍ଶାଉଛି । ଗତ କାଲି ସନ୍ଧ୍ୟା ସମୟରେ ବିଶୋଇ ଅଞ୍ଚଳରେ ଦୁଇ ଜଣ ଦୁର୍ଘଟଣାରେ ଶିକାର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଠିକ୍ ସେହିପରି ରାଇରଂଗପୁର ଗ୍ରାମାଞ୍ଚଳରେ ଥାନା ମୁଣ୍ଡା ଠାକୁରା ଗ୍ରାମଠାରେ ମଧ୍ୟ ଦୁର୍ଘଟଣା ଘଟି ଜଣେ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଅଛି । ଅନ୍ୟ ଏକ ଘଟଣାକ୍ରମରେ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ମାଛ କାନ୍ଦଣା ଘାଟିର ଗତକାଲି ଦୁର୍ଘଟଣାରେ ବାଇକଲା ଗ୍ରାମର ଶିକ୍ଷିତ ଯୁବକ ମୃତ୍ୟୁ ହୋଇଛି ।