ବାଙ୍ଗିରିପୋଷି,୧୮/୧୦: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଲା ଦୁର୍ଘଟଣା । ଏକ କାର୍ ଉପରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଦ୍ୱାରଶୁଣି ଘାଟି ରାସ୍ତାରେ ଏକ କାର୍ ଯୋଗେ ଦେବକାନ୍ତ ମହାପାତ୍ର ଓ ହିତେଶ ବିଶ୍ୱାଳ ନାମକ ଦୁଇ ଜଣ ବାରିପଦା ଅଭିମୁଖେ ଯାଉଥିଲେ । ଏତିକି ବେଳେ ଶ୍ରୀଗଣେଶ ନାମକ ଏକ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଆସି କାର୍କୁ ଓଭରଟେକ କରିବାକୁ ପ୍ରୟାସ କରିଥିଲା । ଫଳରେ ବସ୍ଟିର ବ୍ରେକ୍ ଫେଲ୍ ହୋଇଥିଲା । ଉକ୍ତ କାର୍ ଉପରେ ବସ୍ଟି ଓଲଟି ପଡିଥିଲା । ଫଳରେ ୫ରୁ ଉର୍ଦ୍ଧ୍ୱ ବସ୍ ଯାତ୍ରୀଙ୍କ ସହ କାର୍ ଚାଳକ ଓ ତାଙ୍କ ସହଯୋଗୀ ଆହତ ହୋଇଥିଲେ । ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବାରିପଦା ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ବସ୍ଟି କିପରି ଦୁର୍ଘଟଣା ଘଟାଇଲା ତାର ତଦନ୍ତ ଜାରି ରଖିଛି ।