ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି I ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି I ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି I ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି ।

ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ ୧୦୦% ବୃଦ୍ଧି ପାଇଛି। କମ୍ପାନୀର କାର୍ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧ‌ିକ । ମାରୁତି ସୁଜୁକିର ବୁକିଂ ଦେଢ଼ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ଖୁବଶୀଘ୍ର ଦୁଇ ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି । ଚଳିତ ନବରାତ୍ରୀର ଶେଷ ଦିନରେ କମ୍ପାନୀ ୮୫ ହଜାର ଗାଡ଼ି ବିକ୍ରି କରିଛି ।

ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି ଲକ୍ଷ ୬୫ ହଜାର ବାହନ ବିକ୍ରି କରିଛି I ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ ୩୦ ହଜାର କାର ବିକ୍ରି କରିଥିଲା ଯାହା ବିଗତ ୩୫ ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ । ଏକ୍ସୟୁଭି 700 ଏବଂ ସ୍କର୍ପିଓ ଏନ୍ ଭଳି ଲୋକପ୍ରିୟ ଏସୟୁଭି କାର୍ ବିକ୍ରି କରୁଥିବା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପୂର୍ବବର୍ଷ ତୁଳନାରେ ୬୦% ଅଧ‌ିକ ଗାଡ଼ି ବିକ୍ରି କରିଛି । ହ୍ୟୁଣ୍ଡାଇର କ୍ରେଟା ଏବଂ ଭେନ୍ୟୁ ଭଳି ଏସୟୁଭିର ମୋଟ୍ ବିକ୍ରିରେ ୭୨% ବୃଦ୍ଧି ଦେଖାଯାଇଛି । ପାର୍ବଣ ଋତୁରେ ଟାଟା ମୋଟର୍ସ ୫୦,୦୦୦ ଗାଡ଼ି ବିକ୍ରି କରିଛି । ଅଲଟ୍ରୋଜ୍, ପଞ୍ଚ, ନେକ୍ସନ ଓ ଟିଆଗୋ ମଡେଲର ଚାହିଦା ଅଧିକ ରହିଛି ।

ସେହିପରି ହିରୋ ମୋଟ୍ କର୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି । ବଜାଜ ଅଟୋ ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ବୃଦ୍ଧି ପାଇଛି ।

ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଲଜି, ହାୟର ଓ ଗୋଦ୍ରେଜ ଭଳି କମ୍ପାନୀର ବିକ୍ରି ନବରାତ୍ରୀ ସମୟରେ ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ହାୟର କମ୍ପାନୀର ବିକ୍ରି ୮୫% ବୃଦ୍ଧି ପାଇଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧ‌ିକ ଦାମର ୮୫ ଏବଂ ୧୦୦ ଇଞ୍ଚ ଟିଭି ବିକ୍ରିରେ କମ୍ପାନୀ ଏହାର ଦୀପାବଳି ଷ୍ଟକକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ୩୦୦ରୁ ୩୫୦ଟି ୬୫ ଇଞ୍ଚ ଟିଭି ବିକ୍ରି କରିଛି । ଭାରତର ସବୁଠୁ ବଡ଼ ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲର ବିକ୍ରି ଗତ ବର୍ଷ ନବରାତ୍ରୀ ତୁଳନାରେ ୨୦-୨୫% ବୃଦ୍ଧି ପାଇଛି । ବିଶେଷ କରି ବଡ଼ ସ୍କ୍ରିନ୍ ବିଶିଷ୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ ଫେଶନ୍ ସାମଗ୍ରୀ ବିକ୍ରି ବଢ଼ିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଖୁଚୁରା ଶୃଙ୍ଖଳ ବିଜୟ ସେଲ୍ସ ବିକ୍ରି ମଧ୍ୟ ୨୦% ବଢ଼ିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି ।

ଜିଏସଟି କ୍ଲବକୁ ଯୁକ୍ତିସଂଗତ କରିବା ସହ ଅତ୍ୟାବଶ୍ୟକ ଓ ଆକାଂକ୍ଷୀ ସାମଗ୍ରୀ ଉପରେ ଟିକସ ବୋଝକୁ କମ କରି, ସରକାର ଆତ୍ମବିଶ୍ୱାସପୂର୍ଣ୍ଣ ଖର୍ଚ୍ଚ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି I ଫଳସ୍ବରୂପ, ବ୍ରାଣ୍ଡ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ବିକ୍ରି ୨୫% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହା ଭାରତର ବ୍ୟବହାର-ପରିଚାଳିତ ଅର୍ଥବ୍ୟବସ୍ଥା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନI ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓନମ୍, ଦୁର୍ଗା ପୂଜା ଏବଂ ଦଶହରାକୁ ନେଇ ପାର୍ବଣ ଋତୁର ପ୍ରଥମାର୍ଦ୍ଧ ବିକ୍ରି ମୋଟ୍ ବିକ୍ରୟର ୪୦-୪୫% ଭାଗ ଅକ୍ତିଆର କରିଥାଏ। ଏହା ହେଉଛି ଦେଶର ସର୍ବବୃହତ ବ୍ୟବହାରିକ ସାମଗ୍ରୀ ବିକ୍ରିର ସମୟ।