ଭୁବନେଶ୍ୱର,୨୫/୦୯: ଆଦିବାସୀଙ୍କ ଉନ୍ନତି ପାଇଁ ଆସିଲା କୋଟି କୋଟି ଟଙ୍କା । ସେହି  ଟଙ୍କାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ/କନିଷ୍ଠ  ଯନ୍ତ୍ରୀ ମନଇଚ୍ଛା ଖର୍ଚ୍ଚ କଲେ । ସରକାରୀ ଟଙ୍କାରେ  କିଏ ଘରଭଡ଼ା ଦେଲା, କିଏ ନିଜ ବ୍ୟକ୍ତିଗତ  ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଲା । ଏପରି  ପୁଳା ପୁଳା ତ୍ରୁଟି ଧରିଛନ୍ତି ଭାରତର ମହାଲେଖା  ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ।

ବିଧାନସଭାରେ ଉପସ୍ଥାପିତ ସିଏଜି  ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ  ଆଦିବାସୀଙ୍କ ଉନ୍ନତି ପାଇଁ ୨୨ଟି ସମନ୍ୱିତ  ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)  କାର୍ଯ୍ୟ କରୁଛି । ସେଥିରୁ ୧୧ଟି ଆଇଟିଡିଏର  କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ୨୦୧୮ରୁ  ୨୦୨୩ ମଧ୍ୟରେ ଏହି ୧୧ଟି ସଂସ୍ଥାକୁ ମୋଟ  ୧୭୦୯ କୋଟି ୪୭ ଲକ୍ଷ ଟଙ୍କା ପାଣ୍ଠି ମିଳିଥିଲା ।  ସମୀକ୍ଷାରୁ ଜଣାପଡିଛି ଯେ ଏଥିରୁ ୩୦ ପ୍ରତିଶତ  ଟଙ୍କା ଅର୍ଥାତ ୫୧୯ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ  ହୋଇପାରିଲା ନାହିଁ । ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ  ହୋଇଥିବା ୧୧୯୦ କୋଟି ଟଙ୍କାରେ ଆଦିବାସୀଙ୍କ  ଉନ୍ନତି କମ୍‌, ବରଂ ଅଧିକାରୀଙ୍କ ପକେଟ୍‌ ଗରମ  ଅଧିକ ହୋଇଛି ।

ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି  ଆଇଟିଡିଏଗୁଡିକ ବାର୍ଷିକ ହିସାବ ପ୍ରସ୍ତୁତ  କରିନାହାନ୍ତି । ବିଭାଗୀୟ ଅଡିଟ୍‌ ମଧ୍ୟ  ହୋଇନାହିଁ । ଟେଣ୍ଡର ବଦଳରେ ଅଧିକାଂଶ  ପ୍ରକଳ୍ପ ବିଭାଗୀୟ ଯନ୍ତ୍ରୀ ସମ୍ପାଦନ କରିଛନ୍ତି ।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ୧୧ଟି ସଂସ୍ଥାର  ୮୫ ଜଣ ସହକାରୀ ଯନ୍ତ୍ରୀ/କନିଷ୍ଠ ଯନ୍ତ୍ରୀଙ୍କ  ନାମରେ ବ୍ୟାଙ୍କ ଆକାଉଣ୍ଟକୁ ୧୧୯୦ କୋଟି  ଟଙ୍କା ଦିଆଯାଇଛି ।ସିଏଜିଙ୍କ ଅଡିଟ୍‌ ବେଳେ ଏଥିରୁ ୧୪ଟି ବ୍ୟାଙ୍କ  ଆକାଉଣ୍ଟର ହିସାବ ମିଳିଲା ନାହିଁ । ଏହି ୧୪ଟି  ଆକାଉଣ୍ଟକୁ ୩୨ କୋଟି ୫୦ ଲକ୍ଷ ଟଙ୍କା ଯାଇଛି।  ଏହି ସରକାରୀ ଟଙ୍କା କିପରି ଖର୍ଚ୍ଚ ହେଲା ତାହା  ଜାଣିବା ସମ୍ଭବ ହେଉନି ।

ଅବଶିଷ୍ଟ ୭୧ଟି ବ୍ୟାଙ୍କ ଆକାଉଣ୍ଟ ଖର୍ଚ୍ଚ  ତାଲିକା ଦେଖି ସିଏଜି ଅଡିଟ୍‌ ଅଧିକାରୀ ତାଜୁବ  ହୋଇଗଲେ । ଏହି ୭୧ଟି ଆକାଉଣ୍ଟକୁ ବିଭିନ୍ନ  ପ୍ରକଳ୍ପ ବାବଦରେ ମୋଟ ୬୨୧ କୋଟି ୭୯ ଲକ୍ଷ  ଟଙ୍କା ଯାଇଛି । ସେଥିରୁ ୧୪୮ କୋଟି ୭୫ ଲକ୍ଷ  ଟଙ୍କା ଖର୍ଚ୍ଚର ଯେଉଁ କାରଣ ଦର୍ଶାଯାଇଛି ତାହା  ଅପ୍ରାସଙ୍ଗିକ ଓ ଅବାସ୍ତବ । ଯେପରି ଯନ୍ତ୍ରୀମାନେ  ଏହି ଟଙ୍କାରେ ଘରଭଡ଼ା ଦେୟ ପଇଠ କରିଛନ୍ତି ।  ମୋବାଇଲ୍‌ ଫୋନ୍‌ ଦେୟ ଦେଇଛନ୍ତି । ସରକାରୀ  ଆକାଉଣ୍ଟରୁ କୋଟି କୋଟି ଟଙ୍କା ନିଜ ବ୍ୟକ୍ତିଗତ  ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି । ପ୍ରକଳ୍ପ କାର୍ଯ୍ୟରେ  ଜଡ଼ିତ ନ ଥିବା ବ୍ୟକ୍ତିମାନଙ୍କୁ ଏହି ଆକାଉଣ୍ଟରୁ  ଟଙ୍କା ଦିଆଯାଇଛି । ଏହିପରି ମୋଟ ୧୮୦ କୋଟି  ଟଙ୍କା ଆତ୍ମସାତ ହୋଇଥିବା ସିଏଜି ରିପୋର୍ଟରୁ  ସୂଚନା ମିଳୁଛି ।

ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକାରୀ  ୫୪୪ଟି ପ୍ରକଳ୍ପର ସମୀକ୍ଷା ବେଳେ ଜଣାପଡିଛି  ଯେ ଏଗୁଡିକର ନକ୍ସା/ଡିଜାଇନ୍‌ ନାହିଁ । ପ୍ରକଳ୍ପ  ନିର୍ମାଣରେ ବ୍ୟବହୃତ ସାମଗ୍ରୀର ବ୍ରାଣ୍ଡ/ମେକ୍‌  ଉପଲବ୍ଧ ନାହିଁ । ସାମଗ୍ରୀ କିଣିବାକୁ ଟେଣ୍ଡର  ଡକାଯାଇନି । ମଷ୍ଟର ରୋଲ୍‌ ମଧ୍ୟ ରକ୍ଷଣାବେକ୍ଷଣ  କରାଯାଇନି ।

ମୟୂରଭଂଜ ଜିଲ୍ଲା କପ୍ତିପଦା ଆଇଟିଡିଏ  ପକ୍ଷରୁ ରବର ଚାଷରେ କିପରି ଅର୍ଥ ହେରଫେର  ହୋଇଛି ତାହା ରିପୋର୍ଟରେ ଦର୍ଶାଯାଇଛି ।  ୧୭୯ ଏକର ଜମିରେ ରବର ଚାରା ରୋପଣ  ଉଧେଇଲାନି । ଚାରା ମରିଗଲା ଓ ୧ କୋଟି ୯୩  ଲକ୍ଷ ଟଙ୍କା ପାଣିରେ ପଡ଼ିଲା । ସେହିପରି ଗୋଷ୍ଠୀ  ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ନ ହେବାରୁ ୧୭  କୋଟି ଟଙ୍କା ବେକାର ଗଲା । ରବର ଗଛରୁ ଅଠା  ସଂଗ୍ରହ ହୋଇପାରିଲାନି । ଯେଉଁ ଉଦ୍ଦେଶ୍ୟରେ  ରବର ଚାଷ ପ୍ରକଳ୍ପ ହେଲା ତାହା ସ୍ଥାନୀୟ  ଆଦିବାସୀଙ୍କ ବିକାଶରେ ଆସିଲାନି ।