ଭୁବନେଶ୍ୱର,୨୫/୦୯: ଆଦିବାସୀଙ୍କ ଉନ୍ନତି ପାଇଁ ଆସିଲା କୋଟି କୋଟି ଟଙ୍କା । ସେହି ଟଙ୍କାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ/କନିଷ୍ଠ ଯନ୍ତ୍ରୀ ମନଇଚ୍ଛା ଖର୍ଚ୍ଚ କଲେ । ସରକାରୀ ଟଙ୍କାରେ କିଏ ଘରଭଡ଼ା ଦେଲା, କିଏ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଲା । ଏପରି ପୁଳା ପୁଳା ତ୍ରୁଟି ଧରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ।
ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ଆଦିବାସୀଙ୍କ ଉନ୍ନତି ପାଇଁ ୨୨ଟି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟ କରୁଛି । ସେଥିରୁ ୧୧ଟି ଆଇଟିଡିଏର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ୨୦୧୮ରୁ ୨୦୨୩ ମଧ୍ୟରେ ଏହି ୧୧ଟି ସଂସ୍ଥାକୁ ମୋଟ ୧୭୦୯ କୋଟି ୪୭ ଲକ୍ଷ ଟଙ୍କା ପାଣ୍ଠି ମିଳିଥିଲା । ସମୀକ୍ଷାରୁ ଜଣାପଡିଛି ଯେ ଏଥିରୁ ୩୦ ପ୍ରତିଶତ ଟଙ୍କା ଅର୍ଥାତ ୫୧୯ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ । ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୧୧୯୦ କୋଟି ଟଙ୍କାରେ ଆଦିବାସୀଙ୍କ ଉନ୍ନତି କମ୍, ବରଂ ଅଧିକାରୀଙ୍କ ପକେଟ୍ ଗରମ ଅଧିକ ହୋଇଛି ।
ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଆଇଟିଡିଏଗୁଡିକ ବାର୍ଷିକ ହିସାବ ପ୍ରସ୍ତୁତ କରିନାହାନ୍ତି । ବିଭାଗୀୟ ଅଡିଟ୍ ମଧ୍ୟ ହୋଇନାହିଁ । ଟେଣ୍ଡର ବଦଳରେ ଅଧିକାଂଶ ପ୍ରକଳ୍ପ ବିଭାଗୀୟ ଯନ୍ତ୍ରୀ ସମ୍ପାଦନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ୧୧ଟି ସଂସ୍ଥାର ୮୫ ଜଣ ସହକାରୀ ଯନ୍ତ୍ରୀ/କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ୧୧୯୦ କୋଟି ଟଙ୍କା ଦିଆଯାଇଛି ।ସିଏଜିଙ୍କ ଅଡିଟ୍ ବେଳେ ଏଥିରୁ ୧୪ଟି ବ୍ୟାଙ୍କ ଆକାଉଣ୍ଟର ହିସାବ ମିଳିଲା ନାହିଁ । ଏହି ୧୪ଟି ଆକାଉଣ୍ଟକୁ ୩୨ କୋଟି ୫୦ ଲକ୍ଷ ଟଙ୍କା ଯାଇଛି। ଏହି ସରକାରୀ ଟଙ୍କା କିପରି ଖର୍ଚ୍ଚ ହେଲା ତାହା ଜାଣିବା ସମ୍ଭବ ହେଉନି ।
ଅବଶିଷ୍ଟ ୭୧ଟି ବ୍ୟାଙ୍କ ଆକାଉଣ୍ଟ ଖର୍ଚ୍ଚ ତାଲିକା ଦେଖି ସିଏଜି ଅଡିଟ୍ ଅଧିକାରୀ ତାଜୁବ ହୋଇଗଲେ । ଏହି ୭୧ଟି ଆକାଉଣ୍ଟକୁ ବିଭିନ୍ନ ପ୍ରକଳ୍ପ ବାବଦରେ ମୋଟ ୬୨୧ କୋଟି ୭୯ ଲକ୍ଷ ଟଙ୍କା ଯାଇଛି । ସେଥିରୁ ୧୪୮ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚର ଯେଉଁ କାରଣ ଦର୍ଶାଯାଇଛି ତାହା ଅପ୍ରାସଙ୍ଗିକ ଓ ଅବାସ୍ତବ । ଯେପରି ଯନ୍ତ୍ରୀମାନେ ଏହି ଟଙ୍କାରେ ଘରଭଡ଼ା ଦେୟ ପଇଠ କରିଛନ୍ତି । ମୋବାଇଲ୍ ଫୋନ୍ ଦେୟ ଦେଇଛନ୍ତି । ସରକାରୀ ଆକାଉଣ୍ଟରୁ କୋଟି କୋଟି ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିଛନ୍ତି । ପ୍ରକଳ୍ପ କାର୍ଯ୍ୟରେ ଜଡ଼ିତ ନ ଥିବା ବ୍ୟକ୍ତିମାନଙ୍କୁ ଏହି ଆକାଉଣ୍ଟରୁ ଟଙ୍କା ଦିଆଯାଇଛି । ଏହିପରି ମୋଟ ୧୮୦ କୋଟି ଟଙ୍କା ଆତ୍ମସାତ ହୋଇଥିବା ସିଏଜି ରିପୋର୍ଟରୁ ସୂଚନା ମିଳୁଛି ।
ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ୫୪୪ଟି ପ୍ରକଳ୍ପର ସମୀକ୍ଷା ବେଳେ ଜଣାପଡିଛି ଯେ ଏଗୁଡିକର ନକ୍ସା/ଡିଜାଇନ୍ ନାହିଁ । ପ୍ରକଳ୍ପ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ବ୍ରାଣ୍ଡ/ମେକ୍ ଉପଲବ୍ଧ ନାହିଁ । ସାମଗ୍ରୀ କିଣିବାକୁ ଟେଣ୍ଡର ଡକାଯାଇନି । ମଷ୍ଟର ରୋଲ୍ ମଧ୍ୟ ରକ୍ଷଣାବେକ୍ଷଣ କରାଯାଇନି ।
ମୟୂରଭଂଜ ଜିଲ୍ଲା କପ୍ତିପଦା ଆଇଟିଡିଏ ପକ୍ଷରୁ ରବର ଚାଷରେ କିପରି ଅର୍ଥ ହେରଫେର ହୋଇଛି ତାହା ରିପୋର୍ଟରେ ଦର୍ଶାଯାଇଛି । ୧୭୯ ଏକର ଜମିରେ ରବର ଚାରା ରୋପଣ ଉଧେଇଲାନି । ଚାରା ମରିଗଲା ଓ ୧ କୋଟି ୯୩ ଲକ୍ଷ ଟଙ୍କା ପାଣିରେ ପଡ଼ିଲା । ସେହିପରି ଗୋଷ୍ଠୀ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ନ ହେବାରୁ ୧୭ କୋଟି ଟଙ୍କା ବେକାର ଗଲା । ରବର ଗଛରୁ ଅଠା ସଂଗ୍ରହ ହୋଇପାରିଲାନି । ଯେଉଁ ଉଦ୍ଦେଶ୍ୟରେ ରବର ଚାଷ ପ୍ରକଳ୍ପ ହେଲା ତାହା ସ୍ଥାନୀୟ ଆଦିବାସୀଙ୍କ ବିକାଶରେ ଆସିଲାନି ।