ଭୁବନେଶ୍ୱର,୨୫/୦୯: ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନୁଦାନରେ ଉତ୍କଳ  ବିଶ୍ୱବିଦ୍ୟାଳୟରେ ଆଇସିଟି ଲ୍ୟାବ୍‌ ପ୍ରତିଷ୍ଠା  ନିମନ୍ତେ କମ୍ପ୍ୟୁଟର କିଣାଗଲା । କିନ୍ତୁ ଛାତ୍ରଛାତ୍ରୀଙ୍କ  ଉଦ୍ଦେଶ୍ୟରେ ବ୍ୟବହାର ବଦଳରେ ବିଭିନ୍ନ ବିଭାଗରେ ବାଣ୍ଟି ଦିଆଗଲା । ଏବେ ବି ୧୬ଟି  ଲାପଟପ୍‌ ସେମିତି ପଡି ରହିଛି । ଆଉ ଦୁଇଟି  ଲାପଟପ୍‌ ଲାପତ୍ତା ହୋଇଯାଇଛି । ଏପରି ତ୍ରୁଟି  ଧରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା  ମହାସମୀକ୍ଷକ (ସିଏଜି) । 

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆରମ୍ଭ କରିଥିଲା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) । ଏହି ଅନୁଦାନର  ଲକ୍ଷ୍ୟ ଥିଲା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ  ଭିତ୍ତିଭୂମି ନିର୍ମାଣ ଓ ଗୁଣବତ୍ତା ଏବଂ ଉତ୍କର୍ଷ  ଆଣିବା । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ୯୩  କୋଟି ‘ରୁସା’ ଅନୁଦାନ ଆସିଥିଲା । ଏଥିରୁ ୧୯ କୋଟି ୪୮ ଲକ୍ଷ ଟଙ୍କାରେ ରୁସା ଭବନ ନିର୍ମାଣ  ହେଲା । ଲକ୍ଷ୍ୟ ଥିଲା ଏହି କୋଠାରେ କମ୍ପ୍ୟୁଟର କେନ୍ଦ୍ର, ଆଲୁମନି ହଲ୍‌, ଆକାଡେମିକ୍‌ ବ୍ଲକ୍‌ କାର୍ଯ୍ୟ କରିବ । କିନ୍ତୁ କୋଠା ନିର୍ମାଣ ଶେଷ ପରେ ଏବେ ସେଠାରେ ପ୍ରଶାସନିକ ଭବନ ଓ ରୁସା କାର୍ଯ୍ୟାଳୟ ଚାଲିଛି । ଅର୍ଥାତ ଯେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଖର୍ଚ୍ଚ ହେଲା, ତାହା ପୂରଣ ହୋଇପାରିଲା ନାହିଁ ।    

ସେହିପରି ‘ରୁସା’ ପାଣ୍ଠିରେ ଆଇସିଟି  ଲ୍ୟାବ୍‌ ପ୍ରତିଷ୍ଠା ନିମନ୍ତେ ୧ କୋଟି ୮୩ ଲକ୍ଷ ଟଙ୍କା  ଖର୍ଚ୍ଚ କରାଯାଇ ୧୪୧ଟି କମ୍ପ୍ୟୁଟର/ଲାପଟପ୍‌  କିଣାଗଲା । ୨୦୨୧ ଅପ୍ରେଲରୁ ଜୁଲାଇ ମାସ  ଭିତରେ କିଣାଯାଇଥିବା ଏହି କମ୍ପ୍ୟୁଟରଗୁଡିକ  ଆଇସିଟି ଲ୍ୟାବ୍‌ ବଦଳରେ ବିଭିନ୍ନ ବିଭାଗରେ  ବାଣ୍ଟି ଦିଆଗଲା । ବିଶ୍ୱବିଦ୍ୟାଳୟ ଷ୍ଟୋରରେ  ୧୬ଟି ଲାପଟପ୍‌ ଏବେ ବି ପଡ଼ି ରହିଛି । ଦୁଇଟି  ଲାପଟପ୍‌ କିଏ ନେଇଗଲା ତାହାର ସନ୍ଧାନ ମିଳୁନି ।  ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଗୁଣବତ୍ତା ଓ ଉତ୍କର୍ଷ ପାଇଁ  ୩୯ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।  ସେଥିରୁ କୁଳପତିଙ୍କ ସରକାରୀ ବାସଭବନରେ  ସୋଫା, ଖଟ ଓ ଆସବାବପତ୍ର ପାଇଁ ୬.୪୮  ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।    

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ  ଚଣ୍ଡୀଖୋଲରେ ଏକ ପ୍ରଯୁକ୍ତି ବିଦ୍ୟା ପାର୍କ ପାଇଁ  ୫ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।  କୋଠା ନିର୍ମାଣ ସରିଗଲା । କିନ୍ତୁ ଆଜି ପର୍ଯ୍ୟନ୍ତ  ଏହି କୋଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିଲା  ନାହିଁ । ବିଦ୍ୟୁତ୍‌ ଟ୍ରାନସଫର୍ମର ସ୍ଥାପନ ହେଉନି କି  ଏହି କୋଠା କୌଣସି କାର୍ଯ୍ୟରେ ଆସୁନି ବୋଲି  ରିପୋର୍ଟରେ ଦର୍ଶାଯାଇଛି ।    

ରାଜ୍ୟର ପଛୁଆ ଅଞ୍ଚଳରେ ଉଚ୍ଚଶିକ୍ଷାକୁ  ବ୍ୟାପକ କରିବା ନିମନ୍ତେ ୬ଟି ମଡେଲ ଡିଗ୍ରୀ  କଲେଜ ସ୍ଥାପନ ପାଇଁ ‘ରୁସା’ ପାଣ୍ଠି ଆସିଥିଲା ।  କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ଗଜପତି,  କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଏହି ୬ କଲେଜ  ନିମନ୍ତେ ୩୨ କୋଟି ଟଙ୍କା ଖର୍ଚ୍ଚରେ କୋଠା ନିର୍ମାଣ  ହେଲା । ସେଥିରୁ ୫ଟି କୋଠାକୁ ଉଚ୍ଚ ଶିକ୍ଷା ବିଭାଗ  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ  ହସ୍ତାନ୍ତର କରିଦେଇଛି । କୁହାଗଲା ଏଠାରେ ଡିଗ୍ରୀ  କଲେଜ ପ୍ରତିଷ୍ଠା ସମ୍ଭବ ନୁହେଁ । ଆଉ କୋରାପୁଟ  ଜିଲ୍ଲା ସେମିଳିଗୁଡାରେ ଗୋଟିଏ କୋଠା ଭାଙ୍ଗି  ଦିଆଗଲା । ଏହି ଜମିକୁ ଜାତୀୟ ରାଜପଥ ବିଭାଗ  ଅକ୍ତିଆର କଲା । ଆଉ ରାଜ୍ୟରେ ୬ଟି ମଡେଲ  ଡିଗ୍ରୀ କଲେଜ ଖୋଲିବା ସ୍ୱପ୍ନରେ ରହିଗଲା