ନୂଆଦିଲ୍ଲୀ, ୨୮।୨: ଜାତୀୟ ପତାକା କେବଳ ଏକ କପଡ଼ାର ଖଣ୍ଡ ନୁହେଁ, ବରଂ ଏହା ଏକ ଦେଶର ପରିଚୟ, ଇତିହାସ ଏବଂ ସଂଘର୍ଷର ପ୍ରତୀକ । ବିଶ୍ୱ ଦରବାରରେ ଏହା ସେହି ଦେଶର ମୂଲ୍ୟବୋଧ ଏବଂ ଏକତାକୁ ପ୍ରଦର୍ଶନ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏକ ଦେଶ ଚାହିଁଲେ ନିଜର ଜାତୀୟ ପତାକା ବଦଳାଇ ପାରିବ ? ପ୍ରତ୍ୟେକ ଦେଶର ନିଜସ୍ୱ ପତାକା ପରିବର୍ତ୍ତନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ବଶତଃ ସେହି ଦେଶର ସରକାର ଏବଂ ସମ୍ବିଧାନ ଏହାର ଅନୁମତି ଦେବା ଆବଶ୍ୟକ । ସାଧାରଣତଃ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ, ସ୍ୱାଧୀନତା ଆନ୍ଦୋଳନ କିମ୍ବା ଏକ ନୂତନ ଜାତୀୟ ପରିଚୟ ସୃଷ୍ଟି କରିବା ପାଇଁ ପତାକା ବଦଳାଯାଇଥାଏ । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା:

ଏହା ବି ପଢ଼ନ୍ତୁ... ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ; ୪୦ରୁ ଅଧିକ ସୈନ୍ୟ ମୃତ, ଜଳୁଛି ସହର !

୧. କିଭଳି ଆରମ୍ଭ ହୁଏ ପ୍ରକ୍ରିୟା ?

ପତାକା ବଦଳାଇବା ପାଇଁ ପ୍ରଥମେ ସରକାର କିମ୍ବା ସଂସଦରେ ଏକ ପ୍ରସ୍ତାବ ଆଗତ କରାଯାଏ । ଯେତେବେଳେ କୌଣସି ଦେଶ ଔପନିବେଶିକ ଶାସନ ଅର୍ଥାତ୍ କଲୋନିଆଲ୍ ରୁଲ୍ ରୁ ମୁକ୍ତ ହୁଏ, ସେତେବେଳେ ସେମାନେ ପୁରୁଣା ପରିଚୟ ହଟାଇ ନିଜସ୍ୱ ସ୍ୱତନ୍ତ୍ର ପତାକା ଗ୍ରହଣ କରିବାକୁ ଚାହାଁନ୍ତି । ସରକାର ପ୍ରଥମେ ସମୀକ୍ଷା କରନ୍ତି ଯେ ପରିବର୍ତ୍ତନ ପ୍ରକୃତରେ ଜରୁରୀ କି ନୁହେଁ ।

୨. କିଏ ସ୍ଥିର କରେ ନୂଆ ପତାକାର ଡିଜାଇନ ?

ଥରେ ପ୍ରସ୍ତାବ ମଞ୍ଜୁର ହୋଇଗଲେ, ନୂଆ ଡିଜାଇନ ପାଇଁ ପ୍ରକ୍ରିୟା ଆରମ୍ଭ ହୁଏ । ଅନେକ ଦେଶ ଏଥିପାଇଁ ଖୋଲା ପ୍ରତିଯୋଗିତା ଆୟୋଜନ କରନ୍ତି, ଯେଉଁଥିରେ କଳାକାର, ଡିଜାଇନର୍ ଏବଂ ସାଧାରଣ ଜନତା ଭାଗ ନିଅନ୍ତି । ଏହାପରେ ଇତିହାସକାର ଏବଂ ବିଶେଷଜ୍ଞ କମିଟି ସେହି ଡିଜାଇନ୍କୁ ଯାଞ୍ଚ କରି ଶ୍ରେଷ୍ଠ ବିକଳ୍ପଟିକୁ ବାଛିଥାନ୍ତି ।

୩. ଜନତାଙ୍କ ମତାମତର ଗୁରୁତ୍ୱ

ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଜନତାଙ୍କ ରାୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଅନେକ ସମୟରେ ‘ରେଫରେଣ୍ଡମ୍’ ବା ଗଣଭୋଟ୍ କରାଯାଏ । ଲୋକମାନେ ଭୋଟ୍ ଦେଇ ସ୍ଥିର କରନ୍ତି ଯେ ସେମାନେ ନୂଆ ପତାକା ଚାହାଁନ୍ତି ନା ପୁରୁଣାଟିକୁ ରଖିବାକୁ ଚାହାଁନ୍ତି । ଉଦାହରଣ ସ୍ୱରୂପ, ୨୦୧୫-୧୬ରେ ନ୍ୟୁଜିଲାଣ୍ଡ ପତାକା ବଦଳାଇବାକୁ ଗଣଭୋଟ୍ କରିଥିଲା, କିନ୍ତୁ ଅଧିକାଂଶ ଲୋକ ପୁରୁଣା ପତାକା ସପକ୍ଷରେ ମତ ଦେଇଥିଲେ ।

୪. ଆଇନଗତ ମଞ୍ଜୁରୀ ଏବଂ ଉନ୍ମୋଚନ

ଡିଜାଇନ୍ ଫାଇନାଲ୍ ହେବା ପରେ ସଂସଦରେ ଏକ ସ୍ୱତନ୍ତ୍ର ଆଇନ ପାସ୍ କରାଯାଏ । ଏହାପରେ ଏକ ସରକାରୀ ଉତ୍ସବ ମାଧ୍ୟମରେ ନୂଆ ପତାକାକୁ ଉନ୍ମୋଚନ କରାଯାଏ । ପୁରୁଣା ପତାକାକୁ ସମ୍ମାନର ସହ ବିଦାୟ ଦିଆଯାଇ ସରକାରୀ କୋଠା, ସାମରିକ ବେସ୍ ଏବଂ ଆନ୍ତର୍ଜାତୀୟ ସ୍ତରରେ ନୂଆ ପତାକା ଉଡ଼ାଯାଏ ।

କାହିଁକି ପତାକା ବଦଳାଯାଏ ?

ଦକ୍ଷିଣ ଆଫ୍ରିକା (୧୯୯୪): ବର୍ଣ୍ଣବୈଷମ୍ୟ ଶେଷ ହେବା ପରେ ଏକତା ବଜାୟ ରଖିବା ପାଇଁ ନୂଆ ପତାକା ଆପଣାଯାଇଥିଲା ।

କାନାଡ଼ା (୧୯୬୫): ଔପନିବେଶିକ ପ୍ରଭାବରୁ ମୁକ୍ତ ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେମାନେ ପତାକା ବଦଳାଇଥିଲେ ।