ନୂଆଦିଲ୍ଲୀ,୧୪/୧୧:ପ୍ରେମ କେତେବେଳେ ଓ କାହାକୁ ହୁଏ, କେହି ଜାଣିପାରନ୍ତି ନାହିଁ । କିନ୍ତୁ ଏଠାରେ ଜଣେ ମହିଳାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେ ଜେଲରେ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କ ପ୍ରେମରେ ପଡ଼ିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ୧୭ ବର୍ଷ ବୟସରେ ସେ କଏଦୀଙ୍କ ପ୍ରେମରେ ପଡ଼ିଥିଲେ । ଗତ ୧୭ ବର୍ଷ ହେଲା ଉଭୟଙ୍କର ପ୍ରେମ ସମ୍ପର୍କ ରହିଛି । କିନ୍ତୁ ସେମାନେ କେବେ ଏକାଠି ସମୟ ବିତାଇନାହାନ୍ତି । ଏବେ ମହିଳା କହିଛନ୍ତି, ସେ ଉକ୍ତ କଏଦୀଙ୍କୁ ବିବାହ କରିବାକୁ ଯାଉଛନ୍ତି । କାନାଡାର ଟରଣ୍ଟୋ ବାସିନ୍ଦା ବ୍ରନ୍‌ୱେନଙ୍କ ବିବାହ ଓ ହନିମୁନ୍‌ ଉଭୟ ଜେଲ୍‌ରେ ହେବ । କାରଣ ତାଙ୍କ ଭାବୀ ସ୍ୱାମୀ ଜଷ୍ଟିନ୍‌ ଜେଲରେ ଆଜୀବନ ସଜା କାଟୁଛନ୍ତି । 

ଉଭୟଙ୍କର ପ୍ରଥମ ସାକ୍ଷାତ ସମୟରେ ଜଷ୍ଟିନ୍‌ ପୂର୍ବରୁ ଜେଲରେ ଥିଲେ । ବ୍ରନ୍‌ୱେନ ନିଜର ଜଣେ ସାଙ୍ଗ ସହିତ ଜେଲକୁ ଯାଇଥିଲେ । ତାଙ୍କ ସାଙ୍ଗ ଜେଲରେ ଥିବା ନିଜ ବୟଫ୍ରେଣ୍ଡ୍‌ଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ଜଷ୍ଟିନ୍‌ଙ୍କ ସହ ତାଙ୍କର ଭେଟ ହୋଇଥିଲା । ଜଷ୍ଟିନ୍‌ ସେହିଠାରେ ହିଁ ବ୍ରନ୍‌ୱେନଙ୍କୁ ପ୍ରେମ ନିବେଦନ କଲେ । ବ୍ରନ୍‌ୱେନ୍‌ ପ୍ରଥମେ ଏହାକୁ ଅଣଦେଖା କରିଥିଲେ । ଜଣେ ଅପରାଧୀ ସହ ଡେଟିଂ କରିବାରେ ତାଙ୍କର କୌଣସି ରୁଚି ନ ଥିଲା । ଜେଲରେ ଥାଇ ଜଷ୍ଟିନ୍‌ ତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ । ସେଥିପାଇଁ ଶେଷରେ ବ୍ରନ୍‌ୱେନ୍‌ ତାଙ୍କ କଥା ମାନିଲେ । ତା’ପରେ ଦୁହେଁ ପରସ୍ପରକୁ ଚିଠି ଲେଖିବା ଆରମ୍ଭ କଲେ । ଚିଠି ପଢ଼ି ଦୁହିଁଙ୍କ ସମ୍ପର୍କ ଆଗକୁ ବଢ଼ିଲା ।

 ୬ ମାସ ପରେ ଜଷ୍ଟିନ୍‌ ବ୍ରନ୍‌ୱେନ୍‌ଙ୍କ ମନ କିଣିନେଲେ । ଅନେକ ବର୍ଷ ପର୍ଯ୍ୟନ୍ତ ଦୁହେଁ ପରସ୍ପରକୁ ଡେଟ୍‌ କଲେ, କିନ୍ତୁ ଏକାଠି ସମୟ ବିତାଇବା ସମ୍ଭବ ନ ଥିଲା । ତେଣୁ ଦୁହେଁ ଅଲଗା ହୋଇଗଲେ । ଇତିମଧ୍ୟରେ ବ୍ରନ୍‌ୱେନ୍‌ ଅନ୍ୟମାନଙ୍କ ସହ ସମ୍ପର୍କ ଯୋଡ଼ିଲେ, କିନ୍ତୁ କାହା ସହ ମାମଲା ଫିଟ୍‌ ହେଲା ନାହିଁ । ପ୍ରାୟ ୧୩ ବର୍ଷ ପରେ ସେ ପୁଣି ଥରେ ଜଷ୍ଟିନ୍‌ଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କଲେ । କିନ୍ତୁ ତାଙ୍କର ଜେଲ ବଦଳିଯାଇଥିଲା । ବହୁ କଷ୍ଟରେ ତାଙ୍କ ଠିକଣା ମିଳିଲା । ଜଷ୍ଟିନ୍‌ ଏବେ ବି ଏକୁଟିଆ ଥିବା ସେ ଜାଣିପାରିଲେ । ଦୁଇ ସପ୍ତାହ ମଧ୍ୟରେ ଉଭୟଙ୍କର ନିର୍ବନ୍ଧ ହେଲା । ବ୍ରନ୍‌ୱେନ ଏବେ ନିଜ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଦୁହିଁଙ୍କ ବିବାହ ଜେଲ ଭିତରେ ହେବ । ତେବେ, ବିବାହ ଉତ୍ସବ ପାଳନ ଲାଗି ଜେଲରେ କଠୋର ନିୟମ ରହିଛି । ବିବାହ ଗାଉନ୍‌ ଉପରେ ବ୍ରନ୍‌ୱେନ୍‌ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଗାଉନ୍‌ ପିନ୍ଧିପାରିବେ କି ନାହିଁ, ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।