ଭୁବନେଶ୍ୱର,୦୫/୦୭: ରାଜ୍ୟ ସରକାର  ୨୦.୫୮ ଲକ୍ଷ ଲୋକଙ୍କ ରାସନ୍‌ କାର୍ଡ ବାତିଲ କରିବାକୁ  ନିଷ୍ପତ୍ତି ନେଇଛନ୍ତି ଯାହାକୁ ସ୍ଥଗିତ କରାଯାଉ । ଜୁନ  ୩୦ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କରିଥିବା ଘୋଷଣାକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଉ ।  କୌଣସି ନା କୌଣସି କାରଣରୁ ଇ-କେୱାଇସି  କରିପାରିନଥିବା ଉପଭୋକ୍ତାଙ୍କୁ ରାସନ୍‌ ଦେବାରୁ  ବଞ୍ଚିତ କରାନଯାଉ । ଏମିତି ହେଲେ ଲକ୍ଷ ଲକ୍ଷ ଲୋକ  ତଥା ଗରିବ ପରିବାର ଖାଦ୍ୟରୁ ବଞ୍ଚିତ ହେବେ ।  ଏହା ସହ ୨୦୧୩ର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର  ଉଲ୍ଲଂଘନ ହେବ ବୋଲି ‘ରାଇଟ୍‌ ଟୁ ଫୁଡ୍‌ କ୍ୟାମ୍ପେନ୍‌’  ପକ୍ଷରୁ କୁହାଯାଇଛି । 

ସେହିପରି ରାସନ୍‌ କାର୍ଡ ପାଇଁ  କରାଯାଉଥିବା ଇ-କେୱାଇସି ଅବଧି ବୃଦ୍ଧି କରିବାକୁ ଦାବି  ହୋଇଛି । ରାସନ୍‌ ନେବା ବେଳେ ଯଦି କୌଣସି ବ୍ୟକ୍ତି  କିମ୍ବା ପରିବାରର ଯାନ୍ତ୍ରିକ ତ୍ରୁଟି ପାଇଁ ବାୟୋମେଟ୍ରିକ୍‌ ମ୍ୟାଚ୍‌  ନ କରୁଛି, ତେବେ ବିକଳ୍ପ ବ୍ୟବସ୍ଥା କରାଯାଉ । ରାସନ୍‌  ନେଉଥିବା ପରିବାରର ସଦସ୍ୟ ଭାବେ ଥିବା ପିଲାଙ୍କୁ  ଆଧାର କିମ୍ବା ବାଲ ଆଧାରରୁ ବାଦ୍‌ ଦିଆଯାଉ । ତେବେ  ରାସନ୍‌ କାର୍ଡରୁ କାହାକୁ ବଞ୍ଚିତ କରିବା କିମ୍ବା ବାଦ୍‌ ଦେବା  ପୂର୍ବରୁ ଲିଖିତ ଭାବେ କାରଣ ସହ ସୂଚନା ଦିଆଯାଉ  ବୋଲି ‘ରାଇଟ୍‌ ଟୁ ôଫୁଡ୍‌ କ୍ୟାମ୍ପେନ୍‌’ର ଅରୁଣି ଦିହୁଡି,  ବିଦ୍ୟୁତ ମହାନ୍ତି, ସମୀତ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।