ଭୁବନେଶ୍ୱର,୧୯/୧୦:କ୍ୟାପିଟାଲ ହସ୍ପିଟାଲ୍‌ ପିଜିଆଇଏମ୍‌ଇଆର୍‌ ଅସ୍ଥିଶଲ୍ୟ ବିଭାଗରେ ଦୈନିକ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେଉଛି । ରୋଗୀ ପାଦ ପକେଇବାକୁ ଜାଗା ମିଳୁନି । ବିଭାଗ ସମ୍ମୁଖରୁ ଦୈନିକ ପ୍ରାୟ ୫୦ରୁ ୭୦ ମିଟର ପର୍ଯ୍ୟନ୍ତ ଲାଗୁଛି ଲମ୍ବା ଲାଇନ୍‌ । ରୋଗୀ ଘଣ୍ଟା ଘଣ୍ଟା ଠିଆ ହୋଇ ପାଉଛନ୍ତି ମାନସିକ ଓ ଶାରୀରିକ ଯନ୍ତ୍ରଣା । ଛୋଟ ସ୍ଥାନରେ ଦୀର୍ଘ ସମୟ ଧରି ଠିଆ ହୋଇ ଅଣନିଃଶ୍ୱାସ ହୋଇ ରୁନ୍ଧି ହୋଇଯାଉଛନ୍ତି । ଯାହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ଅସନ୍ତୋଷ ବଢ଼ି ଚାଲିଛି । ଅସ୍ଥିଶଲ୍ୟ ବିଭାଗ ସ୍ଥିତି ପୂରା ଦୟନୀୟ । ବିଭାଗରେ ୫ ମାସ ହେଲାଣି ବିଭାଗୀୟ ମୁଖ୍ୟ ଛୁଟିରେ ।

ଏପଟେ ପିଜି ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି । ପିଜିଆଇଏମ୍‌ଇଆର୍‌ରେ ଅସ୍ଥିଶଲ୍ୟ ପିଜି ବିଭାଗ ଖୋଲିଲା ପରେ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଦୂରଦୂରାନ୍ତରୁ ରୋଗୀ ଆସୁଛନ୍ତି । ଦୈନିକ ୪୦୦ରୁ ଊଦ୍ଧ୍ୱର୍ ରୋଗୀଙ୍କ ଭିଡ଼ ହେଉଛି । ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଡାକ୍ତରଙ୍କ ପରାମର୍ଶ ପରେ ଯନ୍ତ୍ରଣା ବଢ଼ିଯାଉଛି ଏକ୍ସ-ରେ ରିପୋର୍ଟ ଦେଖାଇବାକୁ । ରୋଗୀଙ୍କୁ ଏକାଧିକବାର ଧାଡ଼ି ଯନ୍ତ୍ରଣା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରୁଛନ୍ତି । ଅନେକ ସମୟରେ ଏହି ଏକ୍ସ-ରେ ରିପୋର୍ଟ ଦେଖାଇବାକୁ ଆସିଲା ବେଳକୁ ଡାକ୍ତର ପଳାଉଛନ୍ତି । କଣ୍ଟିଲୋରୁ ଆସିଥିବା ନରୋତ୍ତମ ସାହୁ କହିଛନ୍ତି, ସେ ସକାଳ ୮ରୁ ଆସିଲେ ତାଙ୍କୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲାଣି । ସେହିପରି ପୁରୀରୁ ଆସିଥିବା ସୁଶାନ୍ତ ବଲିଆରସିଂହ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏନେଇ ପଚାରିବାରୁ ଅସ୍ଥିଶଲ୍ୟ ବିଭାଗ ଡାକ୍ତର କହୁଛନ୍ତି, ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଜଣେ ଡାକ୍ତରଙ୍କୁ ଗୋଟିଏ ବେଳା ୮୦ରୁ ଊଦ୍ଧ୍ୱର୍ ରୋଗୀ ଦେଖିବାକୁ ପଡୁଛି । ତେବେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ରୂପଭାନୁ ମିଶ୍ର କହିଛନ୍ତି, ବିଭାଗର ସ୍ଥାନାଭାବ ରହିଥିବାରୁ ପ୍ରବଳ ଗହଳି ହେଉଛି । ଆଗକୁ ସ୍ଥାନ ଦେଖି ବିଭାଗ ସମ୍ପ୍ରସାରଣ ପାଇଁ ଚିନ୍ତା କରାଯାଉଛି । ଡାକ୍ତରଙ୍କ ଅଭାବ ପୂରଣ ଲାଗି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯିବ । ଯଥାଶ୍ରୀଘ୍ର ଏକ୍ସରେ ରିପୋର୍ଟ ଦେଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।