ଭୁବନେଶ୍ଵର, ୧୪/୦୨ : ପାର୍କିଂରେ ଥୁଆ ହୋଇଥିବା ବେଳେ ହୁତୁହୁତୁ ଜଳିଗଲା କାର୍। ଗୁରୁବାର ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଦେଉଳି ଜାମୁସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁଯାୟୀ, ଦେଉଳି ଜାମୁସାହିର ମାସୁଦ ଅଖତାର ଖାଁ ତାଙ୍କର ମାରୁତି ସୁଜୁକି ସୁଇପ୍ଟ ଡିଜେୟାର କାର୍କୁ ଘର ପାର୍ଶ୍ଵରେ ଥିବା ପାର୍କିଂରେ ରଖିଥିଲେ। ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଚକା ଫାଟିବା ଶବ୍ଦ ଶୁଭିଥିଲା। ସମସ୍ତେ ଘରୁ ଉଠି ଦେଖିବା ବେଳକୁ କାର୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପାଖ ପଡୋଶୀଙ୍କୁ ସହାୟତା ପାଇଁ ଡାକିଥିଲେ। କାର୍ରୁ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ନପାରିବାରୁ ଦମକଳ ବାହିନୀକୁ ଫୋନ୍ କରି ଡାକିଥିଲେ। ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ସର୍ଟ୍ ସର୍କିଟ୍ କାରଣରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- କାର୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ