ଖଲ୍ଲିକୋଟ,୩୦/୫ : ଦାମୀ ଗାଡିରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ଖବରପାଇ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ। ୭୦କିଲୋ ଗଞ୍ଜେଇ ସହ ଗୋଟିଏ ମହିନ୍ଦ୍ରା ଏସୟୁଭି ଗାଡ଼ିକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ।
ସୂଚନା ଅନୁଯାୟୀ, ମହିନ୍ଦ୍ରା ଏକ୍ସୟୁଭି କାର୍ ଯୋଗେ ବାଲିଗୁଡ଼ାରୁ ନୟାଗଡ଼ ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବରପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡିଏସଇ ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଖଲ୍ଲିକୋଟ ସାନ ଘାଟିଠାରେ ଚଢ଼ଉ କରି ୭୦କିଲୋ ଗଞ୍ଜେଇ ସହ କାରକୁ ଜବତ କରିଥିବାବେଳେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ସରଣକୁଳ ଅଂଚଳର ବିକାଶ ଭଟ୍ଟ ବୋଲି ଜଣା ପଡ଼ିଛି ।
ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିକାଶ ଭଟ୍ଟଙ୍କୁ ଆଜି ଦିନ ଗୋଟାଏ ସମୟରେ ଖଲ୍ଲିକୋଟ କୋର୍ଟରେ ହାଜର କରାଯାଇଥିବାବେଳେ ଜବତ ଗଞ୍ଜେଇ ଓ ଏକ୍ସୟୁଭି କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡିଏସଇ ଶ୍ରୁତିକାନ୍ତ ରାଉତ ସୂଚନା ପ୍ରଦାନ କରିଛନ୍ତି । ଏହି ଚଢ଼ଉରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ଅଜିତ ନାୟକ, ବଳରାମ ଜେନା, ପ୍ରବୀର ସାମଲ, କୁମୁଦ ପ୍ରଧାନ, କପିଳାସ ଭତ୍ରା, ସନ୍ତୋଷ ନାୟକ ପ୍ରମୁଖ ସାମିଲ ଥିଲେ । ଏହି ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଡିଏସଇ ଶ୍ରୀ ରାଉତ କହିଛନ୍ତି।