ଚୌଦ୍ୱାର-ଗୁରୁଡ଼ିଝାଟିଆ,୩୦/୦୪: ଚୌଦ୍ୱାର ପୌରପାଳିକା ଅଧୀନରେ ବିଭିନ୍ନ ଜନଗହଳି ସ୍ଥାନରେ ସରକାରୀ କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ ଲଗାଯାଇଛି ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ । ବୁଧବାର ଏଲ୍ଇଡି ସ୍କ୍ରିନ୍‌ରେ ସରକାରୀ କାର୍ଯ୍ୟକ୍ରମ ବଦଳରେ କାର୍ଟୁନ୍ ଓ ବିବାଦୀୟ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଥାଉ କି, ପୌରପାଳିକା ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ୧୩ଟି ଏଲ୍ଇଡି ଲଗାଯାଇଥିବା ବେଳେ ସେଥିମଧ୍ୟରୁ କେତେକ ଅଚଳ ହୋଇପଡ଼ିଲାଣି । ଯେଉଁସବୁ ଚାଲୁଛି ସେଥିରେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାନ୍ଧିଛକ ଠାରେ ଲାଗିଥିବା ସ୍କ୍ରିନ୍‌ରେ ଏକ ନିର୍ଦ୍ଦିଷ୍ଟ ଷ୍ଟାର୍ଙ୍କର କିଛି ଭିଡିଓ କ୍ଲିପ୍ ଓ କାର୍ଟୁନ୍ ପ୍ରଦର୍ଶିତ ହୋଇଥିବା ଜନସାଧାରଣ ଦେଖିଥିଲେ । ଏ ସଂପର୍କରେ ଅଧିକ ଜାଣିବା ପାଇଁ ପୌର ଯନ୍ତ୍ରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଯୋଗାଯୋଗ କରିଥିବା ବେଳେ ସେ ଫୋନ୍ ଉଠାଇନଥିଲେ ।

ଅଧିକ ପଢ଼ନ୍ତୁ :-  ଘଣ୍ଟାଏ କାଳ ସିସିଟିଭି ତନାଘନା ପରେ ସାମ୍ନାକୁ ଆସିଲା ସତ, ଜିତୁ ମୁଣ୍ଡାଙ୍କୁ ଫେରାଇ ଦେଇଥିଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ

ସେହିପରି ପୌର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କୁ ପଚାରିବାରୁ ସେ କହିଥିଲେ ଏ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ତଥାପି ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ । ଏଲ୍ଇଡି ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ହେଉଥିବା ବେଳେ ଏହାର କଣ୍ଟ୍ରୋଲ ରୁମ୍ କଟକରେ ରହିଥିବା ଜଣାପଡ଼ିଛି । ହ୍ୟାକ୍ କରି ଏସବୁ କାଣ୍ଡ କରାଯାଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସହରବାସୀ ଦାବି କରିଛନ୍ତି।