କେସିଙ୍ଗା,୨୦/୧୧ : ଗୋ ସମ୍ପଦର ବିକାଶ ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ହେଲେ ରାଜ୍ୟରେ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଗୋ ସମ୍ପଦର ବିକାଶ ହେବା ପରିବର୍ତ୍ତେ ଦିନକୁ ଦିନ ହ୍ରାସ ପାଉଥିବା ଜଣାପଡ଼ିଛି । ଏହାର ମୁଖ୍ୟ କାରଣ ଗ୍ରାମାଞ୍ଚଳରେ ଗୋଚର ଜମିର ଅଭାବ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ରହୁଥିବା ଶୁଣାଯାଏ । ସେହିପରି ସାପ୍ତାହିକ ଗୋବଜାରଠାରୁ ମଧ୍ୟ ବେନିୟମ ଭାବେ ଦିନକୁ ଦିନ ବାହାର ରାଜ୍ୟକୁ ଗୋଚାଲାଣ ହେଉଥିବା ମଧ୍ୟ ଗୋ ସମ୍ପଦ ହ୍ରାସ ପାଇବାର ଏକ ମୁଖ୍ୟ କାରଣ ବୋଲି ଗୋଚାଷୀ ମହଲରେ ମତପ୍ରକାଶ ପାଇଛି । ବିଭିନ୍ନ ଗାଁରେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ଅନେକ କାରଣକୁ ନେଇ ଦିନକୁ ଦିନ ଯେଉଁ ହିସାବରେ ଗୋସମ୍ପଦ ହ୍ରାସ ପାଉଛି ଭବିଷ୍ୟତରେ ତାହା ଦେଖିବାକୁ ମିଳିବ କି ନାହିଁ ଆଶଙ୍କା ସୃଷ୍ଟି ହେଲାଣି ।
ଗୋ ସମ୍ପଦର ହ୍ରାସ ପାଉଥିବା ଉପରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅଞ୍ଚଳର ଉଦାହରଣକୁ ଏଠାରେ ନିଆଯାଇପାରେ। ଯାହାକି ରାଜ୍ୟର ୨୦ତମ ଜନଗଣନା ସର୍ଭେ ଅନୁସାରେ ଗତ ୨୧ତମ ଜନଗଣନା ସର୍ଭେକୁ ହିସାବକୁ ନେଲେ କେସିଙ୍ଗା ବ୍ଲକ ଅଞ୍ଚଳରେ ଗାଈ ଗୋରୁ, ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ହ୍ରାସ ପାଉଥିବା ଜଣାପଡ଼ିଛି । ଗତ ୨୧ତମ ଜନଗଣନା ସର୍ଭେ ଅନୁସାରେ କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ୧୮୧୪୬ଗୋଟି ଗାଈ ଗୋରୁ ଏବଂ ୧୯୬ଗୋଟି ମଇଁଷି ଏବଂ ୨୫୯୭୬ଗୋଟି ଛେଳି ଓ ୫୩୦୧ଗୋଟି ମେଣ୍ଢାକୁ ମିଶାଇ ସର୍ବମୋଟ ୪୯୬୧୯ଗୋଟି ଗାଈଗୋରୁ, ଛେଳି ଓ ମେଣ୍ଢା ରହିଥିବା ଜଣାପଡ଼ିଛି ।
ଯାହାକି ରାଜ୍ୟର ୨୦ତମ ଜନଗଣନା ସର୍ଭେ ଅନୁସାରେ ୨୫୬୩୫ଗୋଟି ଗାଈ ଗୋରୁ ଏବଂ ୨୫୬୬୮ଗୋଟି ଛେଳି ଓ ମେଣ୍ଢାକୁ ମିଶାଇ ସର୍ବମୋଟ ୫୧୩୦୩ ଗୋଟି ରହିଥିଲା। ତେବେ ୨୦ତମ ସର୍ଭେକୁ ଦେଖିଲେ ୨୧ତମ ଜନଗଣନା ସର୍ଭେରେ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଗାଈଗୋରୁଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି ।