ଭୁବନେଶ୍ୱର, ୦୧/୦୬ : ଅମୃତ ଭାବି ପିଉଛୁ । ହେଲେ ଅଜାଣତରେ ପେଟକୁ ଯାଉଛି ବିଷ । କେତେବେଳେ କଷ୍ଟିକ୍‌ ସୋଡ଼ା ମିଶୁଛି, ତ କେତେବେଳେ ଡିଟରଜେଣ୍ଟ୍‌ ଗନ୍ଧ ଆସୁଛି । ସ୍ୱାଦ ବି ମିଠା ଲାଗୁଛି । ବାସ୍ତବରେ ଏହା କ୍ଷୀର କି କ’ଣ ତାହା ଜାଣିହେଉନି । ଅପମିଶ୍ରିତ କ୍ଷୀରର ଚେର ଏବେ ସାରା ରାଜ୍ୟକୁ ଲମ୍ବିଲାଣି । ହେଲେ ଆଖିଦୃଶିଆ ଚଢ଼ଉ ହୋଇପାରୁନି । ଓଡ଼ିଶାରେ ଅପମିଶ୍ରଣ କ୍ଷୀର କମ୍ପାନୀ ଉପରେ ଚଢ଼ଉ ଓ କ୍ଷୀର ଜବତ ନେଇ ଅନେକ ଉଦାହରଣ ରହିଛି । ଗତବର୍ଷ କଟକରେ ଅପମିଶ୍ରଣ କ୍ଷୀରକୁ ନେଇ ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ କଷ୍ଟିକ୍‌ ସୋଡା ମିଶାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର । ସେହି କ୍ଷୀରକୁ ପ୍ଲାଷ୍ଟିକ କଣ୍ଟେନରରେ ଭର୍ତ୍ତି କରି ବଜାରକୁ ଛଡାଯାଉଥିଲା । ଏହି କମ୍ପାନୀ ଉପରେ କମିଶନରେଟ୍‌ ପୁଲିସ ଚଢଉ କରିଥିଲା । ସେହିପରି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଷପଙ୍ଗି ନିକଟ ହୋଟେଲ ପଛପଟେ ଅପମିଶ୍ରଣ କ୍ଷୀର କାରବାରକୁ ରୋକିଥିଲା ପୁଲିସ । 

ରାଜ୍ୟ ବିଧାନସଭାର ତଥ୍ୟ ଅନୁସାରେ, ବର୍ତ୍ତମାନ ଓମଫେଡ୍‌ ସମେତ ୨୨ଟି କମ୍ପାନୀ ଦୁଗ୍‌ଧଜାତ ଦ୍ରବ୍ୟ ବ୍ୟବସାୟ କରୁଛନ୍ତି । ଏଥିମଧ୍ୟରୁ ୧୦ଟି କମ୍ପାନୀ ରାଜ୍ୟ ଭିତରର ଓ ୧୨ଟି ରାଜ୍ୟ ବାହାରର । ଏହି ସବୁ କମ୍ପାନୀମାନଙ୍କର କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରିବା ଖାଦ୍ୟ ସୁରକ୍ଷା କମିସନର୍‌ (ଏଫଏସଏସଏଆଇ)ର ଦାୟିତ୍ୱ । ୨୦୨୫ରେ ୨୨ଟି କମ୍ପାନୀର ୮୮ ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା । ସେଥିରୁ ୮ଟି ନମୁନା ନିମ୍ନମାନର ଥିଲା । ଅପମିଶ୍ରିତ କ୍ଷୀର ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ବୋଲି ସମ୍‌ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସୁଦାମ ଷଡ଼ଙ୍ଗୀ ଚେତେଇଛନ୍ତି । ଡା. ଷଡ଼ଙ୍ଗୀ କହିଛନ୍ତି, କେମିକାଲ ମିଶ୍ରିତ କ୍ଷୀର ପିଇଲେ କର୍କଟ ଭଳି ମାରାତ୍ମକ ରୋଗ ହେବ । ତେଣୁ ସଚେତନ ହେବା ସହ ସାର୍ଟିଫାଏଡ୍‌ କ୍ଷୀର ପିଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଧିକାରୀ ନାହାନ୍ତି, ଚଢ଼ଉ ଶୂନ 
ଅତୀତରେ କଟକ, ଜଗତସିଂହପୁରରେ ନକଲି କ୍ଷୀର କମ୍ପାନୀ ଓ ଅପମିଶ୍ରଣକାରୀଙ୍କ ଉପରେ ଚଢ଼ଉ କରାଯାଇଛି । ହଜାର ହଜାର ଲିଟର ନକଲି କ୍ଷୀର ଜବତ କରାଯାଇଛି । ହେଲେ ଭୁବନେଶ୍ୱରରେ ଆଖିଦୃଶିଆ ଚଢଉ ହୋଇପାରୁନି । କାଁ ଭାଁ କେଉଁଠି କେମିତି ଚଢ଼ଉ ହେଉଛି । ବଡ଼କଥା ହେଉଛି, ଭୁବନେଶ୍ୱର ସହରାଞ୍ଚଳ ଆବଶ୍ୟକ ସଂଖ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି । ଏଠାରେ ୬୭ଟି ୱାର୍ଡ ଥିବା ବେଳେ ମାତ୍ର ୫ ଜଣ ଅଧିକାରୀ ଅଛନ୍ତି । ସାରା ରାଜ୍ୟରେ ଏବେ ୬୩ଜଣ ଅଧିକାରୀ ଅଛନ୍ତି । ବରିଷ୍ଠ ଅଧିକାରୀ ସତ୍ୟଜିତ ପଟେଲଙ୍କ କହିବା କଥା, ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନାହାନ୍ତି । ତଥାପି ଅଭିଯୋଗ ଆସିଲେ, ଆମେ ବିଭିନ୍ନ ସମୟରେ ଚଢ଼ଉ କରୁଛୁ । କ୍ଷୀର ସହ କ୍ଷୀରଜାତ ଉତ୍ପାଦକ ମଧ୍ୟ ଜବତ କରୁଛୁ । ଦିଲ୍ଲୀରୁ ଏଫ୍‌ଏସ୍‌ଏସ୍‌ଆଇଙ୍କ ନିର୍ଦ୍ଦେଶ ଆସିଲେ ଆମେ ପୁଣି କ୍ଷୀର କମ୍ପାନୀ ଉପରେ ଚଢଉ କରିବୁ । ଖୁବଶୀଘ୍ର ୮୪ଜଣ ଅଧିକାରୀ ନିଯୁକ୍ତି ପାଇିବେ ବୋଲି ସେ କହିଥିଲେ।

ଆହୁରି ପଢନ୍ତୁମାନିଲାନି ଅମାନିଆ ଇସ୍କନ, ଆମେରିକା ପରେ କାନାଡାରେ ଅଦିନିଆ ରଥଯାତ୍ରା, ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଷ୍ଟ କରିବାକୁ ଅପଚେଷ୍ଟା

ଦେଶୀ ଗାଈଙ୍କ ପ୍ରଜନନ କ୍ଷମତା ବଢ଼ୁ 

ଓୟୁଏଟିର ଅବସରପ୍ରାପ୍ତ ପ୍ରାଣୀ ବିଶେଷଜ୍ଞ ତଥା ଗବେଷକ ପ୍ର. ସୁଶାନ୍ତ ଦାସ କହିଛନ୍ତି, ଦେଶୀ ଗାଈଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପାଇବାର ଆବଶ୍ୟକତା ରହିଛି । ଆମ ରାଜ୍ୟରେ ବିଞ୍ଝାରପୁରୀ, ମୋଟୁ, ଖରିଆର ଓ ଘୁମୁସରୀ ଭଳି ୪ଟି ଦେଶୀ ପ୍ରଜାତିର ଗାଈ ଅଛନ୍ତି । ବିଞ୍ଝାରପୁରୀ ଗାଈଙ୍କ ଶୁକ୍ରାଣୁ ମିଳୁଥିବାରୁ ତାର ବଂଶ ବୃଦ୍ଧି ହେଉଛି । ହେଲେ ଅନ୍ୟ ପ୍ରଜାତିର ଶୁକ୍ରାଣୁ ଏବେ ଆସିନି । ସାଧାରଣତଃ ଦେଶୀ ଗାଈ ଜୀବନକାଳ(୨୦ବର୍ଷ) ମଧ୍ୟରେ ୧୨ରୁ ୧୪ଟି ବାଛୁରୀ ଜନ୍ମ କରୁଛି । ହେଲେ ୬ରୁ ୭ଟି ବାଛୁରୀ ଜନ୍ମ ନେଉଛି । ଗାଈଟି ୯୦ ଦିନ ଅନ୍ତରରେ ଗର୍ଭଧାରଣ କରିବା କଥା । ହେଲେ ସେଭଳି ହେଉନି । ଏହାର କାରଣ ଆଗରୁ ଗାଈମାନେ ବାହାରେ ଯାଇ ଚରୁଥିଲେ । ଷଣ୍ଢ ସଂସ୍ପର୍ଶରେ ଆସି ଗର୍ଭଧାରଣ କରୁଥିଲେ । ହେଲେ ଏବେ ଘରେ ରହୁଛନ୍ତି । ସିମେନ୍‌ ବି ଠିକ୍‌ସେ ପହଞ୍ଚୁନି । ସେଥିପାଇଁ ଆମେ କ୍ଷୀର ଉତ୍ପାଦନ ପଛରେ ଅଛେ । ଏଥିପାଇଁ ସଚେତନତା ଦରକାର । ଉନ୍ନତ ଷଣ୍ଢ ସୃଷ୍ଟି କରିବାକୁ ପଡ଼ିବ । ଆଇସିଏମଆରର ରିପୋର୍ଟ ଅନୁସାରେ, ରାଜ୍ୟରେ ମୁଣ୍ଡ ପିଛା ୩ଶହ ମିଲି କ୍ଷୀର(ଫୁଲ୍‌ ଗ୍ଲାସ୍‌) ଆବଶ୍ୟକ, ହେଲେ ମିଳୁଛି ଅଧା । ତେଣୁ କ୍ଷୀର ଉତ୍ପାଦନ ବଢାଇବାକୁ ହେଲେ ଗାଈଙ୍କ ପ୍ରଜନନ କ୍ଷମତା ବଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Massive Fire Breaks Out At Cuttack | କଟକ ମାଛ ମାର୍କେଟରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ