ଭୁବନେଶ୍ବର, ୨୩।୪ : ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେବା ନେଇ ରାଜ୍ୟର ପାଞ୍ଚଟି ଜିଲ୍ଲାର ୧୨ଟି ସ୍ଥାନରେ ବୁଧବାର ସିବିଆଇ ଚଢାଉ କରିଛି।  ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାର ୧୨ ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଏଥିରେ  ମଧ୍ୟସ୍ଥି ସାଜିଥିବା ବ୍ୟକ୍ତି,   ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ତିଆରି କରିବାରେ ସାମିଲ ବ୍ୟକ୍ତିଙ୍କ ଘରେ ସିବିଆଇ ଯାଞ୍ଚ କରିଛି । ଯାଞ୍ଚ ସମୟରେ ଅନେକ ଡକ୍ୟୁମେଣ୍ଟ ସିବଆଇ ଜବତ କରିଛି।

ଓଡ଼ିଶା ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ଅଭିଯୋଗ କ୍ରମେ  ୨୦୨୩ ମେ ୯ ତାରିଖରେ ଏହି ମାମଲା ସିବିଆଇରେ ରୁଜୁ ହୋଇଥିଲା। ୨୦୨୩  ଗ୍ରାମୀଣ ଡାକ ସେବକ  ନିଯୁକ୍ତି ପ୍ରକ୍ରିୟା ସମୟରେ ଚାକିରି ପାଇବା ପାଇଁ କିଛି ପ୍ରାର୍ଥୀ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିବା  ଅଭିଯୋଗରେ ଦର୍ଶାଯାଇଥିଲା। 

ଏହି ମାମଲାରେ, ସିବିଆଇ ୩୦/୧୦/୨୦୨୪ ରେ  ୫୫ ଜଣ ପ୍ରାର୍ଥୀ ଏବଂ ତିନି ଜଣ ମଧ୍ୟସ୍ଥିଙ୍କ ବିରୁଦ୍ଧରେ  କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛି। ଜାଲିଆତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା,  ଠକେଇରେ ଜଡିତ ଅନ୍ୟ ପ୍ରାର୍ଥୀମାନଙ୍କୁ ଏବଂ ସାର୍ଟିଫିକେଟ୍ ଜାଲିଆତି ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରିବା ପାଇଁ  ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।