ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାମ ମନ୍ଦିର ନିକଟ ବ୍ରିଜ ଆଣ୍ଡ ରୁଫ୍ କୋ ଲିମିଟେଡ୍ କମ୍ପାନୀରେ ସିବିଆଇର ଚଢ଼ାଉ, ଡିଲ୍ ବେଳେ ଧରାପଡିଲା ୨୦ ଲକ୍ଷରୁ ଅଧିକ ଟଙ୍କା

Published By : Swapna Ray | December 8, 2024 11:59 AM

ଭୁବନେଶ୍ୱର, ୮।୧୨: ଦାମୀ କାରରୁ ଟଙ୍କା ଜବତ ଘଟଣା । ବ୍ରିଜ ଆଣ୍ଡ ରୁଫ୍ କୋ ଲିମିଟେଡ୍ କମ୍ପାନୀ ଉପରେ ସିବିଆଇ ରେଡ୍ । ଟେଣ୍ଡର ପାଇଁ ଡିଲ୍ ବେଳେ ୨୦ ଲକ୍ଷର ଲାଞ୍ଚ କାରବାର । ରାମ ମନ୍ଦିର ନିକଟ ବ୍ରିଜ ଆଣ୍ଡ ରୁଫ୍ କୋ ଲିମିଟେଡ୍‌ରେ  ତନାଘନା କରୁଛି ସିବିଆଇ I ସର୍ବ ଭାରତୀୟ ସ୍ତରରେ କମ୍ପାନୀ ଉପରେ ଚଢ଼ାଉ ହେଉଛି । 

ସୂଚନାନୁଯାୟୀ, ଓଡ଼ିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଛି । ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହୋଇଛି । ଆଦିତ୍ୟ ଦେବ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘର ଓ ଅଫିସ ଉପରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ଶନିବାର ରାତିରେ ସିବିଆଇର ଦୁଇଟି ଟିମ୍ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ମେ ଫେୟାର ହୋଟେଲ ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଏକ ଦାମୀ କାର୍‌ରେ ଡିଲ୍‌ ହେଉଥିବା ବେଳେ ଧରିଥିଲେ । ସିବିଆଇ ସୂତ୍ରରୁ ଜଣାପଡ଼ିଥିବା ବ୍ରିଜ ଆଣ୍ଡ ରୁଫ୍ କୋ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଛି । ଫଳରେ ଦିଲ୍ଲୀ, କୋଲକତା ଓ ଓଡ଼ିଶାରେ ରେଡ୍ ଜାରି ରଖିଛି ସିବିଆଇ ।

ସୂଚାନୁସାରେ, ଶନିବାର ସନ୍ଧ୍ୟାରେ ଲାଞ୍ଚ କାରବାରକୁ ନେଇ ତାରକା ହୋଟେଲରେ ଟେଣ୍ଡର ପାଇଁ ଡିଲ୍ ହେବାକୁ ଥିଲା । ନେଣଦେଣ ପୂର୍ବରୁ ତାରକା ହୋଟେଲ୍‌ ପରିସରରେ ପହଞ୍ଚି ଲାଞ୍ଚ ଦେବାକୁ ଆସିଥିବା ଲୋକଙ୍କୁ ଧରିଲା । ଧରାପଡ଼ିଥିବା ଅଭିଯୁକ୍ତ ପାହାଳରେ ରହୁଥିବା ଭଦ୍ରକର ଦେବଦତ୍ତ ମହାପାତ୍ର ଓରଫ ବାପି ବୋଲି ଜଣାପଡ଼ିଛି । ଲାଞ୍ଚ ନେବାକୁ ଆସିଥିବା ବ୍ୟକ୍ତି ଜଣଙ୍କ ହେଲେ ବ୍ରିଜ୍‌ ଆଣ୍ଡ ରୁଫ୍‌ ସଂସ୍ଥାର ଆଞ୍ଚଳିକ ମୁଖ୍ୟ । ଚଢ଼ାଉରେ ଦେବଦତ୍ତଙ୍କ ଦାମୀ କାରରୁ ୨୦ ଲକ୍ଷରୁ ଅଧିକ ଟଙ୍କା, ଦାମୀ ଘଡ଼ି ଜବତ କରିଛି ସିବିଆଇ । ସମସ୍ତଙ୍କୁ ସିବିଆଇ ନୂଆପଲ୍ଳୀ ଥାନାରେ ଅଟକ ରଖିଥିଲା । 

କହିରଖୁ କି, ଦେବଦତ୍ତ ଜଣେ ଏ’ କ୍ଲାସ୍‌ କଣ୍ଟ୍ରାକ୍ଟର । ସେ ତାଙ୍କ ପୁଅଙ୍କ ନାଁରେ ଏକ ବିଲ୍ଡର ସଂସ୍ଥା କରିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ ପକ୍ଷରୁ ଓଡ଼ିଶାରେ ଏକ ନିର୍ମାଣ କାମକୁ ନେଇ କିଛି ଦିନ ତଳେ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା । ସିବିଆଇ ଏହାର ତଦନ୍ତ କରିବା ସହ ଆଞ୍ଚଳିକ ମୁଖ୍ୟଙ୍କ ଉପରେ ନଜର ରଖିଥିଲା । ବ୍ରିଜ୍‌ ଆଣ୍ଡ ରୁଫ୍‌ର ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଥିବା ଅଧିକାରୀଙ୍କ ଉପରେ ସିବିଆଇ ନଜର ରଖିଥିଲା । କଣ୍ଟ୍ରାକ୍ଟର ଦେବଦତ୍ତ ଓ ଉକ୍ତ ଅଧିକାରୀ ଜଣଙ୍କ ଶନିବାର ସନ୍ଧ୍ୟା ସାଢ଼େ ୭ଟା ବେଳେ ନୂଆପଲ୍ଳୀରେ ଥିବା ମେ ଫେୟାର ହୋଟେଲରେ ବସିଥିଲେ । ସେଠାରେ ଆଲୋଚନା ପରେ ଦେବଦତ୍ତଙ୍କ କାରରୁ ଟଙ୍କା ନେଇ ଅଧିକାରୀ ଜଣକ ଘରକୁ ଯାଇଥାନ୍ତେ । ହୋଟେଲ ବାହାରେ ଦେବଦତ୍ତଙ୍କ ମର୍ସିଡିଜ୍‌ କାର୍‌ (ଓଡି୦୫ବିଏନ୍‌୯୯୯୯) ଲାଗିଥିଲା । ସିବିଆଇ ଅଧିକାରୀମାନେ ହୋଟେଲ ଭିତରେ ପଶି ୨ଜଣଙ୍କୁ କାବୁ କରିଥିଲେ । ପରେ କାରରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲେ । ଉଭୟଙ୍କୁ ନୂଆପଲ୍ଲୀ ଥାନାରେ ଅଟକ ରଖିଥିଲା ସିବିଆଇ । ଘଟଣାର ତଦନ୍ତ ପରେ ଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

 

 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.