ନୂଆଦିଲ୍ଲୀ,୧୪।୫: ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଏଡିଏ ଗ୍ରୁପ୍ ଓ ରିଲାୟନ୍ସ କମ୍ୟୁନିକେସନ୍ ଲିମିଟେଡ୍ (ଆରକମ୍) ଉପରେ ସିବିଆଇ ଚଢାଉ। ଆରକମ୍ ବିରୋଧରେ ଦାଖଲ କରାଯାଇଥିବା ମାମଲା ଅଭିଯୋଗରେ ମୁମ୍ବାଇ, ଗୁରଗାଓଁ ଏବଂ ବେଙ୍ଗାଲୁର ସହିତ ୭ଟି ସ୍ଥାନରେ ଥିବା ଭିନ୍ନ ଭିନ୍ନ ଠିକଣାରେ ରେଡ୍ କରାଯାଇଛି। ସିବିଆଇ ଅଧିକାରୀ ୨୦୧୫-୨୦୧୭ ବେଳେ କମ୍ପାନୀର ତତ୍କାଳୀନ ସିଇଓ, ସିଏଫ୍ଓ ଏବଂ ଡାଇରେକ୍ଟରଙ୍କ ବାସଭବନ ପରିସରରେ ରେଡ୍ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତିଙ୍କ ଦ୍ବାରା ୧୪ ମଇ ୨୦୨୬ ରେ ଜାରି ସର୍ଚ୍ଚ ଓ୍ବାରେଣ୍ଟ ଆଧାରରେ କରାଯାଇଛି। ଚଢାଉ ବେଳେ ହୋଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ବର୍ତ୍ତମାନ ଏବେ ବି ଯାଞ୍ଚ ଜାରି ରହିଛି।

ଉଲ୍ଲେଖନୀୟ ଯେ, ଗତ କିଛି ମାସରେ ସିବିଆଇ ବିଭିନ୍ନ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଓ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଅଭିଯୋଗ ଆଧାରରେ ଅନିଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପ୍ ବିରୋଧରେ ମୋଟ ୭ଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଳାରେ ମୋଟ ୨୭,୩୩୭ କୋଟି ଟଙ୍କାର କଥିତ ଠକେଇ ଅଭିଯୋଗ ରହିଛି। ଏହା ପୂର୍ବରୁ ସିବିଆଇ ୩୧ଟି ଆଡ୍ଡାରେ ଚଢାଉ କରି ସାରିଛି। ୨୦ ଏପ୍ରିଲ ୨୦୨୬ରେ ଆରକମ୍ର ଦୁଇ ବରିଷ୍ଠ ଅଧିକାରୀ ବିଶ୍ବନାଥ ଓ ଭାଇସ୍ ପ୍ରେସିଡେଣ୍ଟ ଅନିଲ କଲ୍ୟାଣଙ୍କୁ ଗିରଫ କରାଯାଇଥିଲା। ଦୁହିଁଙ୍କୁ ନ୍ୟାୟିକ ହେପାଜତରେ ନିଆଯାଇଥିଲା। ଉଲ୍ଲେଖନୀୟ ଯେ, ଅନିଲ ଅମ୍ବାନୀଙ୍କ ଗ୍ରୁପ୍ ସହ ଜଡିତ ସବୁ ମାମଲାର ଯାଞ୍ଚ ସୁପ୍ରିମକୋର୍ଟଙ୍କ ତଦାରଖରେ ଚାଲିଛି।

ଉଲ୍ଲେଖନୀୟ ଯେ, ଗତ ଶନିବାର ରିଲାୟନ୍ସ ଏଡିଏ ଗ୍ରୁପର କମ୍ପାନୀ ଟେଲିକମ୍ ଲିମିଟେଡ୍, (ରିଲାୟନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ୍ ଓ ରିଲାୟନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍) ତଥା ତାଙ୍କ ନିର୍ଦେଶକଙ୍କ ବିରୋଧରେ ତିନୋଟି ମାମଲାରେ ମୁମ୍ବାଇର ୧୭ଟି ସ୍ଥାନରେ ତଲାସୀ ନେଇଥିଲା। ସିବିଆଇ ମୁଖପାତ୍ରଙ୍କ କହିବା ଅନୁସାରେ,ଚଢାଉ ବେଳେ ଏହି କମ୍ପାନୀର ନିର୍ଦେଶକଙ୍କ ବାସଭବନ ପରିସର ବ୍ୟତୀତ ସେହି ମଧ୍ୟସ୍ଥ କମ୍ପାନୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲା, ଯାହାର ଖାତାରେ କଥିତ ଭାବରେ ବ୍ୟାଙ୍କର ଅର୍ଥ ହେରଫେର ପାଇଁ ଉପଯୋଗ କରାଯାଇଥିଲା। ବହୁ ମଧ୍ୟସ୍ଥି କମ୍ପାନୀ ଗୋଟିଏ ଠିକଣାରୁ ପରିଚାଳିତ ହେଉଥିଲା। ସିବିଆଇ ବ୍ୟାଙ୍କ ଏବଂ ଏଲଆଇସିକୁ କଥିତ କ୍ଷତିର ମୋଟ୍ ଟଙ୍କା ୨୭,୩୩୭ କୋଟି ଟଙ୍କା ବୋଲି କହିଛି। କେନ୍ଦ୍ରୀୟ ଏଜେନ୍ସି ବିଭିନ୍ନି ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ଓ ଏଲଆଇସି ଅଭିଯୋଗ ଆଧାରରେ ରିଲାୟନ୍ସ ଗ୍ରୁପ୍ ବିରୋଧରେ ହଜାର ହଜାର କୋଟି ଟଙ୍କାର କଥିତ ଠକେଇର ୭ଟି ମାମଲା ରୁଜୁ କରି ଯାଞ୍ଚ କରୁଛି।