ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ଆନ୍ଧ୍ର ପ୍ରଦେଶର ୧୬ଟି ସ୍ଥାନରେ ସୋମବାର ଏକକାଳୀନ ଚଢାଉ କରିଛି ସିବିଆଇ । ବାଲ୍ମିକି କର୍ପୋରେସନରୁ ସରକାରୀ ଟଙ୍କା ଚୋରି କରି ରାଜନେତାଙ୍କ ସମ୍ପର୍କୀୟ ଏବଂ ନିକଟ ସହଯୋଗୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଥିବା ଏହି ସରକାରୀ ସଂସ୍ଥାର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମଜି ରୋଡ୍ ଶାଖାରେ ଏକ ଆକାଉଣ୍ଟ ଥିଲା। ଏହି ମାମଲା ୩ ଜୁନ୍ ୨୦୨୪ରେ ପଞ୍ଜିକୃତ ହୋଇଥିଲା । ୟୁନିଅନ୍ ବ୍ୟାଙ୍କର ଡିଜିଏମଓଙ୍କ ଦ୍ୱାରା ଏକ ଅଭିଯୋଗ ଦିଆଯାଇଥିଲା ଯେ, ଠକେଇ, ନକଲି ଡକ୍ୟୁମେଣ୍ଟ ଏବଂ ଭୁଲ ଟ୍ରାନ୍ସଫର ମାଧ୍ୟମରେ ଆକାଉଣ୍ଟରୁ ୮୪.୬୩ କୋଟି ଟଙ୍କା ଉଠାଯାଇଥିଲା।
ଟଙ୍କା କାରବାରର ଏହି ଖେଳ ୨୧ ଫେବୃଆରୀ ୨୦୨୪ ରୁ ୬ ମେ ୨୦୨୪ ମଧ୍ୟରେ ଚାଲିଥିଲା । ପରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିଥିଲେ। ଏହି ସମୟରେ ୧୬ ନଭେମ୍ବର ୨୦୨୪ରେ ବିଧାୟକ ବାସନଗୌଡା ଆର. ପାଟିଲ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେ, ସିବିଆଇ ଯଥାଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ଉଚିତ । ଏପର୍ଯ୍ୟନ୍ତ ୪ଟି ରିପୋର୍ଟ ଦାଖଲ ହୋଇଛି ଏବଂ କୋର୍ଟ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। କୋର୍ଟ ଏହି ମାମଲାରେ ସକ୍ରିୟ ହେବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ଏପର୍ଯ୍ୟନ୍ତ ତଦନ୍ତରେ ଅନେକ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡିଛି ଯେ, କେବଳ ବାଲ୍ମୀକି କର୍ପୋରେସନ ନୁହେଁ, ଏସଟି କଲ୍ୟାଣ ବିଭାଗ ଏବଂ କର୍ଣ୍ଣାଟକ ଜର୍ମାନ ବୈଷୟିକ ତାଲିମ ପ୍ରତିଷ୍ଠାନ (କେଜିଟିଟିଆଇ)ର ଟଙ୍କା ମଧ୍ୟ ଭୁଲ ଭାବରେ ସ୍ଥାନାନ୍ତର କରାଯାଇଥିଲା। ବେଙ୍ଗାଲୁରୁର ସିଦ୍ଧାୟ ରୋଡରେ ଥିବା ବ୍ୟାଙ୍କ ଅଫ୍ ବରୋଦାରୁ ୨.୧୭ କୋଟି ଟଙ୍କା ଉଠାଯାଇଥିଲା ଏବଂ ମେସର୍ସ ଏସକେଆର ଇନଫ୍ରାଷ୍ଟକ୍ଚର ଏବଂ ମେସର୍ସ ଗୋଲଡେନ୍ ଏଷ୍ଟାବ୍ଲିସମେଣ୍ଟ ଭଳି ମଧ୍ୟସ୍ଥି କମ୍ପାନୀ ମାଧ୍ୟମରେ ମେସର୍ସ ଧନଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଆକାଉଣ୍ଟକୁ ପଠାଯାଇଥିଲା । ଏହି କମ୍ପାନୀ ମନ୍ତ୍ରୀ ବି. ନାଗେନ୍ଦ୍ରଙ୍କ ନିକଟତମ ସହଯୋଗୀ ନାଗରାଜଙ୍କର ।
ଏଥିମଧ୍ୟରୁ ପ୍ରାୟ ୧.୨୦ କୋଟି ଟଙ୍କା ମନ୍ତ୍ରୀଙ୍କ ଭାଇଭଉଣୀ ଏବଂ ବ୍ୟକ୍ତିଗତ ସହାୟକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ, ଏହା ପରେ କାନାଡ଼ା ବ୍ୟାଙ୍କ, ୱିଲସନ ଗାର୍ଡେନ ଶାଖାରୁ ପ୍ରାୟ ୬୪ ଲକ୍ଷ ଟଙ୍କା ଉଠାଯାଇଥିଲା ଏବଂ ମେସର୍ସ ସଦଗୁରୁ ଏଜୁକେସନ ଟ୍ରଷ୍ଟ, ମେସର୍ସ ସଦଗୁରୁ ସଲ୍ୟୁସନ୍ସ, ତା'ପରେ ମେସର୍ସ ସ୍କିଲପଏଣ୍ଟ ଟ୍ରେନିଂ, ତା'ପରେ ମେସର୍ସ ଷ୍ଟାଇଲ୍ ମେସିନ୍ ଏବଂ ଏନ. ରବିକୁମାର (ନାଗରାଜଙ୍କ ଭାଇ) ଏବଂ ଏନ. ଯଶୋବନ୍ତ ଚୌଧୁରୀ (ଭଣଜା)ଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସିବିଆଇ ଚଢାଉ ଏବଂ ତଦନ୍ତରୁ ଏହା ସ୍ପଷ୍ଟ ଯେ, ସରକାରୀ ଯୋଜନାର ଟଙ୍କା ରାଜନେତାଙ୍କ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହୃତ ହୋଇଥିଲା। କୋର୍ଟ ମଧ୍ୟ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଆଗାମୀ ସମୟରେ ଆହୁରି ବଡ଼ ଖୁଲାସା ହୋଇପାରେ ।