ଭୁବନେଶ୍ୱର,୧୧/୦୮:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ  କରାଯିବ ପରିବର୍ତ୍ତନ । ବହି ଦେଖି ପିଲାମାନେ ପରୀକ୍ଷା ଦେବେ । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ  କରାଯିବ । ଜୁନ୍‌ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ  ଅନୁମୋଦନ ଦେଇଛି ସିବିଏସ୍‌ଇ । 

ଜୁନ୍‌ ମାସରେ ସିବିଏସ୍‌ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍‌ ବୁକ୍‌ ଆସେସ୍‌ମେଣ୍ଟ ନେଇ ଆଲୋଚନା ହୋଇଥିଲା। ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍‌ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍‌ କରିକୁଲମ  ଫ୍ରେମ୍‌ୱାର୍କ ଫର ସ୍କୁଲ ଏଜୁକେସନ  (ଏନ୍‌ସିଏଫ୍‌ଏସ୍‌ଇ)କୁ ଗୁରୁତ୍ୱ ଦେଇ  ଏପରି ପଦକ୍ଷେପ ନିଆଯାଇଛି ।  ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍‌, ଲାଇବ୍ରେରୀ ମ୍ୟାଟେରିଆଲ୍‌କୁ  ବ୍ୟବହାର କରିବାକୁ ସୁଯୋଗ  ପ୍ରଦାନ କରାଯିବ ।

ପାଠ୍ୟକ୍ରମରୁ କ୍ରସ୍‌ କଟିଂ ଥିମ୍‌ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯିବ ।  ଯାହାକୁ ନେଇ ପିଲା ବହି ଦେଖି ପରୀକ୍ଷା ଦେବେ । ଏହାକୁ  ନେଇ ସାମ୍ପୁଲ ପେପର ପ୍ରସ୍ତୁତ କରାଯିବ । ସେହିପରି  ପ୍ରଶ୍ନ ପତ୍ରକୁ ଗୁଣାତ୍ମକ କରାଯିବା ସହ କ୍ରିଟିକାଲ୍‌ ଥିଙ୍କିଯୁକ୍ତ  କରାଯିବ । ଯାହା ଦ୍ୱାରା ପିଲାଙ୍କ ଦକ୍ଷତାକୁ ମଧ୍ୟ ମାପି ହେବ । ସିବିଏସ୍‌ଇ ପକ୍ଷରୁ କୁହାଯାଇଛି, ଯେଉଁ ସ୍କୁଲମାନେ  ଏହାକୁ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ  ମାର୍ଗଦର୍ଶନ ଦିଆଯିବ । ଏପରିକି ଏଥିପାଇଁ ସ୍ୱତନ୍ତ୍ର  ମାର୍ଗଦର୍ଶିକା ମଧ୍ୟ ଜାରି ହେବ । 

ସୂଚନାଯୋଗ୍ୟ, ୨୦୨୩ ମସିହା ଡିସେମ୍ବରରେ  ସିବିଏସ୍‌ଇ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ  କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ ପରିକଳ୍ପନା  କରାଯାଇଥିଲା । ଏପରିକି ପାଇଲଟ୍‌ ଷ୍ଟଡି ଭାବେ ଓପନ୍‌  ବୁକ୍‌ ଆସେସ୍‌ମେଣ୍ଟକୁ ଅନୁମୋଦନ ମିଳିଥିଲା । ଏହାକୁ  ବର୍ତ୍ତମାନ ନବମ ଶ୍ରେଣୀରେ କାର୍ଯ୍ୟକାରୀ କରାଯିବ ।  ଏତିକି ନୁହେଁ ୨୦୧୪ ମସିହାରେ ନବମ ଶ୍ରେଣୀର  ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଯେଉଁଥିରେ ହିନ୍ଦୀ,  ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନକୁ ବିଷୟକୁ  ନେଇ ହୋଇଥିଲା । ଏହାପରେ ଏକାଦଶ ଶ୍ରେଣୀରେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ୨୦୧୭-୧୮ ମସିହାରେ  ବନ୍ଦ କରି ଦିଆଯାଇଥିଲା ।