ନବରଙ୍ଗପୁର,୧୨/୦୯: ଉମରକୋଟ ବ୍ଲକ୍ ବଡ଼ବାସିନୀ ଗାଁର ଗର୍ଭବତୀ ଆଶାକର୍ମୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ନେଇ ତାତିଲା ଜିଲ୍ଲା ଆଶାକର୍ମୀ ସଂଘ । ୫ ଦଫା ଦାବି ନେଇ ଆଶା କର୍ମୀ ସଂଘ ସିଡିଏମଓ ଅଫିସ ଘେରାଉ କରିଛି । ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କୁ ଗିରଫ ଦାବି କରିଛନ୍ତି । ଉମରକୋଟ ଡାକ୍ତରଖାନାର ଡାକ୍ତର ସାଗରିକା ସ୍ଵାଇଁଙ୍କୁ ୬ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଆସନ୍ତାକାଲି ଠାରୁ ଆଶାକର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଙ୍ଘର ସମ୍ପାଦିକା ଗୀତାଞ୍ଜଳି ହରିଜନ ଚେତାବନୀ ଦେଇଛନ୍ତି।
ସେହିଭଳି ମୃତ ଗର୍ଭବତୀ ଆଶାକର୍ମୀ ଦଇମତିଙ୍କ ପରିବାରକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହା ସହ ସମସ୍ତ ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ସହ ସରକାର ମାନ୍ୟତା ଘୋଷଣା ପର୍ଯ୍ୟନ୍ତ ମାସିକ ବେତନ ୨୪ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଆଶାକର୍ମୀମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୧୦ଲକ୍ଷ ଟଙ୍କା ଓ ସ୍ଵାଭାବିକ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି । ଏଥି ସହିତ ମାସିକ ପେନସନ୍ ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଆଶାକର୍ମୀ ସଙ୍ଘର କେନ୍ଦ୍ର ସଭାନେତ୍ରୀ ଝିମିଖୁରା , ଜିଲ୍ଲା ସଭାନେତ୍ରୀ କବିତା ସ୍ଵାଇଁ, ସମ୍ପାଦିକା ଗୀତାଞ୍ଜଳି ହରିଜନ, ଉପଦେଷ୍ଟା ପରମେଶ୍ଵର ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ପ୍ରମୁଖ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୩୧ ତାରିଖରେ ଉମରକୋଟ ବ୍ଲକ ବଡବାସନୀ ଗାଁର ଗର୍ଭବତୀ ଆଶାକର୍ମୀ ଦଇମତି ଭତ୍ରାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଗର୍ଭବତୀ ଆଶାକର୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଉମରକୋଟ ଡାକ୍ତରଖାନାର ଡାକ୍ତର ସାଗରିକା ସ୍ଵାଇଁ ଆଶାକର୍ମୀ ଗର୍ଭବତୀଙ୍କୁ ଅଧା ଅସ୍ତ୍ରୋପଚାର କରିବା ପରେ ଶେଷ ମୁହୂର୍ତ୍ତରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେଣୁ ଚିକିତ୍ସାରେ ଅବହେଳା ଯୋଗୁଁ ଅକାରଣରେ ଗର୍ଭବତୀ ଆଶାକର୍ମୀ ଓ ଗର୍ଭସ୍ଥ ଶିଶୁଙ୍କ ଜୀବନ ଚାଲିଯାଇଛି । ଡାକ୍ତରଙ୍କ ଅବହେଳାର ପ୍ରତିବାଦ କରି ଆଶାକର୍ମୀଙ୍କ ମୃତଦେହକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳରେ ଉମରକୋଟ ତହସିଲଦାର, ପୌରନିର୍ବାହୀ ଅଧିକାରୀ, ଏସଡିପିଓ ପ୍ରମୁଖ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଶତାଧିକ ଆଶାକର୍ମୀ ସିଡିଏମଓ ଅଫିସକୁ ଘେରାଉ କରିଛନ୍ତି। ଅନ୍ୟପକ୍ଷରେ ସିଡିଏମଓ ଡ଼ା ସନ୍ତୋଷ ପଣ୍ଡା ଡାକ୍ତରଙ୍କ ଅବହେଳାକୁ ଖଣ୍ଡନ କରିଛନ୍ତି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇଛି। ଗର୍ଭବତୀ ଆଶାକର୍ମୀ ରକ୍ତହୀନତାର ଶୀକାର ହୋଇଥିବା ବେଳେ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରବଳ ରକ୍ତସ୍ରାବ ହୋଇ ସାରିଥିଲା। ଉମରକୋଟରେ ରକ୍ତ ଚଢାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ସିଡିଏମଓ ଡ଼ା ସନ୍ତୋଷ ପଣ୍ଡା କହିଛନ୍ତି ।