ନୂଆଦିଲ୍ଲୀ, ୩୦।୫: ଭାରତୀୟ ସେନାର ସର୍ବୋଚ୍ଚ ସାମରିକ ଅଧିକାରୀ ତଥା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଅନିଲ ଚୌହାନ ଶନିବାର ନିଜ ପଦବୀରୁ ଅବସର ଗ୍ରହଣ କରିଛନ୍ତି । ସେନା ବାହିନୀରେ ତାଙ୍କର ଏହି କାର୍ଯ୍ୟକାଳ ଅତ୍ୟନ୍ତ ସନ୍ତୋଷଜନକ ଏବଂ ଗୌରବମୟ ଥିଲା ବୋଲି ସେ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ ଶେଷ ଥର ପାଇଁ ବର୍ଦ୍ଦି ପିନ୍ଧି ଶହୀଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତିନି ସେନା ପକ୍ଷରୁ ଦିଆଯାଇଥିବା ଭବ୍ୟ 'ଗାର୍ଡ ଅଫ୍ ଅନର' ଗ୍ରହଣ କରି ସେ ସାମରିକ ସେବାରୁ ବିଦାୟ ନେଇଛନ୍ତି । ଅବସର ପରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଜେନେରାଲ ଚୌହାନ କହିଛନ୍ତି, "ସ୍ଥଳ, ନୌ ଓ ବାୟୁସେନା ତିନି ସେନା ବାହିନୀ ଦ୍ୱାରା ପ୍ରଦତ୍ତ ଏହି ସମ୍ମାନଜନକ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ଏଥିପାଇଁ ମୁଁ ତିନି ସେନା ଏବଂ ମୁଖ୍ୟାଳୟ IDS କୁ ଧନ୍ୟବାଦ ଜଣାଉଛି । ଏହି ବିଦାୟ ସମାରୋହ ସହିତ ମୁଁ ମୋର ବର୍ଦ୍ଦିଧାରୀ ସହକର୍ମୀ ଓ ବନ୍ଧୁମାନଙ୍କୁ ସଦାସର୍ବଦା ପାଇଁ ବିଦାୟ ଦେଉଛି ।"
CDSରୁ ନାଗରିକ ଜୀବନର ଟ୍ରାଞ୍ଜିସନ:
ନିଜର ଭାବପୂର୍ଣ୍ଣ ସମ୍ବୋଧନରେ ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ, ବର୍ଦ୍ଦିରେ ଥାଇ ଶେଷ ଥର ପାଇଁ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ସପୁତମାନଙ୍କ ପ୍ରତି ଏକ ନମ୍ର ଶ୍ରଦ୍ଧାଞ୍ଜଳି ଥିଲା । ସେ ଆହୁରି ମଧ୍ୟ କହିଛନ୍ତି, "ଶ୍ରଦ୍ଧାଞ୍ଜଳି ସରିବା ପରେ ମୋର ବନ୍ଧୁ, ସମ୍ପର୍କୀୟ ଏବଂ ଶୁଭେଚ୍ଛୁମାନେ ମୋତେ ସ୍ୱାଗତ କରିଥିଲେ । ଏହା ମୋ ପାଇଁ ସାମରିକ ବର୍ଦ୍ଦିରୁ ସାଧାରଣ ନାଗରିକ ଜୀବନକୁ ପ୍ରବେଶ କରିବାର ଏକ ସଙ୍କେତ । ସେନାରେ ମୋର ସେବାକାଳ ଉତ୍କୃଷ୍ଟ ଓ ଅତ୍ୟନ୍ତ ସନ୍ତୋଷଜନକ ରହିଛି ।" ସୂଚନାଯୋଗ୍ୟ ଯେ, କ୍ୟାବିନେଟ୍ ନିଯୁକ୍ତି ସମିତି ସେପ୍ଟେମ୍ବର ୨୦୨୫ ରେ ସିଡିଏସ୍ ଏବଂ ସାମରିକ ବ୍ୟାପାର ବିଭାଗର ସଚିବ ଭାବରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲେ, ଯାହାଫଳରେ ସେ ୩୦ ମେ ୨୦୨୬ ପର୍ଯ୍ୟନ୍ତ ଦେଶ ସେବା କରିବାର ସୁଯୋଗ ପାଇଥିଲେ ।
୪ ଦଶନ୍ଧିର ସେବା ଓ ମିଳିଥିବା ସର୍ବୋଚ୍ଚ ସମ୍ମାନ:
ଜେନେରାଲ ଅନିଲ ଚୌହାନ ୧୯୮୧ ମସିହାରେ ଭାରତୀୟ ସେନାରେ କମିଶନ ପ୍ରାପ୍ତ କରିଥିଲେ । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଏବଂ ଷ୍ଟାଫ୍ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛ ନ୍ତି। ତାଙ୍କର ଏହି ଅତୁଳନୀୟ ଓ ବିଶିଷ୍ଟ ସାମରିକ ସେବା ପାଇଁ ତାଙ୍କୁ ଅନେକ ସମ୍ମାନଜନକ ପଦକରେ ସମ୍ମାନିତ କରାଯାଇଛି, ଯେଉଁଥିରେ ସାମିଲ ଅଛି:
ପରମ ବିଶିଷ୍ଟ ସେବା ପଦକ (PVSM)
ଉତ୍ତମ ଯୁଦ୍ଧ ସେବା ପଦକ (UYSM)
ଅତି ବିଶିଷ୍ଟ ସେବା ପଦକ (AVSM)
ସେନା ପଦକ (SM)
ବିଶିଷ୍ଟ ସେବା ପଦକ (VSM)
ତିନି ସେନାର ଏକୀକରଣରେ ପ୍ରମୁଖ ଭୂମିକା:
ଦେଶର ଦ୍ୱିତୀୟ ସିଡିଏସ୍ (CDS) ଭାବରେ କାର୍ଯ୍ୟଭାର ତୁଲାଇବା ସମୟରେ ଜେନେରାଲ ଚୌହାନ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ସମନ୍ୱୟ ଏବଂ ଏକୀକରଣକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଏହି ପ୍ରୟାସ ଦେଶର ସାମରିକ ଶକ୍ତିକୁ ଆହୁରି ମଜବୁତ କରିଛି । ଆଶ୍ଚର୍ଯ୍ୟର କଥା ଯେ, ଆଜି ଅବସର ନେବା ପୂର୍ବରୁ ଗତ ଶୁକ୍ରବାର ଦିନ ସେ 'ଯୁକ୍ତ ବାୟୁ ପ୍ରତିରକ୍ଷା ନୀତି' ଜାରି କରିଛନ୍ତି । ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟାଳୟ ପକ୍ଷରୁ ଏହାକୁ ସଶସ୍ତ୍ର ବାହିନୀ ମଧ୍ୟରେ ଉତ୍ତମ ତାଳମେଳ ଏବଂ ଯୁଦ୍ଧ ପ୍ରସ୍ତୁତି ଦିଗରେ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରାଯାଇଛି । ଜେନେରାଲ ଅନିଲ ଚୌହାନଙ୍କ ଏହି ସଫଳ କାର୍ଯ୍ୟକାଳ ଓ ଅବସର ପରେ ସମଗ୍ର ସାମରିକ ପ୍ରତିଷ୍ଠାନ ଏବଂ ସେନା ବାହିନୀ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଆହୁରି ପଢ଼ନ୍ତୁ... Dowry Case: ଯୌତୁକ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, 'ବୋହୂ, ତାଙ୍କ ପରିବାରକୁ ଅପମାନ ବନ୍ଦ ହେଉ'