ଯେତେବେଳେ ଆମେ ଭବିଷ୍ୟତ ଆଡ଼କୁ ଦେଖିବା ଶିକ୍ଷାଗତ ଉତ୍କୃଷ୍ଟତା, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ଉନ୍ନତି ଭାରତର ଭାଷାଗତ ବିବିଧତାର ଆଧାର ହେବ । ଏହି ଅମୃତକାଳରେ ଯେତେବେଳେ ଆମେ ବିକାଶଶୀଳ ଭାରତର ଲକ୍ଷ୍ୟ ନେଇ କାମ କରୁଛୁ, ସେତେବେଳେ ଆମ ମାତୃଭାଷାଗୁଡ଼ିକ ବିକାଶର ଶକ୍ତିଶାଳୀ ସାଧନ ହେବା ଲାଗି ପ୍ରସ୍ତୁତ ରହିଛି ।

ଆମର ବିବିଧ ଭାଷାଗତ ଐତିହ୍ୟକୁ ପାଳନ କରିବା ଏବଂ ଶ୍ରଦେ୍ଧୟ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ଜୟନ୍ତୀକୁ ଡିସେମ୍ବର ୧୧ ତାରିଖରେ ପାଳନ କରିବା ପରିପ୍ରେକ୍ଷୀରେ ଡିସେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ଭାଷା ଉତ୍ସବ ପାଳନ କରାଯାଉଛି । ବର୍ତ୍ତମାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସପ୍ତାହବ୍ୟାପୀ ଉତ୍ସବ ଚାଲିଛି । ଚଳିତ ବର୍ଷ ଉତ୍ସବର ମୁଖ୍ୟ ବିଷୟବସ୍ତୁ ହେଉଛି "ଭାଷା ମାଧ୍ୟମରେ ଏକତା', ଯାହା ଭାରତୀୟ ସଭ୍ୟତାର ସ୍ୱତନ୍ତ୍ର ପରିଚୟ । କିଛି ମାସ ପୂର୍ବରୁ ୩ ଅକ୍ଟୋବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ୫ଟି ଭାଷା- ମରାଠୀ, ପାଲି, ପ୍ରାକୃତ, ଅହମୀୟା ଏବଂ ବଙ୍ଗଳାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରି ଏକ ଐତିହାସିକ ନିଷ୍ପତ୍ତି ନେଇଥିଲା । ଏହାଦ୍ୱାରା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ଅନ୍ୟ ଛଅଟି ଶାସ୍ତ୍ରୀୟ ଭାଷା- ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ଓଡ଼ିଆ ଭାଷା ସହ ମିଶି ଭାରତୀୟ ଶାସ୍ତ୍ରୀୟ ଭାଷାର ପରିସର ବିସ୍ତାର ହୋଇଥିଲା । ଏସବୁ ଯେଉଁମାନଙ୍କର ମାତୃଭାଷା ସେମାନଙ୍କ ପାଇଁ ଭାରତର ଉତ୍କୃଷ୍ଟ ଭାଷାଗତ ଐତିହ୍ୟକୁ ଗହନ ସ୍ୱୀକୃତି ଦିଆଯିବା ଗୌରବର ବିଷୟ ।
ଭାରତର ବିବିଧ ଭାଷା ଭାରତୀୟତାର ଅଭିବ୍ୟକ୍ତି ଏବଂ ଆମ ଭାରତୀୟ ଜ୍ଞାନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ, ସମସ୍ତ ଭାରତୀୟ ଭାଷା ହେଉଛି ଜାତୀୟ ଭାଷା ଏବଂ ସେଗୁଡ଼ିକ ଭାରତୀୟତାର ଆତ୍ମା ଏବଂ ସେଥିପାଇଁ ସମ୍ମାନ ପାଇବାକୁ ହକ୍ଦାର । ଭାଷାଗତ ବିବିଧତା ଜାତୀୟ ଏକତାକୁ ମଜବୁତ କରିଥାଏ ଏବଂ "ଏକ ଭାରତ ଶ୍ରେଷ୍ଠ ଭାରତ' ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଭାଷାଗତ ଗୌରବକୁ ସମ୍ମାନର ପ୍ରତୀକ ରୂପେ ଧାରଣ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ମଧ୍ୟ ଏହାର ଉଦାହରଣ ଦେଇଛନ୍ତି, ଯେତେବେଳେ ସେ ଜୋର୍ ଦେଇ କହିଛନ୍ତି "ମୁଁ ଜାତିସଂଘରେ ମଧ୍ୟ ଗର୍ବର ସହିତ ଭାରତୀୟ ଭାଷାରେ କଥା ହୋଇଥାଏ । ଶ୍ରୋତାମାନଙ୍କୁ ତାଳି ମାରିବାରେ କିଛି ସମୟ ଲାଗୁ ପଛେ ସେଥିରେ କିଛି ଯାଏ ଆସେ ନାହିଁ' । ଏହି କଥନ ଭାରତର ଭାଷାଗତ ବିବିଧତାକୁ ସଂରକ୍ଷିତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥାଏ ଏବଂ ଭାଷାଗତ ଗୌରବର ମୂଲ୍ୟକୁ ଉଜାଗର କରିଥାଏ ।
ଭାରତ ଏପରି ଏକ ଦେଶ, ଯେଉଁଠି କେବଳ ଅନେକ ଭାଷା ନାହିଁ, ବରଂ ଏହି ଭାଷାଗୁଡ଼ିକ ପରସ୍ପରକୁ ସମ୍ମାନ ମଧ୍ୟ କରିଥାନ୍ତି । ଏହା ଏକାଧିକ ଭାଷାର ଉତ୍କୃଷ୍ଟ ବ୍ୟବହାରର ଏକ ଉତ୍ତମ ଉଦାହରଣ । ଆମର ଭାଷାଗତ ବିବିଧତା ଏକ ସମୃଦ୍ଧ, ଜଟିଳ ଢାଞ୍ଚା ଗଠନ କରେ, ଯାହା ଆମର ଜାତୀୟ ପରିଚୟକୁ ଏକାଠି ବାନ୍ଧିଥାଏ ଏବଂ ଅନୁରୂପ ଭାବେ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ପୋଷଣ ଦେଇଥାଏ । ଉପନିବେଶବାଦୀ ଶାସନ କାଳରେ ଏହି ସାଂସ୍କୃତିକ ଶକ୍ତିକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ୨ ଫେବ୍ରୁଆରୀ ୧୮୩୫ରେ ଥୋମାସ ବେବିଂଟନ ମ୍ୟାକଲେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲଙ୍କୁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ "ମ୍ୟାକ୍ଲେସ୍ ମିନିଟ୍ ଅନ୍ ଇଣ୍ଡିଆନ୍ ଏଜୁକେସନ' କୁହାଯାଏ । ଏଥିରେ ଦେଶୀ ଭାଷା ପରିବର୍ତ୍ତେ ଇଂରାଜୀକୁ ପ୍ରାଥମିକତା ଦିଆଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସ୍ୱାର୍ଥ ପ୍ରତି ବିଶ୍ୱସନୀୟ ଭାରତୀୟମାନଙ୍କର ଏକ ବର୍ଗ ସୃଷ୍ଟି କରିବା । ଏହା ଅନେକ ପିଢ଼ିକୁ ସେମାନଙ୍କର ସାଂସ୍କୃତିକ ଓ ଭାଷାଗତ ମୂଳଦୁଆ ଠାରୁ ଦୂରେଇ ନେଉଥିଲା । ସେବେଠାରୁ ଉପନିବେଶବାଦର ଦୀର୍ଘକାଳୀନ ପ୍ରଭାବ ଅନେକ ଦିନ ଧରି ରହିଥିଲା, ଯାହା ଆମ ସାଂସ୍କୃତିକ ଓ ଭାଷାଗତ ଗୌରବକୁ ଆଘାତ ପହଞ୍ଚାଇଥିଲା ।
ଭାରତରେ ଭାଷାଗତ ଜନସଂଖ୍ୟା ସମୃଦ୍ଧ ଏବଂ ବିବିଧ ଅଟେ । ଜନସଂଖ୍ୟାର ଅଶି ପ୍ରତିଶତ ଲୋକ ନିଜକୁ ଅଣ-ଇଂରାଜୀ, ଦେଶୀ ବକ୍ତା ଭାବରେ ପରିଚୟ ଦିଅନ୍ତି । ଗଭୀର ଶିକ୍ଷା ମୂଳରେ ରହିଛି ମାତୃଭାଷା । ଆମର ଭାଷାଗୁଡ଼ିକ କେବଳ ଯୋଗାଯୋଗର ଉପକରଣ ନୁହେଁ, ସେଗୁଡ଼ିକ ଇତିହାସ, ପରମ୍ପରା ଏବଂ ଲୋକକଥାର ଭଣ୍ଡାର । ଭାଷାଗୁଡ଼ିକ ଅନେକ ପିଢ଼ିର ସାମୂହିକ ଜ୍ଞାନକୁ ସଂରକ୍ଷିତ କରନ୍ତି ଏବଂ ଏକ ଅନନ୍ୟ ବୈଶ୍ୱିକ ଦୃଷ୍ଟିକୋଣ ପ୍ରଦାନ କରନ୍ତି । ସୃଜନଶୀଳତା ଏବଂ ଭାବଗତ ବୁଦ୍ଧିମତ୍ତାରେ ସମୃଦ୍ଧ ପିଲାମାନେ ସେମାନଙ୍କର ମାତୃଭାଷାରେ ଅଧ୍ୟୟନ ଆରମ୍ଭ କଲେ ଅଧିକ ଶିକ୍ଷିତ ଓ ମେଧାବୀ ହୋଇଥାନ୍ତି । ନିଜ ମାତୃଭାଷାରେ ଶିକ୍ଷା ଆରମ୍ଭ କରୁଥିବା ଜଣେ ଶିଶୁ ଘରଠାରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ଏକ ବାଧାମୁକ୍ତ ସେତୁ ନିର୍ମାଣ କରିଥାଏ । ଏହା ତାକୁ "ମାତୃଭାଷାରୁ ଅନ୍ୟ ଭାଷା' ପର୍ଯ୍ୟନ୍ତ ମାର୍ଗଦର୍ଶନ- କହିବା ଠାରୁ ଲେଖିବା ପର୍ଯ୍ୟନ୍ତ, ଶବ୍ଦରୁ ଶବ୍ଦାର୍ଥ ପର୍ଯ୍ୟନ୍ତ ଏବଂ ଭାଷାରୁ ବିଷୟ ପର୍ଯ୍ୟନ୍ତ ଏକ ପରିବର୍ତ୍ତନ ଦିଗରେ ନେଇଯାଏ । ରବୀନ୍ଦ୍ର ନାଥ ଟାଗୋର ଯଥାର୍ଥ ରୂପେ ଏକ ମର୍ମସ୍ପର୍ଶୀ କଥା କହିଥିଲେ "ଗୋଟିଏ ଶିଶୁ ପାଠ୍ୟପୁସ୍ତକରୁ ନୁହେଁ, ବରଂ ନିଜ ମା'ଠାରୁ କଥା କହିବା ଶିଖିଥାଏ' । ମାତୃଭାଷାରେ ଶିକ୍ଷା ମୌଳିକ ବୁଝାମଣା ଠାରୁ ଆରମ୍ଭ କରି ଜଟିଳ ବିଚାର ପର୍ଯ୍ୟନ୍ତ ସ୍ୱାଭାବିକ ପ୍ରଗତିକୁ ପ୍ରୋତ୍ସାହନ ଦେଇଥାଏ ।
ଭାରତର ଭାଷାଗତ ବିବିଧତା ହେଉଛି ବୌଦ୍ଧିକ ଏବଂ ସାଂସ୍କୃତିକ ସମ୍ପତ୍ତିର ଭଣ୍ଡାର । କାଶ୍ମୀରର ବରଫ ଆଚ୍ଛାଦିତ ଶୃଙ୍ଗଠାରୁ ଆରମ୍ଭ କରି ସୂର୍ଯ୍ୟସ୍ନାତ କନ୍ୟାକୁମାରୀ ବେଳାଭୂମି ଏବଂ କଚ୍ଛର ଅନୁର୍ବର ବିସ୍ତୀର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି କୋହିମାର ସବୁଜ ପାହାଡ଼ ପର୍ଯ୍ୟନ୍ତ, ଆମର ଭାଷାଗୁଡ଼ିକ ଆମ ଲୋକମାନଙ୍କୁ ଆନ୍ତରିକ ଭାବେ ଯୋଡ଼ିଥାଏ । ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦେବା କେବଳ ସେମାନଙ୍କ ଐତିହ୍ୟ ସହିତ ସମ୍ପର୍କ ବଜାୟ ରଖେନାହିଁ ବରଂ ସେମାନଙ୍କୁ ଭବିଷ୍ୟତ ପାଇଁ ମଧ୍ୟ ପ୍ରସ୍ତୁତ କରେ । ମାତୃଭାଷାରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିବା ଦ୍ୱାରା, ଆମେ ପିଲାମାନଙ୍କୁ ଅଧିକ ସହଜ ଏବଂ ବୁଝାମଣା ସହିତ ଅନ୍ୟ ଭାଷା ଏବଂ ବିଷୟ ଉପରେ ଦକ୍ଷତା ହାସଲ କରିବାକୁ ସଶକ୍ତ କରିପାରିବା ।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏହି ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଛି । ଆମର ଭାଷାଗତ ଐତିହ୍ୟକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ, ଏନଇପି ମାତୃଭାଷାକୁ ପ୍ରାରମ୍ଭିକ ଶିକ୍ଷାର କେନ୍ଦ୍ରରେ ରଖିଛି । ଭାଷା କେବଳ ଶିକ୍ଷଣର ଏକ ମାଧ୍ୟମ ନୁହେଁ, ବରଂ ପରିଚୟକୁ ଆକାର ଦେବା, ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ସଂଜ୍ଞାନାତ୍ମକ ବିକାଶକୁ ପ୍ରୋତ୍ସାହିତ କରିବାର ଏକ ମୁଖ୍ୟ ଉପାଦାନ ବୋଲି ଏନଇପି ସ୍ୱୀକାର କରିଛି ।
ଉନ୍ନତ ଶିକ୍ଷଣ ଫଳାଫଳ ପାଇଁ ବିଭିନ୍ନ ଭାରତୀୟ ଭାଷାରେ ଉଚ୍ଚମାନର ଶିକ୍ଷାଦାନ ଏବଂ ଶିକ୍ଷଣ ସାମଗ୍ରୀର ନ୍ୟାୟସଙ୍ଗତ ଉପଲବ୍ଧତା ଆବଶ୍ୟକ କରିଥାଏ । ବିଶେଷ କରି ଦେଶର ବିବିଧ ଭାଷାଗତ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରସଙ୍ଗରେ ଶିକ୍ଷା ସହିତ ପ୍ରଯୁକ୍ତିବିଦ୍ୟା ମିଶ୍ରଣ ଉପରେ ଏହା ବିଶେଷ ଗୁରୁତ୍ୱ ଦେଇଥାଏ । ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଭାଷା ସଂଗମ କାର୍ଯ୍ୟକ୍ରମ ଏବଂ ମେସିନ ଅନୁବାଦ କେନ୍ଦ୍ରଠାରୁ ଆରମ୍ଭ କରି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ଅନେକ ଭାରତୀୟ ଭାଷାରେ ବୈଷୟିକ ପୁସ୍ତକ ପ୍ରକାଶ କରାଯାଉଛି । ଏହା ସହିତ ପୁସ୍ତକଗୁଡ଼ିକର ଅନୁବାଦ ଓ ଆପ୍ ଆଧାରିତ ଅନୁବାଦ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ଭାରତୀୟ ଭାଷା ସମିତି ଦ୍ୱାରା ଅସ୍ମିତା-ଅନୁବାଦ ଓ ଏକାଡେମିକ ଲେଖନ ମାଧ୍ୟମରେ ଭାରତୀୟ ଭାଷାରେ ଅଧ୍ୟୟନ ସାମଗ୍ରୀ ବଢ଼ାଇବା ପର୍ଯ୍ୟନ୍ତ ଅନେକ ପ୍ରୟାସ କରାଯାଉଛି । ଶିକ୍ଷାକୁ ସମାବେଶୀ କରିବା ଲାଗି ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ମଜବୁତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହାବ୍ୟତୀତ, ୭୯ଟି ଭାରତୀୟ ଭାଷାରେ ପ୍ରାଇମର ପ୍ରସ୍ତୁତ କରିବା ଲାଗି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି³ ଯାହା ଗ୍ରାମୀଣ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେମାନଙ୍କ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବ । ଏହି ପ୍ରାଇମରଗୁଡ଼ିକ ଅନ୍ୟାନ୍ୟ ଶିକ୍ଷାଗତ ସାମଗ୍ରୀ ସହିତ ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଜୀବନବ୍ୟାପୀ ଶିକ୍ଷଣର ପ୍ରବେଶ ଦ୍ୱାର ରୂପେ କାର୍ଯ୍ୟ କରିଥାଏ ।
ଭାଷା ଆମର ଚିନ୍ତାଧାରାକୁ ଆକାର ଦିଏ, ଆମର ଆବେଗକୁ ପ୍ରକାଶ କରେ ଏବଂ ଆମକୁ ଆମର ସାଂସ୍କୃତିକ ମୂଳ ସହିତ ଯୋଡ଼ିଥାଏ । ଏନଇପି ୨୦୨୦ ହେଉଛି ଏକ ନୂତନ ଯୁଗର ଆରମ୍ଭ, ଯେଉଁଠାରେ ପିଲାମାନେ ନିଜ ମାତୃଭାଷାରେ ଶିଖିପାରିବେ ଏବଂ ଧୀରେ ଧୀରେ ଅନ୍ୟ ଭାଷାରେ ଦକ୍ଷତା ହାସଲ କରିପାରିବେ । ଆମ ଶିକ୍ଷା ବ୍ୟବସ୍ଥାକୁ ଉପନିବେଶବାଦରୁ ମୁକ୍ତ କରି ଆମେ ଏପରି ଏକ ପିଢ଼ିର ଚିନ୍ତାନାୟକଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ, ଯେଉଁମାନେ କେବଳ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହାସଲ କରିନଥାନ୍ତି, ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ଆଗକୁ ନେଇଥାନ୍ତି । ଏହି ପରିବର୍ତ୍ତନ କେବଳ ଏକ ନୀତିଗତ ପରିବର୍ତ୍ତନ ନୁହେଁ, ଏହା ଏକ ସାଂସ୍କୃତିକ ପୁନର୍ଜାଗରଣର ପ୍ରତିନିଧିତ୍ୱ କରେ ।
ଯେତେବେଳେ ଆମେ ଭବିଷ୍ୟତ ଆଡ଼କୁ ଦେଖିବା ଶିକ୍ଷାଗତ ଉତ୍କୃଷ୍ଟତା, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ଉନ୍ନତି ଭାରତର ଭାଷାଗତ ବିବିଧତାର ଆଧାର ହେବ । ଏହି ଅମୃତକାଳରେ ଯେତେବେଳେ ଆମେ ବିକାଶଶୀଳ ଭାରତର ଲକ୍ଷ୍ୟ ନେଇ କାମ କରୁଛୁ, ସେତେବେଳେ ଆମ ମାତୃଭାଷାଗୁଡ଼ିକ ବିକାଶର ଶକ୍ତିଶାଳୀ ସାଧନ ହେବା ଲାଗି ପ୍ରସ୍ତୁତ ରହିଛି । ଆସନ୍ତୁ, ଆମେ ଆମ ଭାଷାଗତ ଐତିହ୍ୟକୁ ନିଜ ପ୍ରଗତିର ଆଧାର କରିବା । କାହିଁକି ନା, ଭାରତ ବିଶ୍ୱ ମଞ୍ଚରେ ଆଗକୁ ବଢ଼ୁଛି ।