ଯେତେବେଳେ ଆମେ ଭବିଷ୍ୟତ ଆଡ଼କୁ ଦେଖିବା ଶିକ୍ଷାଗତ ଉତ୍କୃଷ୍ଟତା, ସାମାଜିକ, ସାଂସ୍କୃତିକ ଏବଂ  ଆର୍ଥିକ ଉନ୍ନତି ଭାରତର ଭାଷାଗତ  ବିବିଧତାର ଆଧାର ହେବ । ଏହି  ଅମୃତକାଳରେ ଯେତେବେଳେ  ଆମେ ବିକାଶଶୀଳ ଭାରତର ଲକ୍ଷ୍ୟ  ନେଇ କାମ କରୁଛୁ, ସେତେବେଳେ  ଆମ ମାତୃଭାଷାଗୁଡ଼ିକ ବିକାଶର  ଶକ୍ତିଶାଳୀ ସାଧନ ହେବା ଲାଗି  ପ୍ରସ୍ତୁତ ରହିଛି ।


ଆମର ବିବିଧ ଭାଷାଗତ ଐତିହ୍ୟକୁ ପାଳନ କରିବା ଏବଂ  ଶ୍ରଦେ୍ଧୟ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ଜୟନ୍ତୀକୁ  ଡିସେମ୍ବର ୧୧ ତାରିଖରେ ପାଳନ କରିବା ପରିପ୍ରେକ୍ଷୀରେ  ଡିସେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ଭାଷା ଉତ୍ସବ ପାଳନ  କରାଯାଉଛି । ବର୍ତ୍ତମାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ  ଏକ ସପ୍ତାହବ୍ୟାପୀ ଉତ୍ସବ ଚାଲିଛି । ଚଳିତ ବର୍ଷ ଉତ୍ସବର ମୁଖ୍ୟ  ବିଷୟବସ୍ତୁ ହେଉଛି "ଭାଷା ମାଧ୍ୟମରେ ଏକତା', ଯାହା ଭାରତୀୟ  ସଭ୍ୟତାର ସ୍ୱତନ୍ତ୍ର ପରିଚୟ । କିଛି ମାସ ପୂର୍ବରୁ ୩ ଅକ୍ଟୋବର  ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର  କ୍ୟାବିନେଟ ୫ଟି ଭାଷା- ମରାଠୀ, ପାଲି, ପ୍ରାକୃତ, ଅହମୀୟା ଏବଂ  ବଙ୍ଗଳାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରି ଏକ ଐତିହାସିକ  ନିଷ୍ପତ୍ତି ନେଇଥିଲା । ଏହାଦ୍ୱାରା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ଅନ୍ୟ ଛଅଟି  ଶାସ୍ତ୍ରୀୟ ଭାଷା- ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ  ଏବଂ ଓଡ଼ିଆ ଭାଷା ସହ ମିଶି ଭାରତୀୟ ଶାସ୍ତ୍ରୀୟ ଭାଷାର ପରିସର  ବିସ୍ତାର ହୋଇଥିଲା । ଏସବୁ ଯେଉଁମାନଙ୍କର ମାତୃଭାଷା ସେମାନଙ୍କ  ପାଇଁ ଭାରତର ଉତ୍କୃଷ୍ଟ ଭାଷାଗତ ଐତିହ୍ୟକୁ ଗହନ ସ୍ୱୀକୃତି ଦିଆଯିବା  ଗୌରବର ବିଷୟ । 

ଭାରତର ବିବିଧ ଭାଷା ଭାରତୀୟତାର ଅଭିବ୍ୟକ୍ତି ଏବଂ ଆମ  ଭାରତୀୟ ଜ୍ଞାନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ, ସମସ୍ତ ଭାରତୀୟ ଭାଷା ହେଉଛି  ଜାତୀୟ ଭାଷା ଏବଂ ସେଗୁଡ଼ିକ ଭାରତୀୟତାର ଆତ୍ମା ଏବଂ  ସେଥିପାଇଁ ସମ୍ମାନ ପାଇବାକୁ ହକ୍‌ଦାର । ଭାଷାଗତ ବିବିଧତା ଜାତୀୟ  ଏକତାକୁ ମଜବୁତ କରିଥାଏ ଏବଂ "ଏକ ଭାରତ ଶ୍ରେଷ୍ଠ ଭାରତ'  ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହୋଇଥାଏ । ସେଥିପାଇଁ  ପ୍ରତ୍ୟେକ ବ୍ୟକ୍ତି ଭାଷାଗତ ଗୌରବକୁ ସମ୍ମାନର ପ୍ରତୀକ ରୂପେ  ଧାରଣ କରିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ମଧ୍ୟ ଏହାର  ଉଦାହରଣ ଦେଇଛନ୍ତି, ଯେତେବେଳେ ସେ ଜୋର୍‌ ଦେଇ କହିଛନ୍ତି  "ମୁଁ ଜାତିସଂଘରେ ମଧ୍ୟ ଗର୍ବର ସହିତ ଭାରତୀୟ ଭାଷାରେ କଥା  ହୋଇଥାଏ । ଶ୍ରୋତାମାନଙ୍କୁ ତାଳି ମାରିବାରେ କିଛି ସମୟ ଲାଗୁ ପଛେ  ସେଥିରେ କିଛି ଯାଏ ଆସେ ନାହିଁ' । ଏହି କଥନ ଭାରତର ଭାଷାଗତ  ବିବିଧତାକୁ ସଂରକ୍ଷିତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ  କରିଥାଏ ଏବଂ ଭାଷାଗତ ଗୌରବର ମୂଲ୍ୟକୁ ଉଜାଗର କରିଥାଏ ।

ଭାରତ ଏପରି ଏକ ଦେଶ, ଯେଉଁଠି କେବଳ ଅନେକ ଭାଷା  ନାହିଁ, ବରଂ ଏହି ଭାଷାଗୁଡ଼ିକ ପରସ୍ପରକୁ ସମ୍ମାନ ମଧ୍ୟ କରିଥାନ୍ତି ।  ଏହା ଏକାଧିକ ଭାଷାର ଉତ୍କୃଷ୍ଟ ବ୍ୟବହାରର ଏକ ଉତ୍ତମ ଉଦାହରଣ ।  ଆମର ଭାଷାଗତ ବିବିଧତା ଏକ ସମୃଦ୍ଧ, ଜଟିଳ ଢାଞ୍ଚା ଗଠନ କରେ, ଯାହା ଆମର ଜାତୀୟ ପରିଚୟକୁ ଏକାଠି ବାନ୍ଧିଥାଏ ଏବଂ ଅନୁରୂପ  ଭାବେ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ପୋଷଣ ଦେଇଥାଏ । ଉପନିବେଶବାଦୀ ଶାସନ କାଳରେ ଏହି ସାଂସ୍କୃତିକ  ଶକ୍ତିକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ୨ ଫେବ୍ରୁଆରୀ ୧୮୩୫ରେ ଥୋମାସ ବେବିଂଟନ ମ୍ୟାକଲେ ଭାରତର ତତ୍କାଳୀନ ଗଭର୍ଣ୍ଣର  ଜେନେରାଲଙ୍କୁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ "ମ୍ୟାକ୍‌ଲେସ୍‌  ମିନିଟ୍‌ ଅନ୍‌ ଇଣ୍ଡିଆନ୍‌ ଏଜୁକେସନ' କୁହାଯାଏ । ଏଥିରେ ଦେଶୀ  ଭାଷା ପରିବର୍ତ୍ତେ ଇଂରାଜୀକୁ ପ୍ରାଥମିକତା ଦିଆଯାଇଥିଲା । ଏହାର  ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସ୍ୱାର୍ଥ ପ୍ରତି ବିଶ୍ୱସନୀୟ ଭାରତୀୟମାନଙ୍କର  ଏକ ବର୍ଗ ସୃଷ୍ଟି କରିବା । ଏହା ଅନେକ ପିଢ଼ିକୁ ସେମାନଙ୍କର  ସାଂସ୍କୃତିକ ଓ ଭାଷାଗତ ମୂଳଦୁଆ ଠାରୁ ଦୂରେଇ ନେଉଥିଲା ।  ସେବେଠାରୁ ଉପନିବେଶବାଦର ଦୀର୍ଘକାଳୀନ ପ୍ରଭାବ ଅନେକ ଦିନ  ଧରି ରହିଥିଲା, ଯାହା ଆମ ସାଂସ୍କୃତିକ ଓ ଭାଷାଗତ ଗୌରବକୁ  ଆଘାତ ପହଞ୍ଚାଇଥିଲା । 

ଭାରତରେ ଭାଷାଗତ ଜନସଂଖ୍ୟା ସମୃଦ୍ଧ ଏବଂ ବିବିଧ ଅଟେ ।  ଜନସଂଖ୍ୟାର ଅଶି ପ୍ରତିଶତ ଲୋକ ନିଜକୁ ଅଣ-ଇଂରାଜୀ,  ଦେଶୀ ବକ୍ତା ଭାବରେ ପରିଚୟ ଦିଅନ୍ତି । ଗଭୀର ଶିକ୍ଷା ମୂଳରେ  ରହିଛି ମାତୃଭାଷା । ଆମର ଭାଷାଗୁଡ଼ିକ କେବଳ ଯୋଗାଯୋଗର  ଉପକରଣ ନୁହେଁ, ସେଗୁଡ଼ିକ ଇତିହାସ, ପରମ୍ପରା ଏବଂ  ଲୋକକଥାର ଭଣ୍ଡାର । ଭାଷାଗୁଡ଼ିକ ଅନେକ ପିଢ଼ିର ସାମୂହିକ  ଜ୍ଞାନକୁ ସଂରକ୍ଷିତ କରନ୍ତି ଏବଂ ଏକ ଅନନ୍ୟ ବୈଶ୍ୱିକ ଦୃଷ୍ଟିକୋଣ  ପ୍ରଦାନ କରନ୍ତି । ସୃଜନଶୀଳତା ଏବଂ ଭାବଗତ ବୁଦ୍ଧିମତ୍ତାରେ ସମୃଦ୍ଧ  ପିଲାମାନେ ସେମାନଙ୍କର ମାତୃଭାଷାରେ ଅଧ୍ୟୟନ ଆରମ୍ଭ କଲେ  ଅଧିକ ଶିକ୍ଷିତ ଓ ମେଧାବୀ ହୋଇଥାନ୍ତି । ନିଜ ମାତୃଭାଷାରେ ଶିକ୍ଷା  ଆରମ୍ଭ କରୁଥିବା ଜଣେ ଶିଶୁ ଘରଠାରୁ ଶ୍ରେଣୀଗୃହ ପର୍ଯ୍ୟନ୍ତ ଏକ  ବାଧାମୁକ୍ତ ସେତୁ ନିର୍ମାଣ କରିଥାଏ । ଏହା ତାକୁ "ମାତୃଭାଷାରୁ ଅନ୍ୟ  ଭାଷା' ପର୍ଯ୍ୟନ୍ତ ମାର୍ଗଦର୍ଶନ- କହିବା ଠାରୁ ଲେଖିବା ପର୍ଯ୍ୟନ୍ତ, ଶବ୍ଦରୁ  ଶବ୍ଦାର୍ଥ ପର୍ଯ୍ୟନ୍ତ ଏବଂ ଭାଷାରୁ ବିଷୟ ପର୍ଯ୍ୟନ୍ତ ଏକ ପରିବର୍ତ୍ତନ  ଦିଗରେ ନେଇଯାଏ । ରବୀନ୍ଦ୍ର ନାଥ ଟାଗୋର ଯଥାର୍ଥ ରୂପେ ଏକ  ମର୍ମସ୍ପର୍ଶୀ କଥା କହିଥିଲେ "ଗୋଟିଏ ଶିଶୁ ପାଠ୍ୟପୁସ୍ତକରୁ ନୁହେଁ,  ବରଂ ନିଜ ମା'ଠାରୁ କଥା କହିବା ଶିଖିଥାଏ' । ମାତୃଭାଷାରେ ଶିକ୍ଷା  ମୌଳିକ ବୁଝାମଣା ଠାରୁ ଆରମ୍ଭ କରି ଜଟିଳ ବିଚାର ପର୍ଯ୍ୟନ୍ତ  ସ୍ୱାଭାବିକ ପ୍ରଗତିକୁ ପ୍ରୋତ୍ସାହନ ଦେଇଥାଏ । 

ଭାରତର ଭାଷାଗତ ବିବିଧତା ହେଉଛି ବୌଦ୍ଧିକ ଏବଂ  ସାଂସ୍କୃତିକ ସମ୍ପତ୍ତିର ଭଣ୍ଡାର । କାଶ୍ମୀରର ବରଫ ଆଚ୍ଛାଦିତ ଶୃଙ୍ଗଠାରୁ  ଆରମ୍ଭ କରି ସୂର୍ଯ୍ୟସ୍ନାତ କନ୍ୟାକୁମାରୀ ବେଳାଭୂମି ଏବଂ କଚ୍ଛର  ଅନୁର୍ବର ବିସ୍ତୀର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି କୋହିମାର ସବୁଜ ପାହାଡ଼  ପର୍ଯ୍ୟନ୍ତ, ଆମର ଭାଷାଗୁଡ଼ିକ ଆମ ଲୋକମାନଙ୍କୁ ଆନ୍ତରିକ ଭାବେ  ଯୋଡ଼ିଥାଏ । ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦେବା  କେବଳ ସେମାନଙ୍କ ଐତିହ୍ୟ ସହିତ ସମ୍ପର୍କ ବଜାୟ ରଖେନାହିଁ ବରଂ  ସେମାନଙ୍କୁ ଭବିଷ୍ୟତ ପାଇଁ ମଧ୍ୟ ପ୍ରସ୍ତୁତ କରେ । ମାତୃଭାଷାରେ ଏକ  ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିବା ଦ୍ୱାରା, ଆମେ ପିଲାମାନଙ୍କୁ ଅଧିକ  ସହଜ ଏବଂ ବୁଝାମଣା ସହିତ ଅନ୍ୟ ଭାଷା ଏବଂ ବିଷୟ ଉପରେ  ଦକ୍ଷତା ହାସଲ କରିବାକୁ ସଶକ୍ତ କରିପାରିବା । 

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏହି ଆଭିମୁଖ୍ୟକୁ  ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଛି । ଆମର ଭାଷାଗତ ଐତିହ୍ୟକୁ  ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ, ଏନଇପି ମାତୃଭାଷାକୁ ପ୍ରାରମ୍ଭିକ  ଶିକ୍ଷାର କେନ୍ଦ୍ରରେ ରଖିଛି । ଭାଷା କେବଳ ଶିକ୍ଷଣର ଏକ ମାଧ୍ୟମ  ନୁହେଁ, ବରଂ ପରିଚୟକୁ ଆକାର ଦେବା, ଆତ୍ମବିଶ୍ୱାସ ସୃଷ୍ଟି କରିବା  ଏବଂ ସଂଜ୍ଞାନାତ୍ମକ ବିକାଶକୁ ପ୍ରୋତ୍ସାହିତ କରିବାର ଏକ ମୁଖ୍ୟ ଉପାଦାନ ବୋଲି ଏନଇପି ସ୍ୱୀକାର କରିଛି । 

ଉନ୍ନତ ଶିକ୍ଷଣ ଫଳାଫଳ ପାଇଁ ବିଭିନ୍ନ ଭାରତୀୟ ଭାଷାରେ  ଉଚ୍ଚମାନର ଶିକ୍ଷାଦାନ ଏବଂ ଶିକ୍ଷଣ ସାମଗ୍ରୀର ନ୍ୟାୟସଙ୍ଗତ  ଉପଲବ୍ଧତା ଆବଶ୍ୟକ କରିଥାଏ । ବିଶେଷ କରି ଦେଶର ବିବିଧ  ଭାଷାଗତ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରସଙ୍ଗରେ  ଶିକ୍ଷା ସହିତ ପ୍ରଯୁକ୍ତିବିଦ୍ୟା ମିଶ୍ରଣ ଉପରେ ଏହା ବିଶେଷ ଗୁରୁତ୍ୱ  ଦେଇଥାଏ । ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦର  ଭାଷା ସଂଗମ କାର୍ଯ୍ୟକ୍ରମ ଏବଂ ମେସିନ ଅନୁବାଦ କେନ୍ଦ୍ରଠାରୁ  ଆରମ୍ଭ କରି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ  ଦ୍ୱାରା ଅନେକ ଭାରତୀୟ ଭାଷାରେ ବୈଷୟିକ ପୁସ୍ତକ ପ୍ରକାଶ  କରାଯାଉଛି । ଏହା ସହିତ ପୁସ୍ତକଗୁଡ଼ିକର ଅନୁବାଦ ଓ ଆପ୍‌  ଆଧାରିତ ଅନୁବାଦ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଅନୁଦାନ  ଆୟୋଗ ଏବଂ ଭାରତୀୟ ଭାଷା ସମିତି ଦ୍ୱାରା ଅସ୍ମିତା-ଅନୁବାଦ  ଓ ଏକାଡେମିକ ଲେଖନ ମାଧ୍ୟମରେ ଭାରତୀୟ ଭାଷାରେ ଅଧ୍ୟୟନ  ସାମଗ୍ରୀ ବଢ଼ାଇବା ପର୍ଯ୍ୟନ୍ତ ଅନେକ ପ୍ରୟାସ କରାଯାଉଛି । ଶିକ୍ଷାକୁ  ସମାବେଶୀ କରିବା ଲାଗି ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା  ନିମନ୍ତେ ଏକ ମଜବୁତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି  ପଦକ୍ଷେପ ଗ୍ରହଣ କରାଯାଇଛି । 

ଏହାବ୍ୟତୀତ, ୭୯ଟି ଭାରତୀୟ ଭାଷାରେ ପ୍ରାଇମର ପ୍ରସ୍ତୁତ  କରିବା ଲାଗି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି³ ଯାହା  ଗ୍ରାମୀଣ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ପ୍ରାରମ୍ଭିକ  ବର୍ଷଗୁଡ଼ିକରେ ସେମାନଙ୍କ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ  କରିବ । ଏହି ପ୍ରାଇମରଗୁଡ଼ିକ ଅନ୍ୟାନ୍ୟ ଶିକ୍ଷାଗତ ସାମଗ୍ରୀ ସହିତ  ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଜୀବନବ୍ୟାପୀ  ଶିକ୍ଷଣର ପ୍ରବେଶ ଦ୍ୱାର ରୂପେ କାର୍ଯ୍ୟ କରିଥାଏ । 

ଭାଷା ଆମର ଚିନ୍ତାଧାରାକୁ ଆକାର ଦିଏ, ଆମର  ଆବେଗକୁ ପ୍ରକାଶ କରେ ଏବଂ ଆମକୁ ଆମର ସାଂସ୍କୃତିକ  ମୂଳ ସହିତ ଯୋଡ଼ିଥାଏ । ଏନଇପି ୨୦୨୦ ହେଉଛି ଏକ ନୂତନ  ଯୁଗର ଆରମ୍ଭ, ଯେଉଁଠାରେ ପିଲାମାନେ ନିଜ ମାତୃଭାଷାରେ  ଶିଖିପାରିବେ ଏବଂ ଧୀରେ ଧୀରେ ଅନ୍ୟ ଭାଷାରେ ଦକ୍ଷତା ହାସଲ  କରିପାରିବେ । ଆମ ଶିକ୍ଷା ବ୍ୟବସ୍ଥାକୁ ଉପନିବେଶବାଦରୁ ମୁକ୍ତ  କରି ଆମେ ଏପରି ଏକ ପିଢ଼ିର ଚିନ୍ତାନାୟକଙ୍କୁ ପ୍ରୋତ୍ସାହିତ  କରିବାକୁ ଚାହୁଁଛୁ, ଯେଉଁମାନେ କେବଳ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ  ହାସଲ କରିନଥାନ୍ତି, ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ  ମଧ୍ୟ ଆଗକୁ ନେଇଥାନ୍ତି । ଏହି ପରିବର୍ତ୍ତନ କେବଳ ଏକ ନୀତିଗତ  ପରିବର୍ତ୍ତନ ନୁହେଁ, ଏହା ଏକ ସାଂସ୍କୃତିକ ପୁନର୍ଜାଗରଣର  ପ୍ରତିନିଧିତ୍ୱ କରେ । 

ଯେତେବେଳେ ଆମେ ଭବିଷ୍ୟତ ଆଡ଼କୁ ଦେଖିବା ଶିକ୍ଷାଗତ  ଉତ୍କୃଷ୍ଟତା, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ଉନ୍ନତି ଭାରତର  ଭାଷାଗତ ବିବିଧତାର ଆଧାର ହେବ । ଏହି ଅମୃତକାଳରେ  ଯେତେବେଳେ ଆମେ ବିକାଶଶୀଳ ଭାରତର ଲକ୍ଷ୍ୟ ନେଇ କାମ  କରୁଛୁ, ସେତେବେଳେ ଆମ ମାତୃଭାଷାଗୁଡ଼ିକ ବିକାଶର ଶକ୍ତିଶାଳୀ  ସାଧନ ହେବା ଲାଗି ପ୍ରସ୍ତୁତ ରହିଛି । ଆସନ୍ତୁ, ଆମେ ଆମ ଭାଷାଗତ  ଐତିହ୍ୟକୁ ନିଜ ପ୍ରଗତିର ଆଧାର କରିବା । କାହିଁକି ନା, ଭାରତ ବିଶ୍ୱ  ମଞ୍ଚରେ ଆଗକୁ ବଢ଼ୁଛି ।