ନୂଆଦିଲ୍ଲୀ,୬।୧୧: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି। ଡିପାର୍ଟମେଣ୍ଟ ଅଫ୍ ପେନଶନ୍ ଆଣ୍ଡ ପେନଶନର୍ସ ଓ୍ବେଲଫେୟାର (DoPPW) ସେହି ସରକାରୀ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ଓ ସେ ସମ୍ପର୍କିତ ଲାଭ ଉପରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି, ଯେଉଁମାନେ ନ୍ୟାସନାଲ ପେନଶନ୍ ସିଷ୍ଟମ (ଏନ୍ପିଏସ୍) ଅନ୍ତର୍ଗତ ୟୁନିଫାଏଡ୍ ପେନଶନ୍ ସ୍କିମ୍ (ୟୁପିଏସ୍)କୁ ଚୟନ କରିଛନ୍ତି।
DoPPW ଦ୍ବାରା ଜାରି ଗାଇଡଲାଇନ୍ରେ କୁହାଯାଇଛି ନିୟମ ୧୩ ଅନୁସାରେ, ୟୁନିଫାଏଡ୍ ପେନଶନ୍ ସ୍କିମ୍ ଚୟନ କରିଥିବା କେନ୍ଦ୍ର ସରକାରୀ କର୍ମଚାରୀ ସ୍ବଇଚ୍ଛାରେ ଅବସରର ଲାଭ ଉଠାଇ ପାରିବେ। ଏହି ନିୟମ ଅନୁସାରେ, ଯଦି କୌଣସି ସରକାରୀ କର୍ମଚାରୀ ୨୦ ବର୍ଷ ନିୟମିତ ସେବା ପୁରା କରନ୍ତି, ତେବେ ସେ ନିଜର ସେବାରୁ ସ୍ବେଚ୍ଛାକୃତ ଭାବରେ ଅବସର ହେବାର ଅଧିକାର ରଖନ୍ତି।
DoPPW ସ୍ପଷ୍ଟ କରିଛି ଏହି ନିୟମ ଅନ୍ତର୍ଗତ କୌଣସି କର୍ମଚାରୀ ଅତି କମ୍ରେ ତିନି ମାସ ପୂର୍ବରୁ ନିଜର ନିଯୁକ୍ତି ଅଧିକାରୀଙ୍କୁ ଲିଖିତ ସୂଚନା ଦେଇ ସେବାରୁ ଭଲ୍ୟୁଣ୍ଟାରୀ ରିଟାରମେଣ୍ଟ ନେଇପାରିବ। ୨୦ ବର୍ଷ ସେବା ପୁରା ହେବା ପରେ ଯଦି କୌଣସି କର୍ମଚାରୀ ଅବସର ନେବାକୁ ଚାହାଁନ୍ତି ତେବେ ତାଙ୍କୁ ସ୍ବେଚ୍ଛାକୃତ ରୂପରେ ଅବସର ନେବାର ଅଧିକାର ରହିଛି। ଏଥିପାଇଁ ୩ ମାସ ପୂର୍ବରୁ ସୂଚନା ଦେବା ବାଧ୍ୟତାମୂଳ। ନୂଆ ଗାଇଡଲାଇନ୍ ଅନୁସାରେ, ୟୁପିଏସ୍ ଅନୁସାରେ ପେନଶନ୍, ଗ୍ରାଚୁଟି ଓ ସବୁ ସୁବିଧା ପ୍ରଦାନ କରାଯିବ।