ନୂଆଦିଲ୍ଲୀ,୦୩/୦୪: ଅଙ୍ଗଦାନକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ଘୋଷଣା କରିଛନ୍ତି । ସେ ଅନୁସାରେ, ସରକାରୀ  କର୍ମଚାରୀ ଅଙ୍ଗଦାନ କଲେ ସେମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର  ଛୁଟି ମିଳିବାର ପ୍ରାବଧାନ କରାଯାଇଛି । ଏହାଦ୍ୱାରା ଅଙ୍ଗଦାନ ପରେ ସେମାନଙ୍କୁ ପର୍ଯ୍ୟାପ୍ତ ଆରାମର ସୁଯୋଗ ମିଳିବ । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏ ସଂପର୍କରେ  ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ଏହି ଛୁଟି ସର୍ଜରି  ବା ଅସ୍ତ୍ରୋପଚାରର ପ୍ରକାର ଉପରେ ନିର୍ଭର କରିବ ନାହିଁ ।  ସରକାରୀ ଡାକ୍ତରଙ୍କ ସୁପାରିଶକ୍ରମେ ଏହାକୁ ସର୍ବାଧିକ ୪୨ ଦିନ  ଧରି ନେଇ ହେବ । ସାଧାରଣତଃ ହସ୍ପିଟାଲରେ ଭର୍ତ୍ତି ହେବାର ଦିନଠାରୁ ଛୁଟି ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ ଏହା  ସର୍ଜରିର ସପ୍ତାହେ ପୂର୍ବରୁ ବି ନେଇ ହେବ । ଅଙ୍ଗଦାନକାରୀଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାରେ ସହାୟତା କରିବାକୁ ଏହି ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ଆଜି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ  ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ସେଥିରେ ଏହି ବିଶେଷ  ଛୁଟି ସଂପର୍କରେ ସବିଶେଷ ବର୍ଣ୍ଣନା କରାଯାଇଛି । 

ସୂଚନାଥାଉକି,  ଏହି ନିଷ୍ପତ୍ତି ଦ୍ୱାରା ସମ୍ଭାବିତ ଅଙ୍ଗଦାନକାରୀଙ୍କୁ କାମରୁ ଛୁଟି  ନେବା କିମ୍ବା ଚାକିରି ହରାଇବାର ଭୟ ରହିବ ନାହିଁ ।