ନୂଆଦିଲ୍ଲୀ ୧୮/୦୩: କେନ୍ଦ୍ର ସରକାର ଚନ୍ଦ୍ରଯାନ-୫ ମିଶନକୁ ମଞ୍ଜୁରି  ଦେଇଛନ୍ତି । ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍‌ ଗତ  ରବିବାର ବେଙ୍ଗାଲୁରୁରେ ଇସ୍ରୋ ମୁଖ୍ୟ ଦାୟିତ୍ୱ  ଗ୍ରହଣ କରିବା ପରେ ଏକ କାର୍ଯ୍ୟକ୍ରମରେ ଏହି ସୂଚନା  ଦେଇଛନ୍ତି । ସେ କହିଛନ୍ତି, ୩ ଦିନ ତଳେ ଆମକୁ  ଚନ୍ଦ୍ରଯାନ-୫ ମିଶନ ପାଇଁ ମଞ୍ଜୁରି ମିଳିଛି । ଏଥିରେ  ଜାପାନ ଆମର ସହଯୋଗୀ ହେବ । ଚନ୍ଦ୍ରଯାନ-୩  ମିଶନରେ ୨୫ କିଲୋର ରୋଭର୍‌ (ପ୍ରଜ୍ଞାନ)  ଯାଇଥିଲା । ଚନ୍ଦ୍ରଯାନ-୫ ମିଶନ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବା ଲାଗି ୨୫୦ କିଲୋ ଓଜନର ରୋଭର୍‌ ନେବ । ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ନାରାୟଣନ୍‌ କହିଲେ,  ୨୦୨୭ରେ ଲଞ୍ଚ୍‌ ହେବାକୁ ଯାଉଥିବା ଚନ୍ଦ୍ରଯାନ-୪  ମିଶନର ଲକ୍ଷ୍ୟ ଚନ୍ଦ୍ର ମାଟିର ନମୁନା ପୃଥିବୀକୁ ଆଣିବା ।  

ସେହିପରି ଗଗନଯାନ ସମେତ ଅନେକ ମିଶନ ଏବଂ  ମହାକାଶରେ ଭାରତର ନିଜସ୍ୱ ସ୍ପେସ୍‌ ଷ୍ଟେସନ୍‌ ସ୍ଥାପିତ  କରିବାର ଯୋଜନା ଉପରେ ମଧ୍ୟ କାମ ଚାଲିଛି ।  ଗତ ବର୍ଷ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୪’ ମିଶନକୁ  କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା । ଏହାର ଉଦ୍ଦେଶ୍ୟ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ଉତାରିବା, ଚନ୍ଦ୍ର ମାଟି  ଓ ପଥର ନମୁନା ସଂଗ୍ରହ କରିବା ଏବଂ ସେଗୁଡ଼ିକୁ  ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା । ଏହି ମିଶନରେ  ୨୧୦୪ କୋଟି ବଜେଟ୍‌ ସ୍ଥିର ହୋଇଛି । ଏହି  ମହାକାଶଯାନରେ ୫ ଭିନ୍ନ ଭିନ୍ନ ମଡ୍ୟୁଲ ରହିବ ।  ୨୦୨୩ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରଯାନ-୩ରେ ୩  ମଡ୍ୟୁଲ- ପ୍ରପଲସନ୍‌ ମଡ୍ୟୁଲ (ଇଞ୍ଜିନ), ଲ୍ୟାଣ୍ଡର  ଓ ରୋଭର୍‌ ଥିଲା ।  

ଚନ୍ଦ୍ରଯାନ-୪ର ଷ୍ଟାକ୍‌-୧ରେ ଚନ୍ଦ୍ର ନମୁନା ସଂଗ୍ରହ ପାଇଁ  ଆସେଣ୍ଡର ମଡ୍ୟୁଲ ଓ ପୃଷ୍ଠରେ ଚନ୍ଦ୍ର ନମୁନା ସଂଗ୍ରହ  ପାଇଁ ଡିସେଣ୍ଡର ମଡ୍ୟୁଲ ରହିବ । ଷ୍ଟାକ୍‌-୨ରେ ଥ୍ରଷ୍ଟ୍‌  ପାଇଁ ଗୋଟିଏ ପ୍ରପଲସନ୍‌ ମଡ୍ୟୁଲ, ନମୁନା ଧାରଣ  ପାଇଁ ଟ୍ରାନ୍ସଫର ମଡ୍ୟୁଲ ଏବଂ ନମୁନାକୁ ପୃଥିବୀକୁ ଆଣିବା ପାଇଁ ରି-ଏଣ୍ଟ୍ରି ମଡ୍ୟୁଲ ରହିବ ।  

ମିଶନରେ ଦୁଇଟି ଭିନ୍ନ ଭିନ୍ନ ରକେଟ୍‌ ବ୍ୟବହୃତ  ହେବ । ହେଭି-ଲିଫ୍ଟର ଏଲ୍‌ଭିଏମ୍‌-୩ ଓ ଇସ୍ରୋର ପିଏସ୍‌ଏଲ୍‌ଭି ଅଲଗା ଅଲଗା ପେଲୋଡ୍‌ ନେଇ  ଯିବେ । ଅନେକ ସୋପାନରେ ଚନ୍ଦ୍ରଯାନ-୪ ମିଶନ  ପୂରଣ ହେବ । ଚନ୍ଦ୍ର କକ୍ଷରେ ପହଞ୍ଚିବା ପରେ  ମୁଖ୍ୟ ଯାନରୁ ୨ଟି ମଡ୍ୟୁଲ ଅଲଗା ହୋଇ ପୃଷ୍ଠରେ  ଅବତରଣ କରିବେ । ଉଭୟ ଚନ୍ଦ୍ର ପୃଷ୍ଠରୁ ନମୁନା  ଏକତ୍ର କରିବେ । ତା’ପରେ ଗୋଟିଏ ମଡ୍ୟୁଲ  ଚନ୍ଦ୍ର ପୃଷ୍ଠରୁ ଲଞ୍ଚ୍‌ ହେବ ଏବଂ ଚନ୍ଦ୍ର କକ୍ଷରେ ମୁଖ୍ୟ  ମହାକାଶଯାନ ସହ ଯୋଡ଼ି ହେବ । ନମୁନାକୁ  ପୃଥିବୀ ଫେରୁଥିବା ମହାକାଶଯାନରେ ସ୍ଥାନାନ୍ତର  କରି ପଠାଯିବ । ଇସ୍ରୋ ବୈଜ୍ଞାନିକ ଏବେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ  କରିବା ପାଇଁ ରୋବୋ ପ୍ରସ୍ତୁତ କରୁଛନ୍ତି । ମାଟିର  ଗଭୀରକୁ ଡ୍ରିଲ କରିବାର କୌଶଳ ଉପରେ କାମ  ଚାଲିଛି । ନମୁନା ସଂଗ୍ରହ ଲାଗି କଣ୍ଟେନର୍‌ ଓ ଡକିଂ  ମେକାନିଜମ୍‌ କୌଶଳ ବିକଶିତ ହେଉଛି ।  

ଇସ୍ରୋର ଭବିଷ୍ୟତ ମିଶନ ମଧ୍ୟରେ ଗଗନଯାନ  ଅନ୍ୟତମ । ୨୦୨୫ରେ ଗଗନଯାନରେ ୩ ଦିନିଆ  ମିଶନ ପାଇଁ ୩ ସଦସ୍ୟବିଶିଷ୍ଟ ଟିମ୍‌କୁ ୪୦୦  କିମି ଉଚ୍ଚ ପୃଥିବୀ କକ୍ଷକୁ ପଠାଯିବ । ସେହିପରି  ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍‌ ଆଉ ଏକ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ । ଏଥିରେ ୫ ମଡ୍ୟୁଲ ରହିବ । ପ୍ରଥମ  ମଡ୍ୟୁଲ ୨୦୨୮ରେ ଲଞ୍ଚ୍‌ ହେବ । ଏଥିପାଇଁ ଡିଜାଇନ୍‌  କାମ ଶେଷ ହୋଇଛି । ଏହି ଷ୍ଟେସନ୍‌ ମହାକାଶରେ  ମହାକାଶଯାତ୍ରୀଙ୍କ ଠିକଣା ହେବ । ଇସ୍ରୋ ୨୦୪୦ ସୁଦ୍ଧା  ମହାକାଶ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ଉପରେ କାମ କରୁଛି । ଭବିଷ୍ୟତ ମିଶନରେ ଭିନସ୍‌ ଅର୍ବିଟର ମିଶନ  ଅନ୍ୟତମ । ଏଥିପାଇଁ ୧,୨୩୬ କୋଟିର ବଜେଟ୍‌  ରହିଛି । ମାର୍ଚ୍ଚ, ୨୦୨୮ରେ ଏହା ଲଞ୍ଚ୍‌ ହେବ । ଶୁକ୍ର  ଗ୍ରହର ପୃଷ୍ଠ ଓ ବାୟୁମଣ୍ଡଳ ସହିତ ଶୁକ୍ରର ବାୟୁମଣ୍ଡଳ  ଉପରେ ସୂର୍ଯ୍ୟର ପ୍ରଭାବ ସମ୍ପର୍କରେ ଜାଣିବା ଏହି  ମିଶନର ଲକ୍ଷ୍ୟ ।