ନୂଆଦିଲ୍ଲୀ,୨୪।୭: ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବୃଦ୍ଧ ବାପା-ମା’ଙ୍କ ସେବା ସହ ବ୍ୟକ୍ତିଗତ କାରଣ ପାଇଁ ମିଳିବ ଅଧିକ ଛୁଟି। ଏନେଇ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେବା ନିୟମ ଅନୁସାରେ, ୩୦ ଦିନ ଇଏଲ୍ ବା (earned leave) ମିଳିବ। ଏହି ୩୦ ଦିନର ଛୁଟିରେ ତାଙ୍କର ଦରମାରୁ ଟଙ୍କା କଟିବନି।   କେନ୍ଦ୍ରୀୟ ସିଭିଲ ସେବା (ଅବକାଶ)ନିୟମ, ୧୯୭୨ ଅନ୍ତର୍ଗତ ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କୁ ପ୍ରତି ବର୍ଷ ୩୦ ଦିନର ଇଏଲ୍, ୨୦ ଦିନର ଅଧା ବେତନ ଛୁଟି(half pay leave), ୮ ଦିନର କାଜୁଆଲ ଲିଭ୍ ଓ ଦୁଇ ଦିନର ରେଷ୍ଟ୍ରିକଟେଡ୍ ହଲିଡେ ମିଳୁଛି। ଏହି ସବୁ ଛୁଟିକୁ ବ୍ୟକ୍ତିଗତ କାରଣ ପାଇଁ ନେଇ ହେବ।

ଡକ୍ଟର ସିଂହଙ୍କୁ ଯେତେବେଳେ ପଚରା ଯାଇଥିଲା, କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ବୟସ୍କ ବାପା-ମା’ଙ୍କ ସେବା ପାଇଁ କ’ଣ ବିଶେଷ ଛୁଟିର ସୁବିଧା ଦେଉଛନ୍ତି କି ? ଏହାର ଉତ୍ତରରେ ସେ କହିଥିଲେ, ଏଥିପାଇଁ କୌଣସି ଅଲଗା ପ୍ରକାର ସ୍ବତନ୍ତ୍ର ଛୁଟି ଦରକାର ନାହିଁ। କାରଣ ଯେଉଁ ଛୁଟି ପୂର୍ବରୁ ମଳୁଛି, ସେମାନେ ଏଥିରେ ପୂରଣ କରିପାରିବେ।

ଏହାଛଡା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଡକ୍ଟର ସିଂହ ରାଜ୍ୟସଭାକୁ ସୂଚନା ଦେଇ କହିଛନ୍ତି, ଭାରତ ତିନି ପ୍ରକାର ଛୋଟ ମଡ୍ୟଉଲାର ରିଆକ୍ଟର (ଏସ୍‌ଏମ୍‌ଆର) ବିକଶିତ କରୁଛି, ଯେଉଁଥିରେ ଏକ ରିଆକ୍ଟର ବି‌ଶେଷ ଭାବରେ ହାଇଡ୍ରୋଜେନ୍‌ ଉତ୍ପାଦନ ପାଇଁ ହେବ। ଭାରତରେ ସ୍ବଦେଶୀ ଭାବରେ ତିନି ପ୍ରକାର ଏସ୍‌ଏମ୍‌ଆର ବିକଶିତ କରାଯାଉଛି।