ନୂଆଦିଲ୍ଲୀ ୨୪/୦୭: କେନ୍ଦ୍ରୀୟ ସଡ଼କ ଏବଂ ପରିବହନ ମନ୍ତ୍ରାଳୟ କେଦାରନାଥ ପର୍ଯ୍ୟନ୍ତ ୭ କିମି  ଲମ୍ବା ସୁଡ଼ଙ୍ଗ ନିର୍ମାଣର ପ୍ରସ୍ତୁତି ଚଳାଇଛି। ଏହା ହେଲେ ଆଗାମୀ ୪-୫ ବର୍ଷରେ  କେଦାରନାଥ ମନ୍ଦିରକୁ ଯିବାର ଦୁଇଟି ମାର୍ଗ ଖୋଲିଯିବ । ତନ୍ମଧ୍ୟରୁ ଗୋଟିଏ  ରାସ୍ତା ସବୁ ପାଣିପାଗରେ ଶ୍ରଦ୍ଧାଳୁଙ୍କୁ ସିଧା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବ । ବର୍ତ୍ତମାନ ଗୌରୀକୁଣ୍ଡରୁ ରାମବାଡ଼ା-ଲିଂଚୋଲି ହୋଇ କେଦାର ଧାମ ପର୍ଯ୍ୟନ୍ତ ପାଦଚଲା ମାର୍ଗ  ୧୬ କିମି ଲମ୍ବା ଅଛି । ସୁଡ଼ଙ୍ଗ ନିର୍ମାଣ ପରେ ଏହାର ଦୂରତା ୫ କିମି ହୋଇଯିବ । ୨୦୧୩ ଓ ୨୦୨୪ ଜୁଲାଇର ଦୁର୍ଘଟଣାରୁ ଶିକ୍ଷା ପାଇ କେନ୍ଦ୍ର ସରକାର କେଦାରନାଥ  ମନ୍ଦିର ପର୍ଯ୍ୟନ୍ତ ନୂଆ ସୁରକ୍ଷିତ ରାସ୍ତା ନିର୍ମାଣର ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି । ସେଥିପାଇଁ ମନ୍ତ୍ରାଳୟ ପାହାଡ଼ର ପ୍ରାରମ୍ଭିକ  ସର୍ଭେକ୍ଷଣ କରିସାରିଛି ।  ଏହି ସୁଡ଼ଙ୍ଗ ଉତ୍ତରାଖଣ୍ଡରେ ୬୫୬୨ ଫୁଟ ଉପରେ ନିର୍ମିତ  ହେବ । 

ଏହା କାଲୀମଠ ଘାଟିର ଶେଷ ଗାଁ ଚୌମାସୀରୁ  ଲିଂଚୋଲୀ ପର୍ଯ୍ୟନ୍ତ ଲମ୍ବିବ । ଲିଂଚୋଲୀ କେଦାରନାଥ  ମନ୍ଦିରଠୁ ୫ କିମି ପୂର୍ବରୁ ଅଛି । ଚୌମାସୀ ପର୍ଯ୍ୟନ୍ତ  ପକ୍କା ସଡ଼କ ଅଛି । ସେଠାରେ କାର୍‌ରେ ଯାଇପାରିବେ । ତା’ପରେ ସୁଡ଼ଙ୍ଗ ଏବଂ ଲଂଚୋଲୀଠୁ ମନ୍ଦିର ପର୍ଯ୍ୟନ୍ତ ୫  କିମି ଚାଲିବାକୁ ପଡ଼ିବ । ରାଷ୍ଟ୍ରୀୟ ରାଜମାର୍ଗ ଉତ୍ତରାଖଣ୍ଡର ମୁଖ୍ୟ ଇଞ୍ଜିନିୟର ମୁକେଶ  ପରମାରଙ୍କ ଅନୁସାରେ, ପରାମର୍ଶଦାତା ସର୍ଭେ କରି ସୁଡ଼ଙ୍ଗର ଡ୍ରଇଂ ଦେଇଛନ୍ତି ।  କେନ୍ଦ୍ରୀୟ ଅଧିକାରୀମାନଙ୍କର ଟିମ୍‌ ଏହାକୁ ଅନ୍ତିମ ରୂପ ଦେଉଛନ୍ତି । କାଲୀମଠର  ରାସ୍ତା ଗୁପ୍ତକାଶୀରୁ କଟିଯାଏ । ଗତ ବର୍ଷ ସେପ୍ଟେମ୍ବରରେ ୫ ଜଣିଆ ଟିମ୍‌ ଚୌମାସୀଖାମ୍‌ ବୁଗୟାଲ-କେଦାରନାଥ ରୁଟ୍‌ର ସର୍ଭେକ୍ଷଣ କରିଥିଲେ । ସେତେବେଳେ ଟିମ୍‌  କହିଥିଲେ ଯେ ସମଗ୍ର ମାର୍ଗରେ ଭୂସ୍ଖଳନ ଜୋନ୍‌ ଆଦୌ ନାହିଁ। କଠୋର ଚଟାଣ  ଅଛି । ବୁଗ୍‌ୟାଲୋଁ ଉପରେ ଓ ତଳେ ରାସ୍ତା ନିର୍ମାଣ କରାଯାଇ ପାରିବ । ଅନେକ  ସ୍ଥାନରେ ଭୂଜଳ ନିର୍ଗତ ହେଉଛି, ଯାହାର ଉପାୟ ବାହାରି ପାରିବ ।