- ୭୯୭ କୋଟି ବ୍ୟୟରେ ନିର୍ମାଣ ହେବ
- ବାର୍ଷିକ ୪.୦ ନିୟୁତ ଟନ୍ ପରିଚାଳନା କ୍ଷମତା ରହିବ
- ୨୪ ମାସ ମଧ୍ୟରେ ପ୍ରକଳ୍ପ ସମାପ୍ତ ପାଇଁ ଲକ୍ଷ୍ୟଧାର୍ଯ୍ୟ
ନୂଆଦିଲ୍ଲୀ, ୨୬।୨ : ପାରାଦୀପ ବନ୍ଦରରେ ୭୯୭.୧୭ କୋଟି ଟଙ୍କାର ସବୁଜ ହାଇଡ୍ରୋଜେନ୍ ଜେଟିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସବୁଜ ହାଇଡ୍ରୋଜେନ୍, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ପାଇଁ ଗ୍ରୀନ ହାଇଡ୍ରୋଜେନ ଜେଟିକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି ।ଏହି ପ୍ରକଳ୍ପ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ୍-ଟ୍ରାନ୍ସଫର (BOT) ଆଧାରରେ କାର୍ଯ୍ୟକାରୀ କରାଯିବ।
ପ୍ରସ୍ତାବିତ ଜେଟିରେ ବାର୍ଷିକ ୪.୦ ନିୟୁତ ଟନ୍ ପରିଚାଳନା କ୍ଷମତା ରହିବ । ସବୁଜ ଶକ୍ତି କାର୍ଗୋ ପାଇଁ ଏକ ହବ୍ ଭାବରେ ପାରାଦୀପ ବନ୍ଦରର ଭୂମିକାକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ, ପରିଚାଳନା ଉପକରଣ ଏବଂ ସମ୍ପୃକ୍ତ ସୁବିଧା ଅନ୍ତର୍ଭୁକ୍ତ ହେବ।
ଜେଟିରେ କେନ୍ଦ୍ରରୁ କେନ୍ଦ୍ର ଦୂରତା ୨୭୯ ମିଟର ଏବଂ ବର୍ଥ ସମ୍ମୁଖରେ ୧୪.୩ ମିଟର ଡ୍ରେଜ୍ ଗଭୀରତା ରହିବ। ଯାହା ଦ୍ୱାରା ତରଳ ମାଲବାହୀ ଜାହାଜର ସୁରକ୍ଷିତ ପରିଚାଳନା ସମ୍ଭବ ହେବ। ନିର୍ମାଣ ସମୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରକଳ୍ପ ମୂଲ୍ୟର ୨୦ ପ୍ରତିଶତ ଅର୍ଥାତ ୧୫୯.୪୩ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବେ। ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ ଏହି ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ସବୁଜ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ସବୁଜ ହାଇଡ୍ରୋଜେନ୍ ଜେଟି ରପ୍ତାନି ଲଜିଷ୍ଟିକ୍ସକୁ ସୁଦୃଢ଼ କରିବ। ଓଡ଼ିଶାର ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟରଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପାରାଦୀପ ପ୍ରକଳ୍ପ କେବଳ କାର୍ଗୋ କ୍ଷମତା ବୃଦ୍ଧି କରିବ ନାହିଁ ବରଂ ପୂର୍ବ ଭାରତରେ ନିବେଶକୁ ସୁଦୃଢ କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ପୂର୍ବ ଭାରତରେ ଏକ ଦୃଢ଼ ସବୁଜ ଶକ୍ତି ଇକୋସିଷ୍ଟମ ସୃଷ୍ଟି କରିବ ବୋଲି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ।
ପ୍ରସ୍ତାବିତ ଜେଟିରେ ସବୁଜ ଶକ୍ତି ଡେରିଭେଟିଭ୍ସ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ଏବଂ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ। ଯାହା ପାରାଦୀପ ବନ୍ଦର ଚାରିପାଖରେ ଏକ ସମନ୍ୱିତ ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ବିକାଶକୁ ସମର୍ଥନ କରିବ।