ନୂଆଦିଲ୍ଲୀ,୦୮/୧୦: ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପୋଷଣ ପରେ କେନ୍ଦ୍ର ସରକାର ପରାଳି  (ନଡ଼ାକୁଟା) ଜାଳୁଥିବା ଚାଷୀଙ୍କ ଉପରେ ଜରିମାନା ପରିମାଣ ଦୁଇଗୁଣା କରିଛନ୍ତି । ପରିବେଶ ମନ୍ତ୍ରଣାଳୟ ଗୁରୁବାର ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । 

ନୂଆ  ନିୟମ ମୁତାବକ, ଏବେ ୨ ଏକରରୁ କମ୍‌ ଜମି ଉପରେ ୫ ହଜାର ଟଙ୍କା ଜରିମାନା ଲାଗୁହେବ । ସେହିଭଳି ୨ରୁ ୫  ଏକର ଜମି ପର‌୍ୟ୍ୟନ୍ତ ୧୦ ହଜାର ଟଙ୍କା ଏବଂ ୫ ଏକରରୁ  ଅଧିକ ଜମିରେ ନଡ଼ା ଜାଳିଲେ ୩୦ ହଜାର ଟଙ୍କାର  ଜରିମାନା ଆଦାୟ କରାଯିବ । ଉତ୍ତର ପ୍ରଦେଶ, ପଞ୍ଜାବ,  ହରିଆଣା, ରାଜସ୍ଥାନ ଓ ଦିଲ୍ଲୀ ସରକାର ଏହି ନିୟମ ଲାଗୁ  ପାଇଁ ବାଧ୍ୟ ହେବେ । 

ଉଲ୍ଲେଖଯୋଗ୍ୟ, ନଭେମ୍ବର ୪ରେ  ସୁପ୍ରିମକୋର୍ଟ ଶୁଣାଣି ବେଳେ ପରାଳିକୁ ନେଇ ପଞ୍ଜାବ-ହରିଆଣାକୁ ୧୪ ତାରିଖ ସୁଦ୍ଧା ଜବାବ ଦାଖଲ ଲାଗି  ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୨୩ରେ  ସର୍ବୋଚ୍ଚ ଅଦାଲତ ବାୟୁ ପ୍ରଦୂଷଣକୁ ନେଇ ପରିବେଶ  ସଂରକ୍ଷଣ ଅଧିନିୟମ (ଇପିଏ)ରେ ନିୟମ ବନାଇବା ଏବଂ  ଏଥିଲାଗି ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ନିମନ୍ତେ କେନ୍ଦ୍ର  ସରକାରଙ୍କୁ ୨ ସପ୍ତାହ ସମୟ ଦେଇଥିଲେ।