ଚମ୍ପୁଆ,୨୬/୧୦: ଲୋକପ୍ରିୟ ଟିଭି ଶୋ  "କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ବାର  ଲକ୍ଷ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାମାଜିକ ସୁରକ୍ଷା  ଅଧିକାରୀ ଶ୍ରାବଣୀ ଜେନା । ୨୦୧୮ ମସିହାରୁ ଶ୍ରାବଣୀ  କେବିସିରେ ଯିବା ପାଇଁ ପ୍ରୟାସ କରି ଆସୁଥିଲେ ।ଗତ ବର୍ଷ କେବିସି ପାଇଁ ସାକ୍ଷାତକାର ଦେଇଥିଲେ  ମଧ୍ୟ ସଫଳ ହୋଇପାରି ନ ଥିଲେ । ତେବେ ଚଳିତ  ବର୍ଷ ଏପ୍ରିଲ ମାସରେ କେବିସି ପାଇଁ ରେଜିଷ୍ଟ୍ରେସନ୍‌  କରିବା ପରେ ମେ ମାସ ପ୍ରଥମ ସପ୍ତାହରେ କେବିସି  ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ପ୍ରଥମ ରାଉଣ୍ଡରୁ ଉନ୍ନିତ ହେବା ପରେ ସେ ଜୁନ  ପ୍ରଥମ ସପ୍ତାହରେ ଦିଲ୍ଲୀ ଯାଇ ଗ୍ରାଉଣ୍ଡ ଅଡିସନରେ  ଭାଗ ନେଇଥିଲେ । ସେଠାରୁ କୃତକାର୍ଯ୍ୟ ହୋଇ  ସାକ୍ଷାତକାର ରାଉଣ୍ଡରୁ ଉନ୍ନୀତ ହେବା ପରେ ତାଙ୍କୁ  କେବିସିରେ ଖେଳିବା ପାଇଁ ସୁଯୋଗ ମିଳିଥିଲା ।  ତେବେ ପାଇଥିବା ସୁଯୋଗକୁ ହାତଛଡ଼ା କରି ନଥିଲେ  ଶ୍ରାବଣୀ । 

ପ୍ରଥମ ସୁଯୋଗରେ ହିଁ ସେ ହଟସିଟ୍‌କୁ  ଯିବାକୁ ସଫଳ ହୋଇଥିଲେ । କେବିସିର ସଂଚାଳକ  ସୁପରଷ୍ଟାର ଅମିତାଭ ବଚ୍ଚନ ପଚାରିଥିବା ୧୨ଟି  ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଶ୍ରାବଣୀ ବାର ଲକ୍ଷ  ପଚାଶ ହଜାର ଟଙ୍କା ଜିତିଛନ୍ତି । ୧୩ ତମ ପ୍ରଶ୍ନର  ଉତ୍ତର ନେଇ ନିଶ୍ଚିତ ନ ଥିବାରୁ ଖେଳରୁ ସେ ଓହରି  ଆସିଥିଲେ । ଚଳିତ ମାସ ୨୪ ଓ ୨୫ ତାରିଖ ଦିନ  ସେ ଭାଗ ନେଇଥିବା ଏପିସୋଡ୍‌ ଗୁଡ଼ିକ ପ୍ରସାରିତ  ହୋଇଛି । ଏ ନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଅବସରପ୍ରାପ୍ତ କୋଲ୍‌  ଇଣ୍ଡିଆ ମ୍ୟାନେଜର ଗୋବର୍ଦ୍ଧନ ଜେନା ଓ ଗୃହିଣୀ  ସବିତା ଜେନାଙ୍କ ସୁପୁତ୍ରୀ ଶ୍ରାବଣୀ ନିଜ ସଫଳତା  ପାଇଁ ବାପା ମା’ଙ୍କୁ ଶ୍ରେୟ ଦେଇଛନ୍ତି ।