ମୁମ୍ବାଇ ୦୮/୧୧: ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମରେ ନଜର ଆସିବେ ଅନନ୍ୟା ପାଣ୍ଡେ । ଟାଇଟଲ ‘ଚାନ୍ଦ୍‌ ମେରା ଦିଲ୍‌’ । ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଲକ୍ଷ୍ୟ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଫିଲ୍ମ ନିର୍ମାଣ  ହେବ । କରନ ସୋସିଆଲ ମିଡିଆରେ ଫିଲ୍ମର କିଛି ପୋଷ୍ଟର୍‌ ଶେୟାର କରିଛନ୍ତି ଏବଂ ୨୦୨୫ ମସିହାରେ  ଏଇଟି ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି ।  

ପୋଷ୍ଟର୍‌ ସହିତ କ୍ୟାପ୍‌ସନ ଲେଖିଛନ୍ତି ‘ନିରୁତା ପ୍ରେମ କାହାଣୀ ପରଦାକୁ ଆଣିବାକୁ ଦୁଇ ଜହ୍ନ  ପ୍ରସ୍ତୁତ । ପ୍ରେମରେ ଟିକିଏ ପାଗଳ ହେବାକୁ  ହିଁ ପଡ଼େ... ବିବେକ ସୋନିଙ୍କ ନିର୍ଦ୍ଦେଶିତ,  ଅନନ୍ୟା-ଲକ୍ଷ୍ୟଙ୍କ ଅଭିନୀତ ‘ଚାନ୍ଦ୍‌ ମେରା  ଦିଲ୍‌’ ୨୦୨୫ରେ ସିନେମାଘରକୁ ଆସିବ ।’ ପୋଷ୍ଟର୍‌ରେ ଅନନ୍ୟା ଓ ଲକ୍ଷ୍ୟ ରୋମାଣ୍ଟିକ୍‌  ପୋଜ୍‌ରେ ନଜର ଆସିଛନ୍ତି । ଉଭୟ ମଧ୍ୟ  ନିଜ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଫିଲ୍ମ  ବିଷୟରେ ଶେୟାର କରିଛନ୍ତି ।

ଅନନ୍ୟା  ଏବେ ‘କଲ୍‌ ମି ବେ’ ଓ ‘ସିଟିଆର୍‌ଏଲ୍‌’ର  ସଫଳତାର ଖୁସି ମନାଉଛନ୍ତି । ନିକଟରେ ଏକ  ସାକ୍ଷାତକାରରେ ମା’ ଭାବନା ପାଣ୍ଡେ ଅନନ୍ୟାଙ୍କ  କଠିନ ପରିଶ୍ରମକୁ ପ୍ରଶଂସା କରିବା ପାଇଁ  ଦର୍ଶକଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟପକ୍ଷେ, ବର୍ଷ ଆରମ୍ଭରେ ମୁକ୍ତିପ୍ରାପ୍ତ ଫିଲ୍ମ ‘କିଲ୍‌’ରେ ନିଜର  ଦମ୍‌ଦାର ପ୍ରଦର୍ଶନ ପାଇଁ ପ୍ରଶଂସା ସାଉଁଟିଥିଲେ ଲକ୍ଷ୍ୟ ।