ନୂଆଦିଲ୍ଲୀ,୧୬/୧୦:  କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ବୟାନ । ମସଜିଦରେ 'ଜୟ ଶ୍ରୀରାମ' ନାରା ଦେବା କୌଣସି ଅପରାଧ ନୁହେଁ ବୋଲି କହିଲେ କର୍ଣ୍ଣାଟକ ହାଇକୋର୍ଟ। ଏଥିସହ "ଜୟ ଶ୍ରୀରାମ" ନାରା ଦେବାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ କରିଛନ୍ତି ଖଣ୍ଡନ ।ତେବେ ଅଭିଯୋଗ ଅନୁସାରେ, କର୍ଣ୍ଣାଟକ ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେବାକୁ ନେଇ ଭିଭିନ୍ନ ଦଫା ଲଗାଇବା ସହ ଗିରଫ କରିଥିଲା, ଯାହାକୁ ଭୁଲ୍ ଦର୍ଶାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟାକୁ ମନା କରିଦେଇଛନ୍ତି।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ ସକାଳ ସମୟରେ କର୍ଣ୍ଣାଟକର ଦୁଇ ଜଣ ବ୍ୟକ୍ତି ଏକ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେଇଥିବା ଅଭିଯୋଗ ହୋଇଥିଲା। ଧାରା 295A ଅନୁସାରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏଥିସହ ପୁଲିସ ସେମାନଙ୍କ ବିରୁଦ୍ଧରେ ଆପିସି ଧାରା ୪୪୭, ୫୦୫ , ୫୦୬, ୩୪ ଆଧାରରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତ ଦର୍ଶାଯାଇଥିବା ଦୁଇ ଜଣ ବ୍ୟକ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଏମ ନାଗପ୍ରସନ୍ନଙ୍କୁ ନେଇ ଗଠିତ ଏକକ ବେଞ୍ଚ ଏ ଉପରେ ଶୁଣାଣି କରି ଏହି ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଏକ ଅପରାଧ ନୁହେଁ ବୋଲି ଦର୍ଶାଇଛନ୍ତି। ଯଦି ମସଜିଦ ବାହାରେ କିମ୍ବା ଭିତରେ କେହି ଜୟ ଶ୍ରୀରାମ କୁହନ୍ତି, ତେବେ ଏହା କିପରି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି, ତାହା ବୁଝାପଡୁନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି। ସେହିପରି ସମ୍ପୃକ୍ତ ଅଞ୍ଚଳରେ ହିନ୍ଦୁ ଏବଂ ମୁସଲିଲ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଚଳୁଥିବା ଅଭିଯୋଗକାରୀ ନିଜେ କହିଛନ୍ତି। ତଥାପି ଏହି ଅଭିଯୋଗକୁ ଭିତ୍ତି କରି ସେମାନଙ୍କ ବିରୁଦ୍ଧର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପାଇଁ ଅନୁମତି ଦେବା ଆଇନର ଅପବ୍ୟବହାର ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୌଣସି ବି କାର୍ଯ୍ୟକୁ ଆଇପିସିର ଧାରା 295A ଅନୁଯାୟୀ ଅପରାଧ ଦର୍ଶାଯିବ ନାହିଁ ବୋଲି ସେ ସୂଚନା ଦେଇ କହିଛନ୍ତି ।