ପୁରୀ/କଟକ,୧୬/୦୭: ସରକାର ଓ ଜିଲ୍ଲା ପ୍ରଶାସନର  ବ୍ୟାପକ ପ୍ରସ୍ତୁତି ସତ୍ତେ୍ୱ ରଥଯାତ୍ରାରେ ବଡ଼ ଅଘଟଣ । ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ୨ ଜଣ ଶ୍ରଦ୍ଧାଳୁଙ୍କ  ମୃତ୍ୟୁ ହୋଇଛି । ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ  କଟକ ଏସ୍‌ସିବି ମେଡିକାଲ୍‌କୁ  ସ୍ଥାନାନ୍ତର କରାଯାଇଛି । ମୃତ ୨ ଶ୍ରଦ୍ଧାଳୁ ହେଲେ କଟକ ଶିର୍ଲେ।ନବଗ୍ର।ମର ଅନିଲ  ଦାସ(୩୬) ଏବଂ ମହାରାଷ୍ଟ୍ରର  ଅଶୋକ ରାୟକର (୬୦) । ଅଶୋକ ୩ ଜଣ ବନ୍ଧୁଙ୍କ ସହ ରଥ ଯାତ୍ରା ଦେଖିବାକୁ ଆସିଥିଲେ । ଗୁରୁତର ଥିବା ୨ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବର୍ଷା ପାଗ ସତ୍ତେ୍ୱ ଭିଡ଼ ନିୟନ୍ତ୍ରଣ ଠିକ୍‌ ଭାବରେ ହୋଇ ନ ପାରିବାରୁ ରଥଟଣା ପୂର୍ବରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଭିଡ଼ରେ  ଅଣନିଃଶ୍ୱାସୀ ହୋଇ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି  ହୋଇଥିଲେ ।  ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ  ଶ୍ରଦ୍ଧାଳୁ ଚାଲି ଯାଇଥିଲେ ।  

ଅପରାହ୍ଣ ପାଖାପାଖି ୨ଟା । ହଠାତ୍‌ ବଡ଼ଦାଣ୍ଡ ମରିଚିକୋଟ ଛକ ନିକଟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏତେ ଜୋର୍‌ରେ ଠେଲାପେଲା ହେଲା ଯେ  ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଶ୍ରଦ୍ଧାଳୁଙ୍କ ଉପରେ ଶ୍ରଦ୍ଧାଳୁ ଲଦି ହୋଇ ପଡ଼ିଥିଲେ । ଦଳାଚକଟାରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ିରହିଥିଲେ । ସେମାନଙ୍କୁ  ଅନ୍ୟ ଶ୍ରଦ୍ଧାଳୁ ଓ ସ୍ୱେଚ୍ଛାସେବୀ ଉଦ୍ଧାର କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଅନିଲର ଛାତି ଉପରେ ଚାପ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁଙ୍କ କାନମୁଣ୍ଡା  ପିଚୁରାସ୍ତାରେ ଚାପି ହୋଇ ରକ୍ତ ବାହାରିଥିଲା । ଉଭୟଙ୍କୁ  ଆମ୍ବୁଲାନ୍ସରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  

ଅଧିକ ପଢ଼ନ୍ତୁ:- IMD Forecast: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ; ଆହୁରି ୨ ଦିନ ବର୍ଷିବ, ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୨୪ରେ ପୁଣି ଘୂର୍ଣ୍ଣିବଳୟ

ଦୁଇ ଗୁରୁତରଙ୍କୁ ଏସ୍‌ସିବି ଟ୍ରମା କାଜୁଆଲଟିରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା  ଓ ଅନ୍ୟ ଜଣେ ପୁରୁଷ । ଆହତ ବ୍ୟକ୍ତିଙ୍କ ବୟସ ୫୫  ବର୍ଷ ହେବ । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା  ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ସେହିପରି ଅନ୍ୟ  ମହିଳା ଶ୍ରଦ୍ଧାଳୁଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବା  ଖବର ମିଳିଛି । ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ଅର୍ଥୋପେଡିକ୍‌, ସର୍ଜରୀ  ବିଭାଗର ଡାକ୍ତର ଚିକିତ୍ସା କରୁଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ  ନାଁ, ଗାଁ, ଠିକଣା ଜଣାପଡ଼ିନାହିଁ । ସେମାନେ କଥାବର୍ତ୍ତା  କରୁଥିଲେ ହେଁ ଟିକେଟ୍‌ କାଉଣ୍ଟର୍‌ରେ ନାଁ ରେଜିଷ୍ଟ୍ରେସନ୍‌  ସମୟରେ ଅଜଣା ଲୋକ ବୋଲି ଉଲ୍ଲେଖ କରାଯିବା  ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।  

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆକୋଠାରେ ଅସ୍ଥାୟୀ ଭାବେ ଜାରି ରହିଥିବା ଚିକିତ୍ସାସ୍ଥଳରେ ପହଞ୍ଚି ଅଘଟଣକୁ ଚପାଇବାକୁ ଉଦ୍ୟମ କରିଥିଲେ । ୨ଟି ଶବକୁ ୱାର୍ଡରେ ଲୁଚାଇ ରଖାଯାଇଥିଲା । ପୁଲିସ ଉକ୍ତ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍‌ କରି ରଖିଥିଲା । ଚିକିତ୍ସାଳୟ ପରିସରକୁ କାହାରିକୁ ଛଡ଼ାଯାଇ  ନ ଥିଲା । ହେଲେ ଦଳାଚକଟାର ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ଅଘଟଣରେ ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲା ।