କଟକ ୨୩/୧୨ମହାଦେବ ସେଠୀ): ୨୦୨୩ ତୁଳନାରେ ୨୦୨୪ ବର୍ଷରେ ଭିଜିଲାନ୍ସରେ  ରୁଜୁ ମାମଲା ସଂଖ୍ୟା କମିଛି । ଗତବର୍ଷ ୨୬୫ଟି  ମାମଲା ରୁଜୁ ହୋଇଥିବା ବେଳେ ଏବର୍ଷ ରୁଜୁ  ହୋଇଛି ୧୮୫ଟି ମାମଲା ।  ତେବେ ୨୦୨୪ରେ ରେକର୍ଡ କରିବା ଭଳି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ସରକାରୀ ନୀତିନିୟମକୁ  ଢୋକି ଆୟବହିର୍ଭୂତ କୋଟି କୋଟି ଟଙ୍କା ଅର୍ଜି  କଳାଧନର ସାମ୍ରାଜ୍ୟ ତୋଳିଥିବା ଦୁର୍ନୀତିଗ୍ରସ୍ତ ଓ  ଲାଞ୍ଚୁଆ ଅଧିକାରୀଙ୍କୁ ଫାଶରେ ପକାଇଛି ଦୁର୍ନୀତି  ନିବାରଣ ସଂସ୍ଥା । ସେମାନଙ୍କ ସାମ୍ରାଜ୍ୟକୁ ଖୋଳି  ତାଡ଼ି ବାହାର କରିଛି ୧୫୦ କୋଟିରୁ ଅଧିକ ଟଙ୍କାର  ସମ୍ପତ୍ତି, ପ୍ଲଟ୍‌, ଫ୍ଲାଟ୍‌ ଆଦି ।  ଭିଜିଲାନ୍‌ସ୍‌ ବିଭାଗର ବର୍ଷକର କାର୍ଯ୍ୟାନୁଷ୍ଠାନ ଓ  ଉପଲବ୍‌ଧିକୁ ନେଇ ଏହି ଫର୍ଦ୍ଦ । 

କୁବେର ଅଧିକାରୀମାନଙ୍କ ଘରୁ ମିଳୁଥିବା ସୁନାଗହଣାକୁ  ଓଜନ କରି କରି ଥକି ପଡ଼ୁଥିଲେ ବଣିଆ । ଟଙ୍କା ଗଣା  ମେସିନ୍‌କୁ ବି ଫୁରସତ୍‌ ମିଳୁନଥିଲା । ଭିଜିଲାନ୍‌ସ୍‌  ଅଧିକାରୀମାନେ ବେଡ୍‌ରୁମ୍‌ରୁ ଆରମ୍ଭ କରି ପାଇଖାନାଯାଏ, ତନଖି କରି  ଭିଡ଼ି ଆଣୁଥିଲେ ବିଡ଼ାବିଡ଼ା ଟଙ୍କା । ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ଅଫିସରଙ୍କ ଘରୁ  ଖୋଳି ତାଡ଼ି ବାହାର କରୁଥିଲେ ପୁଳାପୁଳା ପ୍ଲଟ୍‌, ମାଳମାଳ ଫ୍ଲାଟ୍‌, ଫାର୍ମ  ହାଉସ୍‌, ଆଲିସାନ୍‌ ବଙ୍ଗଳା। ଆଖି ତରାଟି ହୋଇଗଲା ଭଳି ସୁନା ଓ ହୀରା  ଅଳଙ୍କାର ବି ଘର ଭିତରୁ ଅଣ୍ଡାଳି ବାହାର କରୁଥିଲା ଭିଜିଲାନ୍ସ । ଚଢ଼ଉ  ବେଳେ ସୁଖ ସ୍ୱାଚ୍ଛନ୍ଦ୍ୟ ଭରା ରହଣି ପାଇଁ ଘର ଭିତରେ ଥିବା ମୂଲ୍ୟବାନ  ଆସବାବପତ୍ର, ବିଦେଶୀ ସୌକିନ୍‌ ସାମଗ୍ରୀ, ଗାଡ଼ିମୋଟର, ନଗଦ ଟଙ୍କା  ଦେଖି ତୋବା ହୋଇଯାଉଥିଲେ ତଦନ୍ତକାରୀ ଭିଜିଲାନ୍‌ସ୍‌ ଅଧିକାରୀମାନେ ।  ଏମିତି ଥିଲା ଚଢ଼ଉର ରୂପରେଖ । 

 ଏବର୍ଷ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ୬ ମାସ ରାଜ୍ୟରେ ଦୁର୍ନୀତି  ନିବାରଣ ଅଭିଯାନ ଟିକେ ଧିମେଇ ଯାଇଥିଲା ସତ । ମାତ୍ର ବର୍ଷର ଶେଷ  ଛଅ ମାସକୁ ଚାଲେଞ୍ଜ୍‌ ଭାବେ ନେଇ ଦୁର୍ନୀତିଗ୍ରସ୍ତଙ୍କ ଉପରେ ପଞ୍ଝା ମାରିଥିଲା  ଦୁର୍ନୀତି ନିବାରଣ ସଂସ୍ଥା । ନୂଆ ସରକାରରେ ଭିଜିଲାନ୍ସ ପାଇଁ ଥିଲା ନୂଆ  ଆହ୍ୱାନ । ସରକାରୀ ପଦବିର ଅପବ୍ୟବହାର ପୂର୍ବକ ଚାକିରି କାଳରେ  ହରିଲୁଟ୍‌ କରି ଅମାପ ସମ୍ପତ୍ତି ଠୁଳ କରିଥିବା ଜଣକ ପରେ ଜଣେ ସରକାରୀ  କୁବେରଙ୍କ ଦୁଆର ମୁହଁରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌ । ଦୁର୍ନୀତିଖୋରଙ୍କ  ଆଖିରୁ ନିଦ ହଜେଇ ଦେଇଥିଲା ।  

୨୦୨୪ରେ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ବେଶ କଠୋର  ହୋଇଥିଲା ଭିଜିଲାନ୍ସ । ମୁଖ୍ୟ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ,  ଉପଜିଲ୍ଲାପାଳଙ୍କଠାରୁ ତହସିଲ୍‌ଦାର ଓ ବିଡିଓ, ଡାକ୍ତରଙ୍କଠାରୁ ଶିକ୍ଷକ ଏବଂ  ଗ୍ରାମସେବକଙ୍କଠୁ କୃଷିସେବକଙ୍କ ପର୍ଯ୍ୟନ୍ତ ଅନେକ ଲାଞ୍ଚୁଆ ଧରା ପଡ଼ିଥିଲେ  ଭିଜିଲାନ୍ସ ଜାଲରେ । ଆର୍ଥିକ ପରାମର୍ଶ ଦେବା ନାଁରେ ସରକାରୀ ଅର୍ଥ  ବାଟମାରଣା କରୁଥିବା ଓଏଫ୍‌ଏସ୍‌ ଅଧିକାରୀଙ୍କୁ ବି ଛାଡ଼ିନଥିଲା ଭିଜିଲାନ୍ସ ।  ବେଆଇନ ସୂତ୍ରରୁ ଲକ୍ଷାଧିକ ଟଙ୍କା ନେଇ ଲୁଚିଛପି ଯିବା ବାଟରେ ପିଛା କରି  ବିଡ଼ାବିଡ଼ା ନୋଟ୍‌ ଜବତ କରିଥିଲା ଭିଜିଲାନ୍ସ । ସହକର୍ମୀ ହୋଇ ବି ଲାଞ୍ଚୁଆ  ପୁଲିସ୍‌ ଅଧିକାରୀଙ୍କୁ ଛାଡ଼ିନଥିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ବିଭିନ୍ନ  ଥାନାରୁ ୯ ଜଣ ଅଫିସରଙ୍କୁ ଟଙ୍କା ସହ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ ।  

ଚଳିତବର୍ଷ ପାଖାପାଖି ୧୮୫ଟି ମାମଲା ଭିଜିଲାନ୍ସ ରୁଜୁ କରିଥିବା  ସୂଚନା ମିଳିଛି । ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କଠାରୁ ପ୍ରାୟ ୧୪୦  କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏଥିରୁ ଆୟବହିର୍ଭୂତ ସମ୍ପତ୍ତି  ଠୁଳ କରିବା ନେଇ ୬୦ଟି ମାମଲା ରୁଜୁ ହୋଇଛି । ସେହିପରି ଟଙ୍କା ଲାଞ୍ଚ  ନେବା ଘଟଣାରେ ପ୍ରାୟ ୧୦୦ଟି ମାମଲା ରୁଜୁ ହୋଇଛି । ସରକାରୀ ଅର୍ଥ  ତୋଷରପାତ, ହରିଲୁଟ୍‌ ଆଦି ଦୁର୍ନୀତି ଅଭିଯୋଗରେ ୩୫ ଟି ମାମଲା  ରୁଜୁ ହୋଇଛି । ମୋଟ୍‌ ୧୬୫ ଜଣ ଜେଲ୍‌ ଯାଇଛନ୍ତି । ରାଜ୍ୟରେ ସର୍ବାଧିକ  ଭିଜିଲାନ୍ସ ମାମଲା କଟକ ଡିଭିଜନ୍‌ରେ ହିଁ ହୋଇଛି ।   

ସେହିଭଳି ଅଦାଲତରେ ବିଚାର ଶେଷ ହୋଇଥିବା ମାମଲା ମଧ୍ୟରୁ  ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରାଇବାରେ ଭିଜିଲାନ୍ସ ୫୦%  ସଫଳତା ହାସଲ କରିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ  ଦୋଷୀ ସାବ୍ୟସ୍ତ କରାଇବାରେ ସଫଳତା ହାର ୮୦ ପ୍ରତିଶତ ରହିଛି ।

ବିଡିଓଙ୍କ କାର ଡୋର୍‌ରୁ ବାହାରିଲା ସାଢ଼େ ୫ ଲକ୍ଷ

ଲାଞ୍ଚ ଟଙ୍କା ନେଇ ବିଡିଓ କାର୍‌ରେ ଯାଉଥିବାର ଖବର  ପାଇଥିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ୍‌  ବିଡିଓ ଅକ୍ଷମିତା କାର୍ତ୍ତିକ ତାଙ୍କ ଅଫିସ୍‌ କାରରେ କୋରାପୁଟ  ଅଭିମୁଖେ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍‌ ଅଟକାଇ ଦୀର୍ଘ  ଏକ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଖାନତଲାସ କରିଥିଲା । କିନ୍ତୁ  କାର୍‌ରୁ ଟଙ୍କା ମିଳିନଥିଲା । ସବୁ ଆଡ଼ୁ ନିରାଶ ହେବା ପରେ କାର୍‌  ଡୋରଗୁଡ଼ିକୁ କାଟିବା ପରେ ଭିତରୁ ୫ ଲକ୍ଷ ୪୦ ହଜାରରୁ ଅଧିକ  ଟଙ୍କା ବାହାରିଥିଲା । ଲାଞ୍ଚ ଟଙ୍କାକୁ ନେଇ ମହିଳା ଓଏଏସ୍‌ ଅଧିକାରୀ  ଜଣଙ୍କ ଭିଜିଲାନ୍ସକୁ ଚକ୍‌ମା ଦେଇ ଖସିବାକୁ ଉଦ୍ୟମ କରୁଥିଲେ  ହେଁ ଜଣେ ଖବରିର ଠୋସ୍‌ ସୂଚନା ତାଙ୍କୁ ଧରା ପକାଇ ଦେଇଥିଲା ।   

ରାଜସ୍ୱ ବିଭାଗରୁ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଠାବ

ଏଥର ରାଜସ୍ୱ ବିଭାଗରୁ ସର୍ବାଧିକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଠାବ ହୋଇ  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଦୁର୍ନୀତି ନିବାରଣ ଆଇନ ବଳରେ  ରାଜସ୍ୱ ବିଭାଗର ଅଫିସର ଓ କିରାଣି, ଆର୍‌ଆଇ, ଅମିନ୍‌ ମିଶି ପ୍ରାୟ  ୩୨ ଜଣ ଗିରଫ ହୋଇ ଜେଲ୍‌ ଯାଇଛନ୍ତି, ଯାହାକି ବିଭାଗ ହିସାବରେ  ସର୍ବାଧିକ । ସେହିପରି ବ୍ଲକ୍‌ ସ୍ତରରେ କାର୍ଯ୍ୟରତ ପଞ୍ଚାୟତିରାଜ  ବିଭାଗରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ସଂଖ୍ୟା କିଛି କମ୍‌ ନାହିଁ । ବିଭିନ୍ନ  ବ୍ଲକ୍‌ ଓ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ  ୨୮ ଜଣ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି।  

୧୦ କୋଟିର ଗହଣା

ଭିଜିଲାନ୍ସ ଜାଲରେ ଫସୁଥିବା ଦୁର୍ନୀତିଗ୍ରସ୍ତଙ୍କ ଘରେ ଚଢ଼ଉ ପରେ  ମିଳିଛି ପୁଳାପୁଳା ସୁନା, ରୁପା, ହୀରା ଅଳଙ୍କାର । ବିଦାୟୀ ବର୍ଷରେ ଭିଜିଲାନ୍ସ ପ୍ରାୟ ୧୦ କୋଟିରୁ ଅଧିକ ମୂଲ୍ୟର ଅଳଙ୍କାର ଜବତ କରିଛି ।  ସେଥିରେ ଅଛି ୧୦ କେଜିରୁ ଅଧିକ ସୁନା ଗହଣା । ସେହିପରି ଅଧ  କ୍ୱିଣ୍ଟାଲରୁ ଅଧିକ ରୁପା ଓ କିଛି ହୀରା ଗହଣା ବି ଭିଜିଲାନ୍ସ ଜବତ  କରିଛି । କେବଳ ସେତିକି ନୁହେଁ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରୁ ବିପୁଳ  ଟଙ୍କାର ବିଭିନ୍ନ ସୌକିନ୍‌ ସାମଗ୍ରୀ ଥିବା ଚଢ଼ଉରେ ଦେଖିବାକୁ ମିଳିଥିଲା।

ଜାଲରେ ବଡ଼ ମାଛ

ଏଥର ଭିଜିଲାନ୍ସର ଟାର୍ଗେଟ୍‌ରେ ଥିଲେ ପ୍ରଭାବଶାଳୀ ବଡ଼  ଅଧିକାରୀ । ସରକାରୀ ବ୍ୟବସ୍ଥାକୁ ଚକ୍‌ମା ଦେଇ ଏହି  ଅଧିକାରୀମାନେ କୋଟି କୋଟି ଟଙ୍କାର ସଂପତ୍ତି ଠୁଳ  କରିଥିଲେ । ଏଥର ସରକାର କଠୋର ଆଭିମୁଖ୍ୟ ଗ୍ରହଣ  କରିବାରୁ ତଥାକଥିତ କିଛି ବଡ଼ମାଛ ଭିଜିଲାନ୍ସ ଜାଲରେ  ଧରାପଡ଼ିଥିଲେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା  ଅଭିଯୋଗରେ ଭିଜିଲାନ୍ସ ଏଥର ୩୦ ଜଣ କ୍ଲାସ୍‌-୧  ଅଫିସର ଓ ୧୫ ଜଣ କ୍ଲାସ୍‌-୨ ଅଫିସରଙ୍କୁ ମାଡ଼ି ବସିଥିଲା । 

ଯନ୍ତ୍ରୀଙ୍କ କଳା ସାମ୍ରାଜ୍ୟ 

ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ  ଧରାପଡ଼ିଥିବା ସରକାରୀ ଅଧିକାରୀଙ୍କ ମଧ୍ୟରେ ଅଧିକ  ସଂଖ୍ୟକ ଯନ୍ତ୍ରୀ ବା ଇଞ୍ଜିନିୟର୍‌ ଅଛନ୍ତି । ଏଥର ଭିଜିଲାନ୍ସ  ହାତରେ ଧରାପଡ଼ିଥିବା ଚିଫ୍‌ ଇଞ୍ଜିନିୟରଙ୍କଠାରୁ ଆରମ୍ଭ  କରି କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଅଚଳାଚଳ ସମ୍ପତ୍ତି  ରାଜ୍ୟବାସୀଙ୍କୁ ତାଜୁବ କରିଛି । ୧୫ରୁ ଅଧିକ କୋଟିପତି  ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ  ଆଖି ଖୋସିଦେବା ଭଳି ସଂପତ୍ତି ଠାବ ହୋଇଛି ଓଡ଼ିଶା  ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକସନ୍‌ କର୍ପୋରେସନ୍‌ (ଓବିସିସି)ର  ଅତିରିକ୍ତ ଚିଫ୍‌ ଇଞ୍ଜିନିୟର ପ୍ରଦୀପ ରଥଙ୍କର । ଭିଜିଲାନ୍ସ  ଚଢଉରେ ଶ୍ରୀ ରଥଙ୍କର ସାଢ଼େ ୧୦ କୋଟିରୁ ଅଧିକ ଟଙ୍କାର  ସମ୍ପତ୍ତି ଠାବ ହୋଇଛି । ସେହିପରି ଲୋୟର୍‌ ସୁକ୍‌ତେଲ  ପ୍ରକଳ୍ପ ଚିଫ୍‌ କନଷ୍ଟ୍ରକସନ୍‌ ଇଞ୍ଜିନିୟରଙ୍କ ସମେତ ବାଲେଶ୍ୱର  ରୁରାଲ୍‌ ୱାର୍କସ୍‌ର ଚିଫ୍‌ ଇଞ୍ଜିନିୟର, କେନ୍ଦୁଝର ବୈତରଣୀ  ବେସିନ୍‌ର ସର୍ବୋଚ୍ଚ ଯନ୍ତ୍ରୀ, ବାଲେଶ୍ୱର ଜଳସମ୍ପଦର  ସୁପରିଣ୍ଟେଣ୍ଡେଣ୍ଟ୍‌ ଇଞ୍ଜିନିୟର, ଗଞ୍ଜାମ ଭଞ୍ଜନଗର  ଜଳସମ୍ପଦ ଡିଭିଜନ୍‌ର ସହକାରୀ ଯନ୍ତ୍ରୀଙ୍କ ପରି ବହୁ  ଯନ୍ତ୍ରୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ ।  

ଅବସର ପରେ ବନ୍ଧା ହେଲେ ସର୍ବୋଚ୍ଚ ଯନ୍ତ୍ରୀ

ଚାକିରିକାଳ ଭିତରେ ନିଜ ପ୍ରଭାବ କାରଣରୁ ହେଉ ବା କାହାର  ଅନୁକମ୍ପା ପାଇଁ ହେଉ ଭିଜିଲାନ୍ସ ହାତରେ ଧରା ପଡ଼ିନଥିଲେ  ରାଜ୍ୟ କୋଠାବାଡ଼ି ଓ ରାସ୍ତା ନିର୍ମାଣ ସଂସ୍ଥାର ତତ୍କାଳୀନ ସର୍ବୋଚ୍ଚ  ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ହେଲେ ଅବସର ପରେ ତାଙ୍କ କଳା  ସାମ୍ରାଜ୍ୟ ଉପରେ ପଞ୍ଝା ମାରିଥିଲା ରାଜ୍ୟ ଦୁର୍ନୀତି ନିବାରଣ  ସଂସ୍ଥା । ଇଂ. ମିଶ୍ରଙ୍କ ଘରେ ଚଢ଼ଉ ସମୟରେ ଜୁଏଲାରୀ ଦୋକାନ  ପରି ମିଳିଥିଲା ପୁଳାପୁଳା ସୁନା, ରୁପା ଓ ହୀରା ଅଳଙ୍କାର ।  ଅବସରପ୍ରାପ୍ତ ଏହି ସର୍ବୋଚ୍ଚଙ୍କର ପାଖାପାଖି ୮ କୋଟି ଟଙ୍କାର  ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏତେ ପରିମାଣର ଧନସମ୍ପତ୍ତି  କେଉଁ ସୂତ୍ରରୁ ଆୟ କଲେ ତାହାର ଉତ୍ତର ତାରାଙ୍କ ପାଖରେ  ନଥିଲା । ଫଳରେ ଭିଜିଲାନ୍ସ ତାଙ୍କୁ ବାନ୍ଧି ଜେଲ୍‌ରେ ପୂରାଇଥିଲା ।  

୪ ଶହରୁ ଅଧିକ ପ୍ଲଟ୍‌, ଦେଢ଼ଶହ ଫ୍ଲାଟ୍‌

କଳା ଟଙ୍କାରେ କିଣିଥିଲେ ମାଳମାଳ ପ୍ଲଟ୍‌ ଓ ଫ୍ଲାଟ୍‌ । ଆଖିବୁଜା  ଟଙ୍କା ଆସିବାରୁ ରାଜଧାନୀ ଛାତିରେ ପ୍ଲଟ୍‌, ଫ୍ଲାଟ୍‌ କିଣି  ଅୟସ୍‌ କରିବା ନିଶାରେ ମାତିଥିଲେ ଅଧିକାରୀ । ଅଧିକାଂଶ  ଦୁର୍ନୀତିଗ୍ରସ୍ତଙ୍କ ସଉକ ଯେ ଥିଲା ଜମି ଓ ଘର କିଣିବା, ତାହା  ଭିଜିଲାନ୍ସ ଚଢ଼ଉରୁ ସାମ୍ନାକୁ ଆସିଛି । ଭିଜିଲାନ୍ସ ଜାଲରେ  ଯେତେ ଅଧିକାରୀ ପଡ଼ିଛନ୍ତି ଅଧିକାଂଶ ଅଧିକାରୀଙ୍କର ବହୁ  ମୂଲ୍ୟବାନ ପ୍ଲଟ୍‌ ଓ ଫ୍ଲାଟ୍‌ ଚଢ଼ଉରେ ମିଳିଥିଲା । କାହାର ୫୦ଟା  ପ୍ଲଟ୍‌ ଠାବ ହୋଇଥିଲା ତ କାହାର ୧୦ ଫ୍ଲାଟ୍‌ । ଯନ୍ତ୍ରୀଙ୍କଠାରୁ  ଆରମ୍ଭ କରି ତହସିଲଦାର, ବିଡିଓ, ଖଣି ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀ ଓ ପୌର ନିଗମ ଅଧିକାରୀଙ୍କର ପୁଳାପୁଳା  କୋଠାବାଡ଼ି, ଜମିର ସନ୍ଧାନ ମିଳିଥିଲା । ୨୦୨୪ରେ ଏମିତି ୪  ଶହରୁ ଅଧିକ ପ୍ଲଟ୍‌ ଓ ଦେଢ଼ ଶହ ଅଟ୍ଟାଳିକା ଭିଜିଲାନ୍ସ  ଠାବ କରିବାରେ ସକ୍ଷମ ହୋଇଛି।

ସରକାରୀ ଆକାଉଣ୍ଟ୍‌ରୁ ନେଇଗଲେ କୋଟିଏ

ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବସନ୍ତ କୁମାର  ଦାଶ ନିଆଁ ଗିଳିଲା ଭଳି ଦୁର୍ନୀତି କରି ଧରାପଡ଼ିଛନ୍ତି । ବିଭିନ୍ନ  ସରକାରୀ ଯୋଜନା ପାଇଁ ଆସିଥିବା ୧ କୋଟିରୁ ଅଧିକ ଟଙ୍କା ସେ  ବିଭାଗୀୟ ଆକାଉଣ୍ଟ୍‌ରୁ  ନିଜ ଆକାଉଣ୍ଟ୍‌କୁ  ଉଠାଇ ନେଇଥିଲେ ।  ବିଭାଗୀୟ ଆକାଉଣ୍ଟ୍‌ରୁ  ଟଙ୍କା ସରିଯିବା ପରେ  ଖୋଳତାଡ଼ ହେବାରୁ  ଡେପୁଟି ଡାଇରେକ୍ଟର  ଶ୍ରୀ ଦାଶ ସରକାରୀ ଆକାଉଣ୍ଟ୍‌ରୁ ୧ କୋଟି ୫ ଲକ୍ଷ ଟଙ୍କା  ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିଥିବା ଧରାପଡ଼ିଥିଲା । ଅଧିକ  ତଦନ୍ତ ହେବାରୁ ସେ ବିପୁଳ ଟଙ୍କା ଆତ୍ମସାତ୍‌ କରିଥିବା କଥା  ପଦାକୁ ଆସିଥିଲା । ସରକାରୀ ଅର୍ଥରେ ନିଜ ପାଇଁ କୋଠାବାଡ଼ି,  ନିଜ ସମ୍ପର୍କୀୟଙ୍କ ନାଁରେ ସୁନାଗହଣା କରି ମଉଜ କରୁଥିବା ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବସନ୍ତ କୁମାର  ଦାଶ ନିଆଁ ଗିଳିଲା ଭଳି ଦୁର୍ନୀତି କରି ଧରାପଡ଼ିଛନ୍ତି । ବିଭିନ୍ନ  ସରକାରୀ ଯୋଜନା ପାଇଁ ଆସିଥିବା ୧ କୋଟିରୁ ଅଧିକ ଟଙ୍କା ସେ  ବିଭାଗୀୟ ଆକାଉଣ୍ଟ୍‌ରୁ  ନିଜ ଆକାଉଣ୍ଟ୍‌କୁ  ଉଠାଇ ନେଇଥିଲେ ।  ବିଭାଗୀୟ ଆକାଉଣ୍ଟ୍‌ରୁ  ଟଙ୍କା ସରିଯିବା ପରେ  ଖୋଳତାଡ଼ ହେବାରୁ  ଡେପୁଟି ଡାଇରେକ୍ଟର  ଶ୍ରୀ ଦାଶ ସରକାରୀ ଆକାଉଣ୍ଟ୍‌ରୁ ୧ କୋଟି ୫ ଲକ୍ଷ ଟଙ୍କା  ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରିଥିବା ଧରାପଡ଼ିଥିଲା । ଅଧିକ  ତଦନ୍ତ ହେବାରୁ ସେ ବିପୁଳ ଟଙ୍କା ଆତ୍ମସାତ୍‌ କରିଥିବା କଥା  ପଦାକୁ ଆସିଥିଲା । ସରକାରୀ ଅର୍ଥରେ ନିଜ ପାଇଁ କୋଠାବାଡ଼ି,  ନିଜ ସମ୍ପର୍କୀୟଙ୍କ ନାଁରେ ସୁନାଗହଣା କରି ମଉଜ କରୁଥିବା।

ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଲେ ୧୦ ଲକ୍ଷ

ପୁଲିସ୍‌ ହାଉସିଂ କର୍ପୋରେସନର ଡେପୁଟି ଜେନେରାଲ୍‌  ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା ଆଖିବୁଜା କଳା ଟଙ୍କା  କମାଇଥିଲେ । ଖବର ପାଇ ଭିଜିଲାନ୍ସ ତାଙ୍କ ଘରେ ଚଢ଼ଉ  କରିବା ବେଳେ କଳା ଟଙ୍କା ତାଙ୍କ ପଇଁ ବଇରୀ ହୋଇଥିଲା ।  ବସ୍ତାରେ ଭର୍ତ୍ତି ହୋଇଥିବା ୧୦ ଲକ୍ଷ ଟଙ୍କାକୁ ନେଇ ପଡୋଶୀଙ୍କ  ଘରର ଛାତ ଉପରକୁ ଫୋପାଡ଼ି ଥିଲେ ସେ ।  ଭିଜିଲାନ୍ସ କବଳରୁ ଖସିବା ପାଇଁ ଟଙ୍କା ଅନ୍ୟ ଘରକୁ ଫିଙ୍ଗିବାର  ନାଟକ ରଚିଥିଲେ ମଧ୍ୟ  ସୁବାସ ତଦନ୍ତକାରୀ  ଟିମ୍‌ ନଜରରୁ ଖସି  ପାରି ନଥିଲେ ।

ମିଶ୍ରଙ୍କ ସଂପତ୍ତି ଯାଞ୍ଚ୍‌ ବେଳେ ଭିଜିଲାନ୍ସ ଠାବ କରିଥିଲା ଏକ  ମିନି ଚିଡ଼ିଆଖାନା । ଶ୍ରୀ ମିଶ୍ରଙ୍କ ଗୁପ୍ତ ଧନ ଖୋଜୁ ଖୋଜୁ ଆଠଗଡ଼ର ଏକ ଫାର୍ମ ହାଉସ୍‌ରେ  ପହଞ୍ଚିଥିଲା ଭିଜିଲାନ୍ସ । ବିପୁଳ ଟଙ୍କାରେ ନିର୍ମିତ ଏହି ଫାର୍ମ ହାଉସରେ ମୟୂର, ବତକ, ବିଦେଶୀ ପ୍ରଜାତିର  ବହୁ କୁକୁଡ଼ାଙ୍କ ସମେତ ଠେକୁଆ ଓ ଅନ୍ୟ ବହୁ ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳିଥିଲା । ମନୋରଂଜନ ପାଇଁ ବନ ବିଭାଗ ବାବୁ  ନିଜ ବିଭାଗର ସବୁ କଟକଣା ଓ ନୀତି ନିୟମକୁ ମୋଡ଼ି ମକଚି ବନ୍ୟଜନ୍ତୁଙ୍କ ଚିଡ଼ିଆଖାନା ତିଆରି କରିଥିଲେ । ଏଥିପାଇଁ ବିପୁଳ ଟଙ୍କା ମଧ୍ୟ  ଉଡ଼ାଉଥିଲେ । ଏତେ ଜନ୍ତୁଜୁନ୍ତା ଦେଖି ଭିଜିଲାନ୍ସ ଅଧିକାରୀମାନେ କାବା ହୋଇଯାଇଥିଲେ । କେବଳ ସେତିକି  ନୁହେଁ, ଭିଜିଲାନ୍ସକୁ ଚକ୍‌ମା ଦେବା ପାଇଁ ପାଞ୍ଚ ଶହ ଟଙ୍କାର ବହୁ ବିଡ଼ା ପାଇଖାନା ଫ୍ଲସ୍‌ ଭିତରେ ସେ ଲୁଚାଇଥିଲେ । ଅବଶ୍ୟ ଭିଜିଲାନ୍ସ ନଜରରୁ ତାହା ବର୍ତ୍ତି ନଥିଲା । ସେହିପରି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଦାୟିତ୍ୱରେ ଥିବା ମୁଖ୍ୟଯନ୍ତ୍ରୀ  ସୁନୀଲ କୁମାର ରାଉତଙ୍କ ସଂପତ୍ତି ଓ ସଉକ ଭିଜିଲାନ୍ସ୍‌ ଅଧିକାରୀଙ୍କୁ ବିସ୍ମିତ କରିଛି।  

ବନଅଧିକାରୀଙ୍କ ଚିଡ଼ିଆଖାନା, ମୁଖ୍ୟଯନ୍ତ୍ରୀଙ୍କ ଗାଈ ଫାର୍ମ

ଆୟ ତୁଳନାରେ ବିପୁଳ ଅଧିକ ସଂପତ୍ତି ଠୁଳ କରିଥିବା ଏହି  କୁବେର ଯନ୍ତ୍ରୀ ଢେଙ୍କାନାଳ ସପ୍ତଶଯ୍ୟା ପାଦଦେଶରେ  ଗାଈ ଫାର୍ମ ସାଙ୍ଗକୁ କୁକୁଡ଼ା ଚାଷ ଓ ମାଛ ପୋଖରୀ  କରି ସେଥିରେ କୋଟି କୋଟି ଟଙ୍କା ବିନିଯୋଗ  କରିଥିବା ଦେଖିବାକୁ ମିଳିଥିଲା । କାମ କରିବା  ପାଇଁ ସେଠାରେ ଅନେକ ଲୋକଙ୍କୁ ନିୟୋଜିତ  କରାଯାଇଥିଲା । ଲୋକଲୋଚନକୁ ନଆସିବା  ପାଇଁ ଅଭିଯୁକ୍ତ ଯନ୍ତ୍ରୀ ଇଂ. ରାଉତ ବହୁ କୌଶଳ  କରି ଧନସମ୍ପତ୍ତି ବଢ଼ାଇଥିଲେ । ହେଲେ  ଭିଜିଲାନ୍ସର ନଜରରୁ ତାହା ବର୍ତ୍ତି ପାରିନଥିଲା ।  ଖୋଳତାଡ଼ ପରେ କୁବେର ଯନ୍ତ୍ରୀଙ୍କ ସଂପତ୍ତି  ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା

୨୦୦  ଜଣଙ୍କ ନାଁରେ ଚାର୍ଜସିଟ୍‌, ୫୦ ଦୋଷୀ ସାବ୍ୟସ୍ତ

 ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ପ୍ରାୟ  ୮୫ଟି ମାମଲାରେ ଦୁଇ ଶହ ଅଭିଯୁକ୍ତଙ୍କ  ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ  କରାଯାଇଛି । ଏଥିରେ ୩୦ ଜଣ ଲେଖାଏଁ  କ୍ଲାସ୍‌-୧ ଓ କ୍ଲାସ୍‌-୨ ଅଫିସର ଥିବା ବେଳେ  ୭୦ ଜଣ କ୍ଲାସ୍‌-୩, ୧୦ ଜଣ ଚତୁର୍ଥ ଶ୍ରେଣୀ ପାହ୍ୟା କର୍ମଚାରୀ ରହିଛନ୍ତି । ୧୫ ଜଣ  ଅନ୍ୟ ଚାକିରିଆ ଓ ୬୦ରୁ ଅଧିକ ଅନ୍ୟ  ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ  କରାଯାଇଥିବା ବିଭାଗ ପକ୍ଷରୁ ସୂଚନା  ମିଳିଛି । ଅଦାଲତ ବିଭିନ୍ନ ମାମଲାରେ  ୫୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି।

୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର 

ଅଧିକାରୀଙ୍କ ଏପରି କାରବାର ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିଲା । ଚଳିତ ବର୍ଷ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପ୍ରମାଣିତ  ହେବା ପରେ ୧୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଚାକିରିରୁ ବିଦା  ହୋଇଥିବା ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକାରେ ୩ଜଣ କ୍ଲାସ୍‌-୨ ଓ ୭ ଜଣ କ୍ଲାସ୍‌-୩  ଅଧିକାରୀ ରହିଛନ୍ତି । କେବଳ ସେତିକି ନୁହେଁ, ଚାକିରି କାଳ ଭିତରେ ଖସି ଯାଇଥିବା କେତେକ  ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଅବସର ପରେ ବି ଛାଡ଼ିନାହାନ୍ତି  ସରକାର । ଭିଜିଲାନ୍ସର ସୁପାରିସ କ୍ରମେ ସରକାର ୧୫ ଜଣ ଅବସରପ୍ରାପ୍ତ  ଅଫିସରଙ୍କ ପେନସନ୍‌ ବନ୍ଦ  କରିଦେଇଛନ୍ତି ।

କାର୍ଯ୍ୟାନୁଷ୍ଠାନ ଜେଲ ଯାଇଛନ୍ତି ୧୬୫

ଗତବର୍ଷ ଭିଜିଲାନ୍ସ ବିଭାଗ ୧୮୫ରୁ ଅଧିକ  ମାମଲା ରୁଜୁ କରିଛି । ଆୟବହିର୍ଭୂତ ସମ୍ପତ୍ତି  ଠୁଳ ଅଭିଯୋଗରେ ୫୫ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ଲାଞ୍ଚ୍‌ ନେବା ଘଟଣାରେ ୯୫  ଜଣଙ୍କ ବିରୋଧରେ କେସ୍‌ ହୋଇଛି । ସରକାରୀ  ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ୩୦ଟି ମାମଲା  ରୁଜୁ ହୋଇଛି । ମୋଟ ଉପରେ ଭିଜିଲାନ୍ସ ୧୬୫  ଜଣଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି ।