ଭୁବନେଶ୍ୱର ୨୨/୧୨(ରଞ୍ଜନ ସାହୁ, ହେମନ୍ତ ପରିଡ଼ା, ମାନସୀ ଶୁକ୍ଳା, ଭାଗ୍ୟଶ୍ରୀ ସାହୁ): ୨୦୨୪ରେ ଭୂସ୍ଖଳନରେ ଥରିଥିଲା କେରଳର ୱାୟନାଡ୍‌ । ମୃତ୍ୟୁର ତାଣ୍ଡବ ରଚିଥିଲା ଏହି ବିରାଟ  ବିପର୍ଯ୍ୟୟ । ନିଶ୍ଚିହ୍ନ ହୋଇଯାଇଥିଲା ୱାୟନାଡ୍‌ର ୪ ଗାଁ, ପ୍ରାଣ ହରାଇଥିଲେ ୨୫୦ରୁ ଉର୍ଦ୍ଧ୍ବ।  କଲବଲ କରିଥିଲା ଅସହ୍ୟ ତାତି । ଦାଉ ସାଜିଥିଲା ଲଗାଣ ବର୍ଷା, ବନ୍ୟା । ଝାନ୍‌ସୀ ମେଡିକାଲ  କଲେଜରେ ନିଆଁରେ ଲିଭିଯାଇଥିଲା ୧୮ ନବଜାତଙ୍କ ଜୀବନ । ହାଥରସ୍‌ରେ ସତ୍‌ସଙ୍ଗରେ  ଦଳାଚକଟା, ତାମିଲନାଡୁ ମଦମୃତ୍ୟୁ, ରାଜକୋଟ ଗେମିଂ ଜୋନ୍‌ ନିଆଁ ବି ନେଇଥିଲା ଅନେକ  ମୁଣ୍ଡ । ଜଳବାୟୁ ପରିବର୍ତ୍ତନ ଯୋଗୁ ସାହାରା ମରୁଭୂମିରେ ବନ୍ୟା ସଭିଁଙ୍କୁ ଚକିତ କରିବା ଭଳି  ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ମୂକସାକ୍ଷୀ ରହିଥିଲା ବିଦାୟୀ ବର୍ଷ ।

ୱାୟନାଡର ୪ ଗାଁ ଗିଳିଦେଲା ଭୂସ୍ଖଳନ୍

କେରଳର ୱାୟନାଡ୍‌ ଜିଲ୍ଲାରେ ବିଦାୟୀ ବର୍ଷର ଜୁଲାଇରେ  ପ୍ରକୃତିର କୋପ ରଚିଥିଲା ମୃତ୍ୟୁ ତାଣ୍ଡବ । ବର୍ଷା ବିତ୍ପାତ  ପରେ ଭୂସ୍ଖଳନ ଯୋଗୁ ଚାହୁଁ ଚାହୁଁ ଲିଭିଯାଇଥିଲା ୨୫୦ରୁ  ଅଧିକ ଲୋକଙ୍କର ଜୀବନ ଦୀପ । ୪୭ ଜଣ ନିଖୋଜ  ହୋଇଯାଇଥିଲେ । ଅଦ୍ୟାବଧି ସେମାନଙ୍କର କୌଣସି  ପତ୍ତା ମିଳିନି । ସେହିପରି ୧୨୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର  ସମ୍ପତ୍ତି ନଷ୍ଟ ହୋଇଥିଲା । ଶହ ଶହ ଲୋକ ବାସହୀନ ହୋଇଥିଲେ। ରାଜ୍ୟରେ ଘଟିଥିବା ଏହି ଛାତିଥରା ପ୍ରାକୃତିକ  ଦୁର୍ବିପାକ ଯୋଗୁ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ ।  ଜୁଲାଇ ୨୯ ରାତିରେ ଭୀଷଣ ବର୍ଷାରୁ ଆରମ୍ଭ ହୋଇଥିଲା  ଦୁର୍ଦ୍ଦଶା । ବିଳମ୍ବିତ ରାତି ଥିବାରୁ ଲୋକେ ନିଦରେ  ଶୋଇଯାଇଥିଲେ । ଏହି ସମୟରେ ମାତ୍ର୪ ଘଣ୍ଟାରେ ଘଟିଥିଲା ୪ଟି ଭୂସ୍ଖଳନ । ଏଥିରେ ୪ଟି ଗ୍ରାମ ସଂପୂର୍ଣ୍ଣ  ନିଶ୍ଚିହ୍ନ ହୋଇଯାଇଥିଲା । ୱାୟନାଡ୍‌ ଅନ୍ତର୍ଗତ ମୁଣ୍ଡାକାଇ,  ଚୁଲାରମାଲା, ଅଟ୍ଟାମାଲା ଓ ନୁଲପୂଝା ଗ୍ରାମ ଭୂସ୍ଖଳନରେ  ଭାସିଯାଇଥିଲା । ଅନେକ ଲୋକ ସେହି ଧ୍ୱଂସାବଶେଷ  ତଳେ ଦବି ଯାଇଥିବାବେଳେ ଅନେକ ଜଳସ୍ରୋତରେ  ଭାସିଯାଇଥିଲେ । ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌,  ଅଗ୍ନିଶମ ବାହିନୀ ଓ ସେନା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ  ତ୍ୱରାନିତ କରିଥିଲେ । ଉଦ୍ଧାର ପାଇଁ ବାୟୁସେନାର ମିଗ୍‌-୧୭  ଏବଂ ଏଲଏଚ୍‌ ଧ୍ରୁବ ହେଲିକପ୍ଟରକୁ ମୁତୟନ କରାଯାଇଥିଲା ।

ପ୍ରଳୟଙ୍କରୀ ବନ୍ୟାରେ ବୁଡ଼ିଲା ଆସାମ



ବିଦାୟୀ ବର୍ଷର ମୌସୁମୀ ସମୟରେ ପ୍ରବଳ ବର୍ଷା ଯୋଗୁ  ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଘଟିଥିଲା ।  ଜୁନ୍‌ରେ ଆସାମରେ ପ୍ରଳୟଙ୍କରୀ ବନ୍ୟା ହେବାରୁ ୧୦୯ ଜଣ  ପ୍ରାଣ ହରାଇଥିଲେ । ୨୮ ଜିଲ୍ଲାର ୨୩ ଲକ୍ଷ ଲୋକ ପ୍ରଭାବିତ  ହୋଇଥିଲେ । ବ୍ରହ୍ମପୁତ୍ର ନଦୀର ପାଣି କାଜିରଙ୍ଗା ଜାତୀୟ ଉଦ୍ୟାନ  ଓ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ପଶିବାରୁ ୨୦୦ରୁ ଅଧିକ  ବନ୍ୟଜୀବଙ୍କର ମୃତ୍ୟୁ ଘଚିଥିଲା । ବନ୍ୟା ଯୋଗୁ ମଣିପୁରରେ  ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷ ଲୋକ ପ୍ରଭାବିତ  ହୋଇଥିଲେ । ସିକ୍କିମ ଓ ମେଘାଳୟରେ ପ୍ରବଳ ବନ୍ୟା ଯୋଗୁ  ରାସ୍ତା ଓ ପୋଲ ଧୋଇ ଯାଇଥିଲା । ଉତ୍ତରପ୍ରଦେଶରେ ଜୁଲାଇ  ୧୧-୧୨ ମଧ୍ୟରେ ବନ୍ୟା ଯୋଗୁ ୫୪ ଜଣ ପ୍ରାଣ ହରାଇଥିଲେ ।  ୯୨୩ଟି ଗ୍ରାମର ୧.୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ ।  ହିମାଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୩୧ ଜଣ ପ୍ରାଣ  ହରାଇଥିବାବେଳେ ଅନେକ ନିଖୋଜ ହୋଇଥିଲେ । ତ୍ରିପୁରାରେ  ବନ୍ୟା ଯୋଗୁ ୩୧ ଜଣ ପ୍ରାଣ ହରାଇଥିଲେ । ଗୁଜରାଟରେ ୨୦  ହଜାର ଲୋକ ବିସ୍ଥାପିତ ହୋଇଥିଲେ । ସେହିପରି ଅଗଷ୍ଟ  ୩୧ରୁ ସେପ୍ଟେମ୍ବର ୯ ତାରିଖ ଯାଏ ବିଜୟୱାଡାରେ ପ୍ରବଳ ବର୍ଷା  ଯୋଗୁ ନଦୀଗୁଡିକରେ ଜଳସ୍ତର ବଢ଼ିଯାଇଥିଲା । ଏହାଯୋଗୁ  ଆସିଥିବା ବନ୍ୟାରେ ୪୫ ଜଣଙ୍କ ଜୀବନ ଯାଇଥିବାବେଳେ  ୨.୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।

ସତ୍‌ସଙ୍ଗ  ଦଳାଚକଟାରେ  ଗଲା ୧୨୧ ଜୀବନ 


ଚଳିତବର୍ଷ ଜୁଲାଇ ୨ରେ ଉତ୍ତରପ୍ରଦେଶ ହାଥରସ୍‌  ଜିଲ୍ଲାରେ ଘଟିଥିଲା ଏକ ବଡ଼ ଅଘଟଣ । ସ୍ଥାନୀୟ  ଧର୍ମଗୁରୁ ଭୋଲେବାବା ଓରଫ ନାରାୟଣ ସାକାର  ହରିଙ୍କ ସତ୍‌ସଙ୍ଗରେ ଦଳାଚକଟା ଘଟି ପ୍ରାଣ  ହରାଇଥିଲେ ୧୨୧ ଶ୍ରଦ୍ଧାଳୁ । ଅଘଟଣଟି ଜିଲ୍ଲା  ମୁଖ୍ୟାଳୟଠାରୁ ୪୭ କିମି ଦୂର ସିକନ୍ଦ୍ରାରାଓ ପୁଲିସ  ଥାନା ଅଧୀନରେ ଥିବା ଫୁଲରଇ ଗାଁରେ ଘଟିଥିଲା ।  ସେଦିନ ସତ୍‌ସଙ୍ଗରେ ପ୍ରାୟ ୨୦ ହଜାରରୁ ଅଧିକ  ଲୋକଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମ ସରିବା  ପରେ ଏକସମୟରେ ବାହାରକୁ ବାହାରୁଥିଲେ  ଲୋକେ । ସମସ୍ତେ ପ୍ରଥମେ ବାହାରିବାକୁ ଚେଷ୍ଟା  କରିବାରୁ ଦଳାଚକଟା ହୋଇଥିଲା । ଶ୍ରଦ୍ଧାଳୁଙ୍କ  ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଥିବାରୁ  ସେମାନେ ଉଠିପାରିନଥିଲେ । ଶ୍ୱାସରୁଦ୍ଧ ହେବା  ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିଲା । କିଛି  ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ, ସତ୍‌ସଙ୍ଗ ସରିବା  ପରେ ଭୋଲେ ବାବାଙ୍କର କନଭୟ ଘଟଣାସ୍ଥଳରୁ  ବାହାରିଥିଲା । ସେଥିଲାଗି ସୁରକ୍ଷାକର୍ମୀ ଜନତାକୁ  ଅଟକାଇଥିଲେ । କିନ୍ତୁ ତାଙ୍କର କନଭୟ ଯିବା  ପରେ ଅଚାନକ ଭିଡ଼କୁ ଛାଡ଼ି ଦେଇଥିଲେ ।  ସେଥିଯୋଗୁ ଦଳାଚକଟା ହୋଇଥିଲା । 

କଲବଲ କଲା ତାତି 


ବିଦାୟୀ ବର୍ଷରେ ଲୋକଙ୍କୁ କଲବଲ କରିଥିଲା  ଭୟଙ୍କର ଗ୍ରୀଷ୍ମ ଲହରୀ । ଅସହ୍ୟ ତାତିର  ଜ୍ୱାଳାରେ ଛଟପଟ ହୋଇଥିଲେ ଲୋକେ । ମେ ୨୮ରେ ରାଜସ୍ଥାନର ଚୁରରେ ସର୍ବାଧିକ ୫୦.୫  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।  ତାହା ବିଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ଥିଲା ।  ସେହିପରି ରାଜ୍ୟର ସିରସା, ଫଲୋଦିରେ  ତାପମାତ୍ରା ୫୦ ଡିଗ୍ରୀ ପାର୍‌ କରିଥିଲା । ଦିଲ୍ଲୀର  ମୁଙ୍ଗେସପୁର, ନରେଲା ଓ ନଜଫଗଡ଼ରେ  ମଧ୍ୟ ସେଦିନ ୫୦ ଡିଗ୍ରୀ ପାଖାପାଖି ତାପମାତ୍ରା  ଅନୁଭୂତ ହୋଇଥିଲା । ଜୁନ୍‌ ୩ ତାରିଖ ସୁଦ୍ଧା  ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଯୋଗୁ ଦେଶରେ ମୋଟ  ୨୧୯ ଜଣ ପ୍ରାଣ ହରାଇଥିଲେ । ୨୫ ହଜାର  ଲୋକ ଅଂଶୁଘାତର ଶିକାର ହୋଇଥିଲେ ।  ମୃତକଙ୍କ ମଧ୍ୟରେ ସାଧାରଣ ନିର୍ବାଚନର ଅନ୍ତିମ  ପର୍ଯ୍ୟାୟରେ ନିୟୋଜିତ ଥିବା ୩୩ ଜଣ କର୍ମଚାରୀ  ସାମିଲ ଥିଲେ । ପଡ଼ୋଶୀ ପାକିସ୍ତାନରେ ମଧ୍ୟ  ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହୋଇଥିଲା । ସିନ୍ଧ ପ୍ରଦେଶର  ମହେଞ୍ଜଦାରୋରେ ମେ ୨୭ରେ ତାପମାତ୍ରା ୫୨  ଡିଗ୍ରୀ ସେଲସିୟସ୍‌ ରହିଥିଲା । 

ଜଳିଗଲା ରାଜକୋଟ ଗେମିଂ ଜୋନ୍‌


 ଚଳିତବର୍ଷ ମେ ୨୫ରେ ଗୁଜରାଟ ରାଜକୋଟର  ଟିଆରପି ଗେମିଂ ଜୋନ୍‌ରେ ନିଆଁ ଲାଗି  ଲିଭିଯାଇଥିଲା ୩୩ଜଣଙ୍କ ଜୀବନଦୀପ । ମୃତକଙ୍କ  ମଧ୍ୟରେ ସାମିଲ ଥିଲେ ୧୨ରୁ ଅଧିକ ପିଲା ।  ସେଦିନ ସେଠାରେ କିଛି ମରାମତି ଓ ନବୀକରଣ  କାମ ଚାଲିଥିଲା । ସେଥିଯୋଗୁ ଅନେକ ପ୍ଲାଏ  ଖଣ୍ଡ ଓ କାଠ ଏଣେତେଣେ ପଡି଼ଥିଲା ।  ସେଥିରେ ନିଆଁ ଲାଗିବା ପରେ ତାହା ଦ୍ରୁତ  ଗତିରେ ବ୍ୟାପିଥିଲା । ଦେଖୁ ଦେଖୁ ଧ୍ୱଂସସ୍ତୁପ  ପାଲଟି ଯାଇଥିଲା ପୂରା ଗେମିଂ ଜୋନ୍‌ ।  ଶ୍ୱାସରୁଦ୍ଧ ହୋଇ ଅନେକ ପ୍ରାଣ ହରାଇଥିଲେ ।  

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ପିଟିଲା ମାଲଗାଡି


ଏ ବର୍ଷ ଜୁନ୍‌ ୧୭ରେ ପଶ୍ଚିମବଙ୍ଗ ଦାର୍ଜିଲିଂ  ଜିଲ୍ଲା ଅନ୍ତର୍ଗତ ନୂଆ ଜଳପାଇଗୁଡ଼ି ସ୍ଥିତ  ରଙ୍ଗପାନି ଷ୍ଟେସନ୍‌ରେ ଘଟିଥିଲା ଏକ ମର୍ମନ୍ତୁଦ  ରେଳ ଦୁର୍ଘଟଣା । କାଙ୍ଗନଜଙ୍ଗା ଏକ୍ସପ୍ରେସକୁ  ଏକ ମାଲବାହୀ ଟ୍ରେନ୍‌ ପଛରୁ ଭୀଷଣ ଧକ୍କା  ଦେଇଥିଲା । ଏହାଯୋଗୁ ମାଲଗାଡି଼ର ଲୋକୋ ପାଇଲଟ ଓ ଏକ୍ସପ୍ରେସ ଟ୍ରେନ୍‌ର ଗାର୍ଡଙ୍କ  ସମେତ ମୋଟ ୧୧ଜଣ ପ୍ରାଣ ହରାଇଥିଲେ । 

ସାହାରା ମରୁଭୂମିରେ ବନ୍ୟା

୫୦ ବର୍ଷ ପରେ ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ପ୍ରବଳ ବର୍ଷା  ହୋଇଥିଲା । ସେଥିଯୋଗୁ ଉତ୍ତର ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଉତ୍ତପ୍ତ  ମରୁଭୂମିରେ ବନ୍ୟା ଆସିଥିଲା । ଜଳବାୟୁ ପରିବର୍ତ୍ତନ ଓ ଅସ୍ୱାଭାବିକ ପାଣିପାଗ  ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନଙ୍କ ମତ । ଆମେରିକୀୟ  ମହାକାଶ ଗବେଷଣା ସଂସ୍ଥା ନାସା ସାଟେଲାଇଟ ଜରିଆରେ ସାହାରା ବାଲି,  ଆଖପାଖରେ ଥିବା ପ୍ରାଚୀନ ମହଲ ଓ ମରୁଭୂମିରେ ଥିବା ଗଛରୁ ପାଣି ଝରୁଥିବାର  ସୁନ୍ଦର ଚିତ୍ର କଏଦ କରିଥିଲା । ମରକ୍କୋର ଇରିକ୍କି ହ୍ରଦରେ ବି ୫୦ ବର୍ଷ ପରେ  ପାଣି ଭର୍ତ୍ତି ହୋଇଯାଇଥିଲା । ୧୯୨୫ରୁ ଏହି ହ୍ରଦ ଶୁଖିଲା ପଡି଼ଥିଲା । ସାହାରା  ମରୁଭୂମିରେ ବର୍ଷା ହୋଇଥାଏ । କିନ୍ତୁ ତାହା ଖୁବ୍‌ କମ୍‌ । ଖରାଦିନରେ କ୍ୱଚିତ୍‌  ବର୍ଷା ହୋଇଥାଏ । ଏଥର କିନ୍ତୁ ସାହାରାରେ ଗ୍ରୀଷ୍ମ ସମୟ ଚାଲିଥିବାବେଳେ  ସେପ୍ଟେମ୍ବରରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମମଣ୍ଡଳୀୟ ଝଡ଼ ଯୋଗୁ ଅସାଧାରଣ ଭାବେ  ୨ ଦିନ ବର୍ଷା ହୋଇଥିଲା । ସେଥିଯୋଗୁ ଏହି ବନ୍ୟା ଆସିଥିଲା ।  

ମୁମ୍ବାଇରେ ହୋର୍ଡିଂ ଭୁଶୁଡ଼ିଲା 


ଏ ବର୍ଷ ମେ ୧୩ରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ  ଭୁଶୁଡି଼ ପଡ଼ିଥିଲା ଏକ ଏକ ହୋର୍ଡିଂ । ସେଥିଯୋଗୁ ଅକାଳରେ ଲିଭି ଯାଇଥିଲା  ୧୭ଙ୍କ ଜୀବନ ଦୀପ । ୭୫ରୁ ଅଧିକ ଆହତ ହୋଇଥିଲେ । ହୋର୍ଡିଂଟିକୁ  ବେଆଇନ ଭାବେ ନିର୍ଦ୍ଧାରିତ ଆକାରଠାରୁ ବହୁତ ବଡ଼ କରି କରାଯାଇଥିଲା ।  ପ୍ରବଳ ବର୍ଷାରେ ତାହା ଏକ ପେଟ୍ରୋଲ ପମ୍ପ ଉପରେ ଖସି ପଡିଥିଲା ।  ତେଣୁ ବର୍ଷା ଦାଉରୁ ରକ୍ଷା ପାଇବାକୁ ସେଠାରେ ଆଶ୍ରୟ ନେଇଥିବା ଗାଡି଼  ଓ ଲୋକମାନେ ତା’ତଳେ ଚାପି ହୋଇଯାଇଥିଲେ।

ମଦମୃତ୍ୟୁ ବିଭୀଷିକା


ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ଦେଶୀ ମଦ  ପିଇବାରୁ ଏବର୍ଷ ୬୫ଜଣଙ୍କର ଜୀବନ ଯାଇଥିଲା । ମୃତକମାନେ  ଦିନ ମଜୁରିଆ ଶ୍ରେଣୀର ଥିଲେ । ଜୁନ୍‌ ୧୯ ତାରିଖରେ ନିଶିଦ୍ଧ  ମଦ କିଣିବା ପରେ ସେମାନେ ତାକୁ ଏକାଠି ବସି ପିଇଥିଲେ ।  ତେବେ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡି଼ଥିଲେ ।  ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା ହୋଇଥିଲା । ଏହାପରେ ଆଖି  ପୋଡ଼ିବା ବି ଆରମ୍ଭ ହୋଇଥିଲା । ପରିବାର ଲୋକେ ସେମାନଙ୍କୁ  କଲ୍ଲାକୁରିଚି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ  ସେଠାରେ ୬୫ ଜଣଙ୍କର ଜୀବନ ଯାଇଥିଲା। 

ମେଡିକାଲ ନିଆଁରେ  ଚାଲିଗଲେ ୧୮ ନବଜାତ 


ଚଳିତବର୍ଷ ନଭେମ୍ବର ୧୫ରେ ୟୁପିର ଝାନ୍‌ସୀରେ ଥିବା ମହାରାଣୀ ଲକ୍ଷ୍ମୀବାଇ ସରକାରୀ ମେଡିକାଲ କଲେଜର ଶିଶୁ ୱାର୍ଡରେ  ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ସେଥିଯୋଗୁ ପ୍ରାଣ ହରାଇଥିଲେ  ୧୮ ନବଜାତ ଶିଶୁ । ସମସ୍ତ ଶିଶୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତିଥିଲେ ।  ସେଦିନ ରାତି ପ୍ରାୟ ୧୧ଟାରେ ଏହି ଅଘଟଣ ଘଟିଥିଲା । ନିଆଁ  ଲାଗିବା ପରେ ପୂରା ଶିଶୁ ୱାର୍ଡ ଧୂଆଁମୟ ହୋଇଯାଇଥିଲା ।  ସୂଚନା ମିଳିବା ପରେ ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି  ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ  ଚାଲିଯାଇଥିଲା ୧୮ ନବଜାତ ଶିଶୁଙ୍କ ଜୀବନ।

‘ଜୀବିତପୁତ୍ରିକା’  ବେଳେ ବୁଡ଼ିଗଲେ ୪୬ 

ସେପ୍ଟେମ୍ବର ୨୬ରେ ବିହାରରେ ‘ଜୀବିତପୁତ୍ରିକା’  ଉତ୍ସବ ପାଳନବେଳେ ବିଭିନ୍ନ ଜିଲ୍ଲାରେ ସଲୀଳ ସମାଧି  ନେଇଥିଲେ ୪୬ ଜଣ । ସେମାନଙ୍କୁ ମଧ୍ୟରୁ ଅଧିକାଂଶ  ହେଉଛନ୍ତି ଶିଶୁ । ଉତ୍ସବ ପାଳନ ସମୟରେ ନଦୀ,  ପୋଖରୀରେ ପବିତ୍ର ବୁଡ଼ ପକାଇବାବେଳେ ପାଣିରେ ବୁଡ଼ି ଯାଇଥିଲେ ସେମାନେ । ମୃତକମାନେ ପୂର୍ବ ଓ  ପଶ୍ଚିମ ଚମ୍ପାରଣ, ନାଳନ୍ଦା, ଔରଙ୍ଗାବାଦ, ବୈଶାଳୀ,  ମୁଜାଫରପୁର, ସମସ୍ତିପୁର ଓ ଅରୱାଲା ଜିଲ୍ଲାର ।  ‘ଜୀବିତପୁତ୍ରିକା’ ଉତ୍ସବ ସମୟରେ ମହିଳାମାନେ  ଉପବାସ କରିବା ସହିତ ସେମାନଙ୍କ ପିଲାଙ୍କ ମଙ୍ଗଳ  କାମନା କରି ପାଣିରେ ବୁଡ଼ ପକାଇଥାନ୍ତି ।  

ରେମାଲ-ଫେଙ୍ଗଲ ତାଣ୍ଡବ 


ଏ ବର୍ଷ ରେମାଲ-ଫେଙ୍ଗଲ ବାତ୍ୟାର ପ୍ରକୋପ  ଦେଖିବାକୁ ମିଳିଥିଲା ଭାରତରେ । ବଙ୍ଗେପସାଗରରେ  ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ରେମାଲ’  ପଶ୍ଚିମବଙ୍ଗ ଓ ବାଂଲାଦେଶର ସୁନ୍ଦରବନ ଡେଲ୍ଟା  ଅଞ୍ଚଳରେ ମେ ୨୬ରେ ଛୁଇଁଥିଲା ସ୍ଥଳଭାଗ । ଏହି  ବାତ୍ୟା ଯୋଗୁ ପ୍ରାଣ ହରାଇଥିଲେ ଅତି କମ୍‌ରେ  ୬୫ ଜଣ । ପଶ୍ଚିମବଙ୍ଗ, ମିଜୋରାମ, ଆସାମ  ଓ ମେଘାଳୟରେ ଏହା ତାଣ୍ଡବ ସୃଷ୍ଟି କରିଥିଲା ।  ମେଘାଳୟରେ ଏଥିଯୋଗୁ ଭୂସ୍ଖଳନ ଘଟିଥିଲା ।  ସେହିପରି ନଭେମ୍ବର ୩୦ରେ ତାମିଲନାଡୁ- ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା  ‘ଫେଞ୍ଜଲ’ । ସେଥିଯୋଗୁ ଅତି କମ୍‌ରେ ୧୯  ଜଣଙ୍କର ଜୀବନହାନି ହୋଇଥିଲା । ପୁଡୁଚେରୀରେ  ୪୬ ସେମି ବର୍ଷା ହେବାରୁ ବନ୍ୟା ଆସିଥିଲା ।  

ମାୟୋଟ୍‌ରେ ଝଡ଼ 


ଚଳିତ ଡିସେମ୍ବରରେ ଶତାବ୍ଦୀର ସବୁଠୁ ଭୟଙ୍କର  ଝଡ଼ ଆସିଥିଲା ଭାରତ ମହାସାଗରୀୟ ଦ୍ୱୀପ  ମାୟୋଟ୍‌ରେ । ସେଠାରେ ତାଣ୍ଡବ ରଚିଥିଲା ଝଡ଼  ‘ଚିଡ଼ୋ’ । ଘଣ୍ଟାପ୍ରତି ୨୨୫ କିମିରୁ ଅଧିକ ବେଗରେ  ପବନ ବହିବା ଯୋଗୁ ବହୁସଂଖ୍ୟାରେ ବସ୍ତି  ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା । ଏହାଯୋଗୁ  ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା  ଆଶଙ୍କା କରାଯାଇଥିଲା । ଫ୍ରାନ୍ସର ପାଣିପାଗ ବିଭାଗ  ଅନୁସାରେ, ଚିଡ଼ୋ ଚତୁର୍ଥ ବର୍ଗର ଝଡ଼ ଥିଲା ।  ଡିସେମ୍ବର ୧୪-୧୫ରେ ଦକ୍ଷିଣ-ପଶ୍ଚିମ ଭାରତ  ମହାସାଗର ଦେଇ ଏହି ଝଡ଼ ଗତି କରିଥିଲା ।  ପ୍ରଥମେ ଚିଡ଼ୋ ମାଡାଗାସ୍କରରେ ତାଣ୍ଡବ ରଚିଥିଲା ।  କିନ୍ତୁ ମାୟୋଟରେ ସର୍ବାଧିକ ପ୍ରଭାବ ପଡ଼ିଥିଲା ।  ଚିଡ଼ୋ ପ୍ରଭାବରେ ବହୁସଂଖ୍ୟାରେ ଘର କ୍ଷତିଗ୍ରସ୍ତ  ହୋଇଥିଲା ।