ନୂଆଦିଲ୍ଲୀ: ଗୌହାଟୀରୁ ଚେନ୍ନାଇ ଅଭିମୁଖୀ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍ ନମ୍ବର 6E6764) ଗୁରୁବାର ଦିନ ଇନ୍ଧନ ଅଭାବ ହେତୁ ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ସୂତ୍ରରୁ ପ୍ରକାଶ ଯେ, ଚେନ୍ନାଇ ବିମାନବନ୍ଦରରେ ଅଧିକ ଭିଡ଼ ହେତୁ ବିମାନଟିକୁ ଅବତରଣ ପାଇଁ ଅନୁମତି ମିଳିନଥିଲା। ଫଳରେ, ପାଇଲଟ୍ ରାତି ୮:୧୧ରେ ବେଙ୍ଗାଲୁରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ‘ଫ୍ୟୁଏଲ ମେଡେ’ (Fuel Mayday) ଘୋଷଣା କରି ଜରୁରି ଅବତରଣ କରାଇଥିଲେ।
ବିମାନଟି ଗୌହାଟୀରୁ ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରିଥିଲା। ଚେନ୍ନାଇରେ ଅବତରଣ ପାଇଁ ଅନୁମତି ନମିଳିବାରୁ ପାଇଲଟ୍ ଚେନ୍ନାଇ ବିମାନବନ୍ଦର ଉପରେ କିଛି ସମୟ ଚକ୍କର କାଟିଥିଲେ। ତେବେ, ଇନ୍ଧନ କମ୍ ହେବା କାରଣରୁ ସେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ରାତି ୮ଟା୧୫ ସମୟରେ ବିମାନଟି ବେଙ୍ଗାଲୁରୁରେ ନିରାପଦ ଭାବେ ଅବତରଣ କରିଥିଲା। ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।
ବିମାନଟିରେ ଇନ୍ଧନ ପୂରଣ କରାଯାଇ ପରେ ଏହା ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଥିଲା ଏବଂ ସେଠାରେ ନିରାପଦରେ ଅବତରଣ କରିଥିଲା। ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ପ୍ରକାଶ ପାଇନାହିଁ।
ଏହି ଘଟଣା ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମାତ୍ର ଦିନ କିଛି ପରେ ଘଟିଛି। ଏହି ବିମାନ ଦୁର୍ଘଟଣାରେ ମୋଟ ୨୪୧ ଜଣ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିମାନ ଚଳାଚଳ ସୁରକ୍ଷା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି।
ସୂଚନା ମୁତାବକ, ଡିରେକ୍ଟରେଟ ଜେନେରାଲ ଅଫ୍ ସିଭିଲ ଏଭିଏସନ (DGCA) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁଇ ଜଣ ପାଇଲଟଙ୍କୁ ତଦନ୍ତ ସରିବା ପର୍ଯ୍ୟନ୍ତ ରୋଷ୍ଟରରୁ ହଟାଇ ଦିଆଯାଇଛି।