ନୂଆଦିଲ୍ଲୀ,୩୧/୦୩; ଆରମ୍ଭରୁ ଝୁଣ୍ଟିଛି ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ରାଜସ୍ଥାନଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏମଏସ ଧୋନୀଙ୍କ ବିନା ଖେଳୁଥିବା ଚେନ୍ନାଇର ପରାଜୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମ ମ୍ୟାଚରେ ଚେନ୍ନାଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ପରାଜୟ ପରେ ଅସନ୍ତୋଷ ଜାହିର କରି ବ୍ୟାଟରଙ୍କୁ ଦାୟୀ କରିଛନ୍ତି କ୍ୟାପ୍ଟେନ୍ ଋତୁରାଜ ଗାଏୱାଡ । ସେ ଏହି ମ୍ୟାଚରେ ୧୧ ବଲରେ ମାତ୍ର ୬ ରନ୍ କରି ଆର୍ଚରଙ୍କ ଶିକାର ହୋଇଥିଲେ ।
ମ୍ୟାଚ ପରେ କ୍ୟାପ୍ଟେନ୍ ଋତୁରାଜ ନିରାଶ ହୋଇ କହିଛନ୍ତି, ''ସତ କହିବାକୁ କଲେ, ମୁଁ ଅନୁଭବ କଲି ଯେ ଆରମ୍ଭରେ ପରିସ୍ଥିତି ବହୁତ କଷ୍ଟକର ଥିଲା । ବିଶେଷ କରି, ଜୋପ୍ରା ଆର୍ଚର ଏବଂ ନାନ୍ଦ୍ରେ ବର୍ଗରଙ୍କ ସାମ୍ନା କରିବା । ସେମାନ ବହୁତ ଭଲ ବୋଲିଂ କରିଥିଲେ । ମଧ୍ୟମ ଗତିରେ ବୋଲରଙ୍କ ପାଇଁ ଏହା ଟିକେ କଷ୍ଟକର ଥିଲା । ସ୍ପିନରମାନଙ୍କୁ ମଧ୍ୟ କିଛି ସାହାଯ୍ୟ ମିଳୁଥିବାର ଦେଖିବାକୁ ମିଳିଥିଲା । ଆମେ ଭଲ ବ୍ୟାଟିଂ କରିପାରିଥାନ୍ତୁ । ଆମେ ଖେଳକୁ ଆହୁରି ଆଗକୁ ନେଇପାରିଥାନ୍ତୁ କିଛି ବ୍ୟାଟିଂ ଦକ୍ଷତା ଦେଖାଇପାରିଥାନ୍ତୁ । ହୁଏତ ସ୍କୋରକୁ ୧୫୦-୧୬୦ ଯାଏ ନେଇଯାଇଥାନ୍ତୁ । କିନ୍ତୁ ଏହା ଏକ ଭଲ ସ୍କୋର ନୁହେଁ ଆହୁରି ଆଗକୁ ଯିବାକୁ ପଡିବ । ମୁଁ ଭାବୁଛି ଯେ ଏହା ସେହି ଦିନ ମଧ୍ୟରୁ ଗୋଟିଏ ଥିଲା ଯେବେ ୱିକେଟ କଷ୍ଟକର ଥିଲା ।''
ଏହା ବି ପଢନ୍ତୁ...୪ ଚୌକା, ୫ ଛକା...୧୫ ବଲରେ ୫୦; ଚେନ୍ନାଇ ବୋଲରଙ୍କୁ ପିଟିଲେ ୧୫ ବର୍ଷୀୟ ବୈଭବ
ଅଧିନାୟକ ଋତୁରାଜ ଆହୁରି କହିଛନ୍ତି,'' ଯେତେବେଳେ ତୁମେ ୨୦ ଓଭର ଯାଏ ଖେଳ ଆଗକୁ ନେଇଥାଅ ସେବେ ୧୫୦, ୧୬୦ କିମ୍ବା ୧୭୦ ରନ୍ କରିଥାଅ । ମୁଁ ଭାବୁଛି ଏହା କେବଳ ନିଜ ଉପରେ ବିଶ୍ୱାସ ରଖିବା, ଜଣେ ବ୍ୟାଟର ଭାବେ ଖେଳ ଉପରେ ବିଶ୍ୱାସ ରଖିବା ଦରକାର । ଯଦି ତୁମ ଭିତରେ ଏହା ଅଛି ତେବେ ନିଶ୍ଚିନ୍ତ ତୁମେ ବ୍ୟାଟିଂ ଭଲ କରି ପାରିବ । କେବଳ ସକରାତ୍ମକ ରହିବାକୁ ପଡିବ । ଆଜି ଏହା କାମ କଲା ନାହିଁ ।
ଟସ୍ ବିଜୟ ରାଜସ୍ଥାନ ରୟାଲ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଆହତ ମହେନ୍ଦ୍ର ସିଂହ ଧୋନି ଓ ଡିୱାଲ୍ଡ ବ୍ରେଭିସଙ୍କ ବିନା ଖେଳୁଥିବା ସୁପରକିଙ୍ଗ୍ସର ବ୍ୟାଟିଂ ବିଭାଗ ଦୁର୍ବଳ ନଥିଲା । ତଥାପି ରାଜସ୍ଥାନ ରୟାଲ୍ସର ଘାତକ ବୋଲିଂର ମୁକାବିଲା କରିବାରେ ସୁପରକିଙ୍ଗ୍ସ ବିଫଳ ହୋଇଥିଲା । ସୁପରକିଙ୍ଗ୍ସ ୧୯.୪ ଓଭରରେ ୧୨୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୧୨.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।